ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

ବୌଦ୍ଧ,(ବଂଶୀଧର ମାଝି): ଲଘୁଚାପ ପ୍ରଭାବରେ ଦୁଇଦିନ ହେଲା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ବର୍ଷା ବିତ୍ପାତରେ ବ୍ୟାପକ ପରିମାଣରେ ଘରଦ୍ୱାରା ଭାଙ୍ଗିବା ସହିତ ଅନେକ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ହରଭଙ୍ଗା ବ୍ଲକର ବାମଣ୍ଡା ପଞ୍ଚାୟତର ନଂ.୩ ୱାର୍ଡ ଅନ୍ତର୍ଗତ ମେଣ୍ଡାଗ୍ରାମର ଭୁକ୍ତା ସାହିରେ ବର୍ଷାପାଣି ପଶି ସାହିର ସମ୍ବାରୁ ଭୋକ୍ତା, ଭକ୍ତ ଭୋକ୍ତା, ଅର୍ଜ୍ଜୁନ ଭୋକ୍ତା, ଦୁର୍ଯ୍ୟୋଧନ ଅମାତ୍‌, ବାଇଁଛା ଅମାତ୍‌, ଧରଣୀ ଅମାତ ପ୍ରମୁଖ ୧୦ଟି ପରିବାର ଲୋକେ ଦୁଇଦିନ ହେଲା ଜଳବନ୍ଦୀରେ ରହିଥିବା ଜଣାପଡିଛି । ଏହା ସହିତ ଗ୍ରାମର ଭୁଜ ଅମାତଙ୍କ ମାଟି ଚାଳଛପର ଘର ଲଗାଣ ବର୍ଷାରେ ଭାଙ୍ଗିଯାଇଥିବା ଜଣାପଡିଛି । ଲଗାଣବର୍ଷା ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ଲୋକେ ଘରୁ ବାହାରି ନପାରି ଉପାସରେ ରହୁଥିବା ଗ୍ରାମର ୱାର୍ଡସଭ୍ୟ ଉମେଶ ଭୋଇ ଅଭିଯୋଗ କରିଛନ୍ତି । ବନ୍ଧାପଥର ଗ୍ରାମ ପଞ୍ଚାୟତ ଗୁଡପଡା ଗ୍ରାମର ନାରାୟଣ ବେହେରାଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଛି । ସେହିପରି ପୀତାମ୍ବରପୁର ଗ୍ରାମ ପଞ୍ଚାୟତର ଶରଧାପୁର ଗ୍ରାମରେ ଭଇରଅଣା କେନାଲ ଉଛୁଳି ଗ୍ରାଁଦାଣ୍ଡରେ ୨ ଫୁଟ୍‌ ଉର୍ଚ୍ଚରେ ଜଳ ପ୍ରବାହିତ ହେଉଛି । ବୀରନରସିଂହପୁର ଗ୍ରାମ ପଞ୍ଚାୟତର ମହାକୁଡପାଲି ନିକଟରେ ଚିତିଜୋରରେ ବନ୍ୟା ଆସି ଗ୍ରାମ ଜଳ ଘେରରେ ରହିଛି । ଜାତୀୟ ରାଜପଥ ନଂ. ୫୭ର ଲାଣ୍ଡିବନ୍ଧ ଓ ଗାନ୍ଧୀଗ୍ରାମ ମଝିରେ ଥିବା ନାଳର ପାଣି ରାଜପଥ ଉପରେ ପ୍ରବାହିତ ହେଉଛି । ବାମଣ୍ଡା ଗ୍ରାମ ପଞ୍ଚାୟତ ଦେବଗଡ ଗ୍ରାମର ଚାଷ ଜମି ଜଳମଗ୍ନ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.