jayashree

ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଉଦ୍‌ଯାପିତ

  • ଅନ୍ତିମ ଦିବସରେ ସ୍ୱସ୍ତି ଝଙ୍କାର ପକ୍ଷରୁ ‘ବିଶ୍ୱାସର ଆତ୍ମଲିପି’ ନାଟକ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠ ପୋଷକତାରେ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ – ୨୦୨୪ ର ଏକାଦଶ ଦିବସରେ ସ୍ୱସ୍ତିଝଙ୍କାରର ବିଶ୍ୱସେ ର ଆତ୍ମଲିପି ମଞ୍ଚସ୍ଥ ହୋଇଯାଇଛି । ବିଭୁ ପ୍ରସାଦ ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ବିପିୟୁଟିର କୁଳପତି ପ୍ରଫେସର. ଅମୀୟ କୁମାର ରଥ ଯୋଗଦେଇ କହିଲେ ଯେ, ନାଟକର ସଫଳତା ରୋଲ ପ୍ଲେ, ଉପରେ ନିର୍ଭର କରେ । କଳାକାରଙ୍କ ଅଭିନୟ ଯେତେ ନିଖୁଣ ହେବ, ନାଟକ ସେତେ ସଫଳ ହେବ । ପ୍ରତ୍ୟେକ ନାଟକ ସମାଜ ପାଇଁ କିଛି ନା କିଛି ବାର୍ତ୍ତା ଦେଇଥାଏ, ତାହାକୁ ଆମେମାନେ ଗ୍ରହଣ କଲେ ନାଟକ ଓ କଳାକାରଙ୍କ ଉଦ୍ୟମ ସଫଳ ହେବ ବୋଲି ପ୍ର. ରଥ କହିଥିଲେ । ଏକତ୍ରର ଏହି ପରମ୍ପରା ଜାରି ରହିବ ବୋଲି ସେ କହିଥିଲେ । ମୁଖ୍ୟ ଅତିଥିଭାବେ ଆର.ଏସ.ପି ର ପ୍ରାକ୍ତନ ଅଧିକାରୀ ଇଂ ଗୋପୀନାଥ ପଟ୍ଟନାୟକ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ନାଟକ ସାମାଜିକ ସ୍ଥିତ ଓ ପରିବର୍ତ୍ତନର ବାର୍ତ୍ତା ଦେଇଥାଏ । ଏକତ୍ରର ପ୍ରୟାସ ସ୍ୱାଗତ ଯୋଗ୍ୟ ବୋଲି କହିବା ସହ ଏହାର କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇ ଥିଲେ । ସମ୍ମାନିତ ଅତିଥି ଭାବେ ପ୍ରମେୟର ରାଉରକେଲା ସଂସ୍କରଣ ମୁଖ୍ୟ ମନୋରଞ୍ଜନ ଦାଶ ଯୋଗଦେଇଥିଲେ । ସେ କହିଲେ ଯେ, ଏକତ୍ର ଏକ ନିଆରା ଅନୁଷ୍ଠାନ । ଏହାର ଉଦ୍ୟମ ଆହୁରି ଅବ୍ୟାହତ ରହୁ, ନାଟକକୁ ସମୃଦ୍ଧ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି କହିଥିଲେ । ଆର୍‌ଏସ୍‌ପିର ସହର ସେବା ଓ ସି.ଏସ୍‌.ଆର୍‌ ବିଭାଗ ସିଜିଏମ ପ୍ରତାପ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ଏକତ୍ର ପକ୍ଷରୁ ବିଜୟ ପାତ୍ର ସ୍ୱାଗତ ଅଭିଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ପ୍ରଦୀପ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱସ୍ତିଝଙ୍କାର ପ୍ରାୟୋଜିତ ନାଟକ ବିଶ୍ୱାସର ଆତ୍ମଲିପିର ରଚୟିତା ହେଲେ ଡଃ. ସୁଧାଂଶୁ ନାୟକ । ନିର୍ଦ୍ଦେଶକ ରାଜୀବ ପାଣିଙ୍କ ନିର୍ଦ୍ଦେଶିତ ଏହି ନାଟକର ବିଷୟବସ୍ତୁ ହେଲା ସନ୍ଦେହ ପୁରୁଷର ସହଜାତ ପ୍ରବୃତ୍ତି ଏବଂ ସମର୍ପଣରେ ନାରୀ ହୁଏ ମହନୀୟା ମହୀୟସୀ । ପ୍ରଫେସର ଅବିନାଶ ଏବଂ ପତ୍ନୀ ଆଶାଦେବୀଙ୍କ ଭିତରେ ଏକ ସୁନ୍ଦର ସୃଜନ ପରିବାରଟିଏ ଗଢି ଉଠିଥାଏ । ପରସ୍ପର ଭିତରେ ଏତେ ନିବିଡ଼ପଣ ମଧ୍ୟରେ ହଠାତ୍‌ ଉଠେ ଝଡ । ଏକ ଭୁଲ ବୁଝାମଣାକୁ କେନ୍ଦ୍ର କରି ଉଠେ ଝଡ । ଏହି ଝଡର ପରିଣତି କଣ ? ତାହାହିଁ ନାଟକରେ ପ୍ରଦର୍ଶିତ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂଳାପ ଆଧାରରେ ଗତି କରିଛି ନାଟକ ବିଶ୍ୱାସର ଆତ୍ମଲିପି । ଏଥିରେ ସଂଗୀତ ନିର୍ଦ୍ଦେଶକ ଡଃ. ସୁଶାନ୍ତ ପାଣି ସଂଗୀତ ନିର୍ଦ୍ଦେଶନା ଦେଇଥିଲା ବେଳେ ଅଭିନୟରେ ରାଜୀବ ପାଣି, ରାଜକୁମାର ମହାନ୍ତି, ଗଙ୍ଗାଧର ଜେନା, ବିଶ୍ୱଜିତ ନାୟକ, କିଶୋରୀ ମୋହନ କର, ବବି ମହାଳିକ, ସତ୍ୟମ ପାଣି, ପ୍ରଜ୍ଞାନନ୍ଦ ମହାନ୍ତି, ସ୍ୱାଗତିକା ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ମହୋତ୍ସବରେ ପାରିବେଷିତ ନାଟକର ନାଟ୍ୟକାର, ଅଂଶ ଗ୍ରହଣ କରିଥିବା ନାଟ୍ୟନୁଷ୍ଠାନର ମୁଖ୍ୟ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକତ୍ର ରାଉରକେଲା ଓ ସଂକଳ୍ପର ପ୍ରତିଷ୍ଠାତା ସଦସ୍ୟ ଶଙ୍କର ପ୍ରସାଦ ନାୟକଙ୍କ ବିୟୋଗରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏକତ୍ର ପକ୍ଷରୁ ପ୍ରଦୀପ ନାୟକ, ଅକ୍ଷୟ ଧଳ, ସରୋଜ ଶଙ୍ଖୁଆ, ରମେଶ ମହାନ୍ତି, ଡ଼ାଃ କୃପାସିନ୍ଧୁ ନାୟକ, ସୁରେନ୍ଦ୍ର ପାଢ଼ୀ, ପ୍ରବୀର ଜେନା, ସମ୍ପାଦକ ସୁଦେଶ ନାୟକ, ସୁମନ ଦତ୍ତ ତଥା ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମଞ୍ଚ କାର୍ଯ୍ୟକ୍ରମରେ କଲ୍ୟାଣୀ ଦାସ ଓ ସନ୍ଧ୍ୟା ପଟ୍ଟନାୟକ ସହଯୋଗ କରିଥିଲେ ।

Leave A Reply

Your email address will not be published.