ସେପ୍ଟେମ୍ବର ମାସ ପାଇଁ ଗାଇଡ଼୍‌ ଲାଇନ୍‌ ଜାରି କଲେ ରାଜ୍ୟ ସରକାର : ହଟିଲା ରାତ୍ରୀକାଳୀନ କର୍ଫ୍ୟୁ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସେପ୍ଟେମ୍ବର ମାସ ପାଇଁ ଗାଇଡ଼୍‌ ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର । ଏଥର ରାତ୍ରୀକାଳୀନ କର୍ଫ୍ୟୁ ସଂପୂର୍ଣ୍ଣ ହଟିଥିବା ବେଳେ ସପ୍ତାହନ୍ତ ସଟ୍‌ଡାଉନ୍‌ ରାଜ୍ୟରେ ଆଉ ହେବନି ବୋଲି କହିଛନ୍ତି । ସ୍କୁଲ କଲେଜ ଆସନ୍ତା ପୂଜାଛୁଟି ଯାଏଁ ବନ୍ଦ ରହିଲେ ସୁଦ୍ଧା ପରୀକ୍ଷା ହେବ ବୋଲି ସ୍ପଷ୍ଟ କରାଯାଇଛି । ଆନ୍ତର୍ଜାତିକ ବିମାନ ଚଳାଚଳ ପୂର୍ବ ପରି ବନ୍ଦ ରହିବ । ଅନ୍‌ଲାଇନ୍‌ ଶିକ୍ଷା ଜାରି ରହିବା ସଂଗେ ସଂଗେ ଡିସ୍‌ଟାନ୍ସ ଶିକ୍ଷାକୁ ପ୍ରୋତ୍ସାହିତ କରାଯିବ । କନ୍‌ଟେନ୍‌ମେଣ୍ଟ ଜୋନ୍‌ ଭିତରେ ସେପ୍ଟେମ୍ବର ୩୦ ଯାଏଁ ଲକ୍‌ଡାଉନ୍‌ ବଳବତ୍ତର ରହିବ । ତେବେ ସ୍ଥାନୀୟ ଅଧିକାରୀ କନ୍‌ଟେନ୍‌ମେଣ୍ଟ ଜୋନ୍‌ ନିର୍ଦ୍ଧାରଣ କରିପାରିବେ ବୋଲି ମଧ୍ୟ କୁହାଯାଇଛି । ସେହିପରି ସାମାଜିକ, ରାଜନୀତିକ, କ୍ରୀଡ଼ା, ମନୋରଂଜନ କାର୍ଯ୍ୟକ୍ରମଗୁଡ଼ିକ ବନ୍ଦ ରହିବ । ଘରୋଇ ଯାନବାହାନ ଚଳାଚଳ ଉପରେ କୌଣସି କଟକଣା ରହିବ ନାହିଁ । ରାଜ୍ୟ ବାହାରେ କିମ୍ବା ଭିତରେ ଯାତ୍ରା କରିବା ଦିଗରେ ସଂପୂର୍ଣ୍ଣ କଟକଣାମୁକ୍ତ କରାଯାଇଥିବା ବେଳେ ପଡେ଼ାଶୀ ଦେଶକୁ ମାଲ୍‌ ପରିବହନ କ୍ଷେତ୍ରରେ ମଧ୍ୟ କୌଣସି ଅନୁମତିର ଆବଶ୍ୟକତା ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଧାର୍ମିକ ସ୍ଥଳ ଓ ସର୍ବସାଧାରଣ ସ୍ଥାନ ପୂର୍ବପରି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିବ । ବୃଦ୍ଧବୃଦ୍ଧା, ରୋଗାଗ୍ରସ୍ତ, ପ୍ରସୂତି ତଥା ଶିଶୁମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଧାର୍ମିକ କାର୍ଯ୍ୟକ୍ରମ ତଥା ବଡ଼ ସମାବେଶ ବନ୍ଦ ରହିବ । ସିନେମା ହଲ୍‌, ସୁଇମିଂ ପୁଲ, ଥିଏଟର, ଅଡ଼ିଟୋରିଅମ୍‌ ଆଦି ପୂର୍ବ ପରି ବନ୍ଦ ରହିବା ସହ ଓପନ୍‌ ଏଆର୍‌ ଥିଏଟର୍‌ ଖୋଲାଯିବାକୁ ଅନୁମତି ଦିଆଯାଇଛି । ପୂର୍ବଭଳି ବାହାଘର କାର୍ଯ୍ୟକ୍ରମରେ ୫୦ ଜଣ ଓ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ୨୦ ଜଣଙ୍କ ସମାଗମ ପାଇଁ ଅନୁମତି ଦିଆଯାଇଛି ।

Leave A Reply

Your email address will not be published.