ଦୀର୍ଘ ୧୫ ଦିନ ହେଲା ଘୂରି ବୁଲୁଛନ୍ତି ହାତୀପଲ : ଅଞ୍ଚଳବାସୀ ଆତଙ୍କିତ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଲାଠୋର ବନ୍ୟାଞ୍ଚଳ ଅଧୀନ ବେନ୍ଦେର ସଂରକ୍ଷଣ ଜଙ୍ଗଲରେ ଦୀର୍ଘ ୧୫ ଦିନ ହେଲା ଏକ ହାତୀପଲ ଘୂରି ବୁଲୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତୀପଲ ଏପର୍ୟ୍ୟନ୍ତ କୈାଣସି ଜନ ଜୀବନ ହାନୀ କରି ନଥିଲେ ବି କେତେବେଳେ ଯେ କଣ ଘଟିବ କିଏ କହିପାରିବ । ଦିନବେଳେ ହାତୀପଲ ମାଗୁର ପାହାଡ ଘଞ୍ଚ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଜଙ୍ଗଲ ପାଖାପାଖି ଗାଁ ଗୁଡ଼ିକର ଫସଲ ଖାଇ ନଷ୍ଟ କରୁଛନ୍ତି । ଏପରି ଦେଖିବାକୁ ମିଳିଛି ଲାଠୋର ଗ୍ରାମରେ ।

ଲାଠୋର ଗ୍ରାମର ଚାଷୀ ଶେଷଦେବ ଭଇଁସାଲ ଧାନ କାଟି ନିଜର ଖଳାରେ ପଲିଥିନ ଢାଙ୍କି ରଖିଥିଲେ । ରାତିରେ ହାତୀପଲ ଆସି ପଲିଥିନ ସହିତ ସବୁ ଧାନ ଖାଇ ନଷ୍ଟ କରିଛନ୍ତି । ଲାଠୋର ଫରେଷ୍ଟର ନବ ଦାସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି କିପରି ଚାଷୀ ଜଣଙ୍କ ସହାୟତା ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବୁ ବୋଲି କହିଛନ୍ତି । ବେଳେ ବେଳେ ହାତୀପଲ ଲାଠୋର କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାକୁ ମଧ୍ୟ ପଳାଇ ଆସୁଛନ୍ତି ।

ହାତୀପଲଙ୍କ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଦୁଇଦିନ ଆଗରୁ ଏସିଏଫ୍ ବାବାଜୀ ଚରଣ ରାଉଳ ଆସି ଫେରିଥିଲେ ମଧ୍ୟ ହାତୀପଲଙ୍କୁ ଘଉଡା ଯାଇ ପାରିନାହିଁ । ଏନେଇ ଲାଠୋର ବନ୍ୟାଞ୍ଚଳ ଅଧିକାରିଣୀ ପ୍ରଭାତୀ ସେଠଙ୍କୁ ପଚାରିବାରୁ ଲୋକଙ୍କ ସୁରକ୍ଷା ତଥା ହାତୀପଲର ସୁରକ୍ଷା ପାଇଁ ବନବିଭାଗ ସଜାଗ ରହିଛି ଏବଂ ସୁରକ୍ଷିତ ଭାବେ ହାତୀପଲଙ୍କୁ ଘଉଡାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.