ls

୨୦୨୦ ଅକ୍ଟୋବରରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ପରିମାଣ ୧,୦୫,୧୫୫ କୋଟି ଟଙ୍କା

sb

• ଓଡ଼ିଶାରୁ ଏହି ମାସରେ ସଂଗୃହୀତ ଜିଏସ୍‌ଟି ପରିମାଣ ୨,୪୧୯ କୋଟି ଟଙ୍କା
• ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ଏହି ମାସରେ ଓଡ଼ିଶାରୁ ୨୧ ଶତାଂଶ ଅଧିକ ଜିଏସ୍‌ଟି ଆଦାୟ ହୋଇଛି

ନୂଆଦିଲ୍ଲୀ, (ପିଆଇବି) : ୨୦୨୦ ଅକ୍ଟୋବରର ମାସରେ ଓଡିଶା ସମେତ ସମଗ୍ର ଦେଶରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ୧,୦୫,୧୫୫ କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ ସିଜିଏସ୍‌ଟି ପରିମାଣ ୧୯,୧୯୩ କୋଟି ଟଙ୍କା, ଏସ୍‌ଜିଏସ୍‌ଟି ୨୫,୪୧୧ କୋଟି ଓ ଆଇଜିଏସ୍‌ଟି ପରିମାଣ ୫୨,୫୪୦ କୋଟି ଟଙ୍କା ଥିବା ସରକାରୀଭାବେ ଜଣାପଡିଛି । ଏଥିରେ ଆମଦାନୀ ସାମଗ୍ରୀ ଉପରୁ ସଂଗୃହୀତ ଟିକସ ରାଜସ୍ୱର ପରିମାଣ ୨୩,୩୭୫ କୋଟି ଟଙ୍କା ଅନ୍ତର୍ଭୁକ୍ତ । ଏହାଛଡା ଏହି ମାସରେ ସାମଗ୍ରୀ ରପ୍ତାନୀ ଉପରୁ ଆଦାୟ ୯୩୨ କୋଟି ଟଙ୍କାର ରାଜସ୍ୱ ସମେତ ମୋଟ ୮,୦୧୧କୋଟି ଟଙ୍କାର ସେସ୍‌ ବା ଉପକର ସଂଗୃହୀତ ହୋଇଛି । ଚଳିତବର୍ଷ ଅକ୍ଟୋବରର ୩୧ ସୁଦ୍ଧା ୮୦ ଲକ୍ଷ ଜିଏସ୍‌ଟିଆର-୩ବି ରିଟର୍ଣ୍ଣ ଫାଇଲ କରାଯାଇଛି । ଓଡ଼ିଶାରୁ ଏହି ମାସରେ ମୋଟ ୨,୪୧୯ କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଛି । ଗତବର୍ଷ ଅକ୍ଟୋବରର ତୁଳନାରେ ଏହି ଜିଏସ୍‌ଟି ସଂଗ୍ରହ ୨୧ ଶତାଂଶ ଅଧିକ । ଗତବର୍ଷ ଅକ୍ଟୋବରର ମାସରେ ଓଡିଶାରୁ ୧୯୯୪ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା ।
କରୋନା ମହାମାରୀ ଯୋଗୁଁ ଜିଏସ୍‌ଟି ଆଦାୟ ଗୁରୁତରଭାବେ ପ୍ରଭାବିତ ହୋଇଥିଲା । ଏ ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଏହା ଧାର୍ୟ୍ୟ ଲକ୍ଷ୍ୟଠାରୁ ତଳେ ଥିଲା । ତେବେ ସେପ୍ଟେମ୍ବରରୁ ଏହା ଅଭିବୃଦ୍ଧି ପରଲକ୍ଷିତ ହୋଇଛି ।
ଚଳିତବର୍ଷ ଅକ୍ଟୋବରର ମାସରେ ଜିଏସଟି ବାବଦରେ ଯେଉଁ ଟିକସ ରାଜସ୍ୱ ଆଦାୟ ହୋଇଛି ତାହା ଗତବର୍ଷର ସେହିମାସ ତୁଳନାରେ ୧୦ ଶତାଂଶ ଅଧିକ । ଏହି ସମୟ ମଧ୍ୟରେ ଆମଦାନୀ ସାମଗ୍ରୀ ଉପରୁ ୯ ଶତାଂଶ ଅଧିକ ରାଜସ୍ୱ ଆଦାୟ ହୋଇଛି । ସେହିଭଳି ସେବା ଆମଦାନୀ ସମେତ ଘରୋଇ ମାଲପରିବହନ ଓ ଚାଲାଣ କ୍ଷେତ୍ରରେ ଆଦାୟ ହେଉଥିବା ଜିଏସ୍‌ଟି ରାଜସ୍ୱ ଗତବର୍ଷ ଅକ୍ଟୋବରର ତୁଳନାରେ ୧୧ ଶତାଂଶ ଅଧିକ ବଢିଛି । ଜିଏସ୍‌ଟି ରାଜସ୍ୱର ଅଭିବୃଦ୍ଧି ଚଳିତବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଯଥାକ୍ରମେ -୧୪%, -୮% ଏବଂ ୫ ଶତାଂଶ ଥିଲା । ଏଥିରୁ ଅର୍ଥନୀତିରୁ ପୁନରୁଦ୍ଧାର ଚିତ୍ର ସ୍ପଷ୍ଟ ପ୍ରତୀୟମାନ ହୁଏ । କ୍ରମଶଃ କାରବାର ବଢିବା ସହିତ ଜିଏସ୍‌ଟି ଆଦାୟ ମଧ୍ୟ ବଢିବାରେ ଲାଗିଛି ।
ନିମ୍ନରେ ଦିଆଯାଇଥିବା ଚାର୍ଟରେ ଚଳିତବର୍ଷର ମାସିକ ମୋଟ ଜିଏସ୍‌ଟି ରାଜସ୍ୱ ବୃଦ୍ଧିର ଧାରା ପ୍ରଦର୍ଶିତ ହୋଇଛି । ଏହି ଟେବୁଲରେ ଚଳିତବର୍ଷ ଅକ୍ଟୋବରର ମାସର ରାଜ୍ୟୱାରୀ ଜିଏସ୍‌ଟି ସଂଗ୍ରହର ପରିମାଣ ପ୍ରଦାନ କରାଯାଇ ଗତବର୍ଷ ଅକ୍ଟୋବରର ମାସ ଏବଂ ପୁରା ବର୍ଷ ପାଇଁ ତାହାର ତୁଳନାତ୍ମକ ତଥ୍ୟ ପ୍ରଦାନ କରାଯାଇଛି ।
ଗତବର୍ଷ ଅକ୍ଟୋବରର ମାସରେ ମୋଟ ଜିଏସ୍‌ଟି ସଂଗ୍ରହ ପରିମାଣ ଥିଲା ୭୩,୧୫୯ କୋଟି ଟଙ୍କା । ଚଳିତବର୍ଷ ଅକ୍ଟୋବରର ମାସରେ ଏହି ସଂଖ୍ୟା ୮୦,୮୪୮ କୋଟି ଟଙ୍କାରେ ପହଞ୍ଚିଛି ଏବଂ ଏ କ୍ଷେତ୍ରରେ ୧୧ ଶତାଂଶ ଅଭିବୃଦ୍ଧି ଘଟିଛି । କେତେକ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଛାଡିଦେଲେ ପ୍ରମୁଖ ରାଜ୍ୟଗୁଡିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ଓଡ଼ିଶା, ରାଜସ୍ଥାନ, ହରିୟାଣା ଆଦି ରାଜ୍ୟର ଅକ୍ଟୋବରର ମାସର ଜିଏସ୍‌ଟି ସଂଗ୍ରହରେ ଅଭିବୃଦ୍ଧି ଅପେକ୍ଷାକୃତ ଭଲ ରହିଛି । ଆନ୍ଧ୍ର ଓ ଛତିଶଗଡରେ ଏହି ଜିଏସ୍‌ଟି ଆଦାୟ ଅଭିବୃଦ୍ଧି ଗତ ଅକ୍ଟୋବରର ମାସରେ ୨୬ ଶତାଂଶ ହୋଇଥିବାବେଳେ ଝାଡଖଣ୍ଡରେ ୨୩%, ରାଜସ୍ଥାନରେ ୨୨% ଓ ଓଡିଶାରେ ୨୧% ରହିଛି ।

pc pk
Leave A Reply

Your email address will not be published.