
ସିମୁଳିଆ : ଭଦ୍ରକରୁ ବାଲେଶ୍ୱର ଆଡ଼କୁ ବେଆଇନ ଭାବେ ଯାଉଥିବା ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନକୁ ସିମୁଳିଆ ପୁଲିସ ୧୬ ନମ୍ୱର ଜାତୀୟ ରାଜପଥରେ ଗୋଡ଼ାଇ ଗୋଡ଼ାଇ କାଂଶବାଂଶ ନଦୀ ପୋଲ ନିକଟରେ ଧରିବାରେ ସଫଳ ହୋଇଛି । ଜବତ ହୋଇଥିବା ଗାଡ଼ିରୁ ୬ ଟି ଗୋରୁ ଉଦ୍ଧାର ହୋଇଥିବାବେଳେ ଗାଡି ଚାଳକ ଏବଂ ହେଲପର୍ ଫେରାର ହୋଇଯାଇ ଥିବାର ସୂଚନା ମିଳିଛି । ସୂଚନା ମୁତାବକ, ଆଜି ସକାଳ ସମୟରେ ୧୬ ନମ୍ୱର ଜାତୀୟ ରାଜପଥରେ ବାଲେଶ୍ୱର ଆଡ଼କୁ ଏହି ପିକଅପ୍ ଭ୍ୟାନ ଗୋରୁ ବୋଝେଇ କରି ଯାଉଥିବାର ସିମୁଳିଆ ପୁଲିସ ସୂଚନା ପାଇଥିଲା । ଗାଡିଟିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା ପୁଲିସ । ହେଲେ ପିକଅପ୍ ଡ୍ରାଇଭର ଗାଡିକୁ ଦ୍ରୁତ ଗତିରେ ନେଇଯାଇଥିଲେ । ପୁଲିସ ଧରିବା ପାଇଁ ଗାଡିକୁ ଗୋଡ଼ାଇ ଥିଲା ହେଲେ ଥାନା ଠାରୁ ପ୍ରାୟ ୬ କିମି ଦୂର କାଂଶବାଂଶ ନଦୀ ପୋଲ ନିକଟରେ ପିକଅପ୍ ଟିକୁ ଛାଡ଼ିଦେଇ ଡ୍ରାଇଭର ଓ ହେଲପର୍ ଫେରାର ହୋଇଯାଇଥିବାର ସୂଚନା ମିଳିଛି । ପୁଲିସ ପିକଅପ୍ ଟିକୁ ଥାନାକୁ ଆଣିବା ପରେ ଗାଡ଼ିରେ ୫ ଟି ଗାଈ ଏବଂ ଗୋଟିଏ ବଳଦ ଥିବାର ସୂଚନା ମିଳିଛି । ପୁଲିସ ଗୋରୁ ଗୁଡିକୁ ନିକଟସ୍ଥ ମଇତାପୁର ଗୋଶାଳାରେ ଜିମା ଦେଇଛି ।