ପାଣିରେ ବୁଡି ମାଁଙ୍କ ସହ ୨ ପୁଅ,ଝିଅଙ୍କ ମୃତ୍ୟୁ

ଢେଙ୍କିକୋଟ : ଗାଧୋଇବା ବେଳେ ପାଣିରେ ବୁଡି ପୁଅ, ଝିଅ ସହ ମା’ଙ୍କ ମୃତ୍ୟୁ । ମୃତକ ଜଣକ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପାଣୁପଶି ଗ୍ରାମର ପବନା ମହାକୁଡ଼ଙ୍କ ପତ୍ନୀ କାମିନୀ ମହାକୁଡ଼ ତାଙ୍କ ପୁଅ ମିଥୁନ (୭) ଓ ଝିଅ ସୁନୁକା (୫) ମହାକୁଡ଼ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଘର ନିକଟରେ ଥିବା ପୋଖରୀକୁ ୨ ପୁଅ ଝିଅକୁ ନେଇ ମା’ କାମିନୀ ଗାଧୋଇବା ପାଇଁ ଯାଇଥିଲେ । ମା’ ଲୁଗା ସଫା କରିବା ସମୟରେ ପୁଅ ଝିଅ ପୋଖରୀର ଗଭୀର ପାଣିରେ ବୁଡି ଯାଇଥିଲେ । ଏହା ଦେଖି ମା’ ୨ ଛୁଆଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେଥିରେ ବିଫଳ ହୋଇ ମା’, ପୁଅ ଏବଂ ଝିଅ ପୋଖରୀର ଗଭୀର ପାଣିରେ ବୁଡ଼ି ଯାଇଥିଲେ । ପୋଖରୀ ପାଖରେ ଏକ ଛୋଟ ଛୁଆ ଏହି ଘଟଣା ଦେଖିଥିଲା । ସେ ଘରକୁ ଆସି ଜେଜେମାକୁ ଏହି ଘଟଣା ବିଷୟରେ ଜଣାଇଥିଲା । ଏହା ଜାଣି ଜେଜେମା ଗ୍ରାମବାସୀଙ୍କୁ ଏହି ଘଟଣା ବିଷୟରେ କହିଥିଲେ । ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ବହୁ ଉଦ୍ୟମ କରି ପୋଖରୀ ଭିତରୁ ମୃତ ଅବସ୍ଥାରେ ମା’ ଓ ଦୁଇ ଛୁଆଙ୍କୁ ଉଦ୍ଧାର କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସ, ଯୋଗେ ସମସ୍ତ ମୃତଦେହକୁ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଛନ୍ତି ଗ୍ରାମବାସୀ । ଏନେଇ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.