ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନିମନ୍ତେ ୨୦ ପ୍ଲାଟୁନ ଫୋର୍ସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ମୁଖ୍ୟ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭବ୍ୟସମାବେଶର ଆୟୋଜନ ହୋଇଅଛି । ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବିଧ ପ୍ରକଳ୍ପର ଶିଳାନ୍ୟାସ, ଆନୁଷ୍ଠାନିକ ଉଦ୍‌ଘାଟନୀ ସହ ଗଞ୍ଜାମବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିବେ । ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ ଓ ବହୁବିଧ ବ୍ୟବସ୍ଥା କରାଯାଇଛି । ପ୍ରାୟ ୨୦ହଜାର ଲୋକଙ୍କ ନିମନ୍ତେ ସଭାମଞ୍ଚର ଅସ୍ଥାୟୀ କୋଠା ମହଲ ନିର୍ମିତ ହୋଇଅଛି । ଆବଶ୍ୟକ ସଂଖ୍ୟକ ଚୌକି, ଆସନ ପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତରେ ଆସୁଥିବାବେଳେ ସୁରକ୍ଷା ଦାୟିତ୍ୱରେ ବ୍ରହ୍ମପୁର ଏସ୍‌ପି ଡ଼ଃ.ଶ୍ରବଣ ବିବେକ-ଏମ୍ ,ସଦରମହକୁମା ଛତ୍ରପୁର ଦାୟିତ୍ୱରେ ରହୁଛନ୍ତି । ଛତ୍ରପୁରର ଏହି ସମାବେଶ ସାମାରୋହର ସୁରକ୍ଷା ବ୍ୟବସ୍ଥା ନିମନ୍ତେ ବ୍ରହ୍ମପୁର ଏସ୍‌ପିଙ୍କ ସହ ଆଉ ଜଣେ ଅଡିସିନାଲ ଏସ୍‌ପି, ତିନିଜଣ ଡ଼ିଏସ୍‌ପି, ୧୨ଜଣ ଇନ୍ସପେକ୍ଟର, ୫୯ଜଣ ପୋଲିସ ଅଫିସରଙ୍କ ସହ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସରକାରୀ ଭାବେ କୁହାଯାଇଛି । ଏଥିସହ ହିଞ୍ଜିଳି ସଭାମଞ୍ଚ ସମାବେଶରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଦାୟିତ୍ୱରେ ରହିଥିବା ବେଳେ କବିସୂର୍ୟ୍ୟନଗର ସମାବେଶ-ସ୍ଥଳ ସୁରକ୍ଷା ଦାୟିତ୍ୱରେ କନ୍ଧମାଳ ଜିଲ୍ଲା ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ସରକାରୀ ଭାବେ ଦାୟିତ୍ୱରେ ରହିବେ ବୋଲି କୁହାଯାଇଛି । ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତରେ କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁରକୁ ହେଲିକ୍ୟାପ୍ଟର ଯୋଗେ ଅବତରଣ କରି ମେଗା-ସଭାମଞ୍ଚରେ ଅଭିଭାଷଣ ପ୍ରଦାନ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଏବଂ ରାଜ୍ୟ ପ୍ରଶାସନର ସହଯୋଗରେ ସଫଳ ମଣ୍ଡିତ ହେବ ବୋଲି ଜଣାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି ।

Leave A Reply

Your email address will not be published.