କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ଅଧ୍ୟାଦେଶ ବିରୋଧରେ ଗର୍ଜିଲେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ କୃଷକ ବିରୋଧୀ ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବା ପାଇଁ ମେଳି ହେଉଛନ୍ତି । ରାଜବୋଡାସମ୍ବର କୃଷକ ସଂଗଠନର ଆହ୍ୱାନ କ୍ରମେ ପଦ୍ମପୁର ଉପଖଣ୍ଡ କନସିଂହା ଗ୍ରାମ ପଞ୍ଚାୟତ ସାରସମାଲ ଠାରେ ଚାଷୀମାନଙ୍କର ଏକ ବୈଠକ ହୋଇଥିଲା । ଏଥିରେ ଚାଷୀନେତା ଲିଙ୍ଗରାଜ, ରମେଶ ମହାପାତ୍ର, ହର ବଣିଆ, ବାଂଛାନିଧି ନାୟକ, ଅଶୋକ ସାହୁ, ରୋହିତ ପ୍ରଧାନ, ବିଶ୍ୱନାଥ ରଣା, କୈଲାସ ବାରିକ ଓ ଅନେକ ଚାଷୀ ପ୍ରତିନିଧି ଯୋଗଦାନ କରିଥିଲେ ।ପଦ୍ମପୁର, ପାଇକମାଲ, ଝାରବନ୍ଧ, ସୋହେଲା, ଗାଇସଲେଟ ଅଂଚଳର ଚାଷୀମାନେ ସରକାରଙ୍କ ଚାଷୀ ବିରୋଧୀ ନୀତିର କଟୁ ସମାଲୋଚନା କରିଥିଲେ । ମଣ୍ତି ବ୍ୟବସ୍ଥା ଉଛେଦ, କଂପାନୀ ହାତକୁ ଚାଷୀର ଉତ୍ପାଦନକୁ ଟେକି ଦେବା ଆଦି ଅଧ୍ୟାଦେଶକୁ ପ୍ରତ୍ୟାହାର କରିବାକୁ ଦାବୀ କରିବେ । ଏଥିପାଇଁ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ । ସାରା ଭାରତରେ ଅଧ୍ୟାଦେଶ ବିରୁଦ୍ଧରେ ଚାଷୀ ଆନ୍ଦୋଳନ ମୁଣ୍ତ ଟେକୁଛି । ଏଥିରେ ରାଜବୋଡାସମ୍ବର କୃଷକ ସଂଗଠନ ସଂପୂର୍ଣ୍ଣ ସହଯୋଗ କରିବ ବୋଲି ସଂଗଠନର ସଭାପତି ବାଂଛାନିଧି ନାୟକ ଓ ଆବାହକ ଅଶୋକ ସାହୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.