jayashree

ଧଣ୍ଡାମୁଣ୍ଡା ଛକ ଦୁର୍ଘଟଣାରେ ଆହତ ମହିଳାଙ୍କ ମୃତ୍ୟୁ ଘଟଣା : ଗାଡି ମାଳିକ ଘର ସାମ୍ନାରେ ଶବ ରଖି ଆନ୍ଦୋଳନ

ଖପ୍ରାଖୋଲ, (ଜ୍ୟୋତିରଂଜନ ପଣ୍ଡା) : ଖପ୍ରାଖୋଲ ପାଟଣାଗଡ ରାସ୍ତା ଧଣ୍ଡାମୁଣ୍ଡା ଛକ ନିକଟରେ ଗୁରୁବାର ଟାଟା ସୋମୋ ଓ ମୋଟରସାଇକେଲ ମୁହାଁମୁହିଁ ଦୁର୍ଘଟଣାରେ ତିନି ଜଣ ମୋଟରସାଇକଲ ଆରୋହୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଗୁରୁବାର ରାତିରେ ହଂସା ଛୁରା(୬୦)ଙ୍କ ମୃତ୍ୟୁ ହୋଇଥିଲା । ଶୁକ୍ରବାର ମୃତ ଦେହ ବଲାଙ୍ଗିରରୁ ନିଜ ଗାଁ ଚଚରାଭଟାକୁ ନେବାବେଳେ କ୍ଷତି ପୁରଣ ଦାବୀରେ ବୈଜଲସାଗର ଗାଁର ଗାଡି ମାଲିକଙ୍କ ଘର ସାମ୍ନାରେ ଶବ ରଖି ସମ୍ପର୍କୀୟ ଆନ୍ଦୋଳନ କରିଥିଲେ । ଏ ନେଇ ଖପ୍ରାଖୋଲ ପୋଲିସ୍‌ ସୂଚନା ପାଇ ବୈଜଲସାଗର ଗାଁରେ ପହଂଚି ମୃତକ ପରିବାରକୁ ବୁଝାସୁଝା କରିବା ସହ ଆହତଙ୍କୁ ଚିକିତ୍ସା ଖର୍ଚ୍ଚ ଗାଡି ମାଳିକ ବହନ କରିବା ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା । ସୂଚନା ଅନୁସାରେ ଗୁରୁବାର ଚଚରାଭଟା ଗାଁର ଶ୍ୟାମ ସୁନା(୪୩) ନିଜ ମୋଟରସାଇକଲରେ ୨ ଜଣ ସମ୍ପର୍କୀୟ ମହିଳା ହଂସା ଛୁରା(୬୦) ଏବଂ ଲତା ଦୀପ(୪୦)ଙ୍କୁ ବସାଇ ପାଟଣାଗଡ ପଟୁ ଖପ୍ରାଖୋଲ ନିଜ ଗାଁକୁ ଫେରୁଥିଲେ । ଧଣ୍ଡାମୁଣ୍ଡା ଛକ ନିକଟରେ ଧଣ୍ଡାମୁଣ୍ଡା ପଟୁ ବୈଜଲସାଗରକୁ ଯାଉଥିବା ଟାଟାସୋମୋ ଗାଡି ନଂ.ଓଆର୧୫୦୫-୦୪୭୧ ସାମ୍ନା ପଟୁ ଆସୁଥିବା ମୋଟରସାଇକଲକୁ ଧକ୍କା ଦେଇଥିଲା । ଯାହା ଫଳରେ ମୋଟରସାଇକଲ ଆରୋହୀ ତିନି ଗୁରୁତର ହୋଇ ଥିବାବେଳେ ଗାଡି ଚାଳକ ଗାଡି ଛାଡି ଫେରାର ହୋଇଯାଇଥିଲା । ଖବର ପାଇ ପୋଲିସ୍‌ ଏବଂ ଅଗ୍ନିଶମ ବିଭାଗ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣାଗଡ ଏବଂ ପରେ ବଲାଙ୍ଗିର ପଠାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହଂସା ଛୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ଚିକିତ୍ସାଧୀନ ଅଛନ୍ତି । ଏ ନେଇ ଖପ୍ରାଖୋଲ ଥାନା କେସ୍‌ ନଂ.୧୯୬/୨୦ରେ ଏକ ମାମଲା ରୁଜୁ କରି ଟାଟାସୋମୋ ଓ ମୋଟରସାଇକଲ ଜବତ ହୋଇଥିବା ଥାନା ଆଇଆଇସି ଜ୍ୟୋତିରଂଜନ ପତି ପ୍ରକାଶ କରିବା ସହ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.