ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଡଃ ସରିତା ମଲ୍ଲ ସମ୍ବର୍ଦ୍ଧିତ
ରାଉରକେଲା, (ସସ୍ମିତା ପଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ତରଫରୁ ରେଲୱେ କଲୋନୀ ନିକଟସ୍ଥ ଶାନ୍ତି ଭବନ ଠାରେ ଅଧ୍ୟାପିକା ଡଃ ସରିତା ମଲ୍ଲଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଛି । ଷ୍ଟିଲ ସିଟିର ଉପଦେଷ୍ଟା ରୋଟାରୀଆନ ଡଃ ଅଞ୍ଜନା ମୈତ୍ର ସିହ୍ନାଙ୍କ ଆବାହକତ୍ୱ ଓ ସଭାପତି ରୋଟାରୀଆନ ଅର୍ଚ୍ଚନା ମହାନ୍ତିଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ପିଉ ଗୁହାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହମିରପୁର ସ୍ଥିତ କଲ୍ୟାଣୀ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସରିତା ମଲ୍ଲଙ୍କୁ ତାଙ୍କ ଡକ୍ଟରେଟ ଉପାଧି ପାଇଥିବା ଯୋଗୁଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ନୂଆଦିଲ୍ଲୀ ସ୍ଥିତ ସର୍ବପଲ୍ଲୀ ରାଧାକ୍ରିଷ୍ନନ ଟିଚର ଆସୋସିଏସନ୍ ତରଫରୁ ଡଃ ମଲ୍ଲଙ୍କ ନାମକୁ ସୁପାରିଶ କରାଯାଇଥିଲା । ଡଃ ମଲ୍ଲଙ୍କ ସମାଜସେବା, ଶିକ୍ଷା ପ୍ରତି ଅବଦାନ ଓ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଆମେରିକାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଡକ୍ଟରେଟ ଉପାଧି ପ୍ରଦାନ କରିଥିଲେ । ଜନଶିକ୍ଷଣ ସଂସ୍ଥାନ ମାଧ୍ୟମରେ ବହୁତ ଗୁଡିଏ ସଚେତନତା କାର୍ଯ୍ୟକ୍ରମ କରି ସାଧାରଣରେ ପ୍ରଶଂସା ଭାଜନ ହୋଇପାରିଛନ୍ତି । ସେହିପରି ଡଃ ମଲ୍ଲ ୨୦୦୯ରୁ ୨୦୧୧ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷା ବିଭାଗ ସିଲାବଶ କମିଟିର ସଦସ୍ୟ ଭାବେ ସେ ନିଜର ସ୍ୱକୀୟ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି । ଡଃ ମଲ୍ଲ ଡକ୍ଟରେଟ ପାଇବା ପରେ ଶାନ୍ତି ଭବନ ଠାରେ ଅନ୍ତେବାସୀଙ୍କ ସହ ଭାବ ବିନିମୟ କାର୍ଯ୍ୟକ୍ରମ ସହ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରୋଟାରୀଆନ ନୀଲମ ରତ୍ନାକର, ଟୁନି ଦେବୀ ସାହୁ, ଅସ୍ମିତା ମହାନ୍ତି, ବୀଣାପାଣି ରଥ, କଲ୍ୟାଣୀ ରାୟ ମହାବିଦ୍ୟାଳୟର ଅଧ୍ୟାପିକା ପ୍ରଣତୀ ଅଧିକାରୀ, ଅଧ୍ୟାପିକା ସୁଜାତା କିଣ୍ଡୋ, ଭାଗ୍ୟଶ୍ରୀ ବାରିକ, ଆୟୁସ୍ମିତା ସାହୁ, ରାଧାନାଥ ବିଶ୍ୱାଳ, ସଂଜୀବ ପଣ୍ଡା, ଡାକ୍ତର ଗୋପାଳ ଚନ୍ଦ୍ର ରାୟ, ବିଜୟ ରାୟ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଡଃ ମଲ୍ଲ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।