jayashree

ଆଜି ଆଲୋକର ଉତ୍ସବ ଦୀପାବଳୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆଲୋକର ଉତ୍ସବ ଦୀପାବଳୀ । ଭାରତର ସବୁଠାରୁ ଲୋକପ୍ରିୟ ପର୍ବ ହେଉଛି ଏହି ଦୀପାବଳୀ । କାର୍ତ୍ତିକ ଅମାବାସ୍ୟା ତିଥିରେ ପାଳିତ ହେଉଥିବା ଏହି ପର୍ବ ମୁଖ୍ୟତଃ ଇଂରାଜୀ ମାସର ଅକ୍ଟୋବର କିମ୍ବା ନଭେମ୍ବର ମାସରେ ପାଳିତ ହୋଇଥାଏ । ଧନ, ସମ୍ପତ୍ତି, ଐଶ୍ଚର୍ଯ୍ୟର ପର୍ବ ଏହି ଦୀପାବଳୀ ପାଇଁ ବଲାଙ୍ଗିର ଜିଲ୍ଲାର ସମସ୍ତ ଅଞ୍ଚଳ ଏବେ ଚଳଚଞ୍ଚଳ । ଦୋକାନୀମାନେ ଲାଗିପଡିଛନ୍ତି ଏହି ପର୍ବ ଉପଲକ୍ଷେ ସାଜସଜ୍ଜାରେ । ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନ୍ଧାର ଉପରେ ଆଲୋକର ବିଜୟ । ପଞ୍ଚ ଦିବସୀୟ ଏହି ପର୍ବରେ ଭଗବାନ ଗଣେଶ, ମା’ ଲକ୍ଷ୍ମୀ, ମା’ କାଳୀ, ଦେବତା କୁବେର, ମା’ ସରସ୍ୱତୀଙ୍କୁ ପୂଜା କରାଯାଏ । ଲୋକେ ନିଜ ନିଜ ଘରମାନଙ୍କୁ ଦୀପ, ମହମବତୀ, ରଙ୍ଗୋଲି, ରଙ୍ଗ ବେରଙ୍ଗର ଲିଚୁ ଲାଇଟ, କଦଳୀ ଗଛ, କଇଁଫୁଲ, ପଦ୍ମଫୁଲ ଇତ୍ୟାଦିକୁ ବ୍ୟବହାର କରି ସାଜସଜ୍ଜା କରି ନବବଧୂ ପରି ଘରକୁ ସଜାଇ ଦେଇଥାନ୍ତି ।

ଦୀପାବଳୀ ଉତ୍ସବ ଆମକୁ ଆମ ପରମ୍ପରା ସହ ଯୋଡି ରଖିବାର କାର୍ଯ୍ୟ ସମାପନ କରିଥାଏ । ପୌରାଣିକ ତଥ୍ୟ ଅନୁସାରେ ଅଯୋଧ୍ୟାର ରାଜା ଶ୍ରୀରାମଚନ୍ଦ୍ର ନିଜର ବନବାସ ସାରି ଅଧର୍ମ ଉପରେ ଧର୍ମର ବିଜୟ ସ୍ୱରୂପ ରାବଣକୁ ବଦ୍ଧ କରି ସୀତା ଓ ଲକ୍ଷ୍ମଣଙ୍କୁ ସଙ୍ଗରେ ଆଣି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ରାମଙ୍କ ପ୍ରତ୍ୟାବର୍ତ୍ତନ ଖୁସିରେ ସମସ୍ତ ଅଯୋଧ୍ୟାବାସୀ ନିଜ ଘରମାନଙ୍କରେ ଦୀପ ଜାଳି ଶ୍ରୀରାମଙ୍କୁ ସ୍ୱାଗତ ଜଣାଇଥିଲେ । ଆଉ ଗୋଟିଏ ମଧ୍ୟ ପୌରାଣିକ ତଥ୍ୟ ଅଛି ଯେ, ଏହି ଦିନ ଭଗବାନ ଶ୍ରୀକୃଷ୍ଣ ନର୍କାସୁର ରାକ୍ଷାସକୁ ବଦ୍ଧ କରିଥିଲେ ତେଣୁ ସେହି ଦିନଠାରୁ ସମସ୍ତେ ଖୁସି ମନରେ ଏହି ପର୍ବଟିକୁ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି ।

ଦୀପାବଳୀ ଅର୍ଥ ଦୀପମାନଙ୍କର ଆବଳୀ ଅର୍ଥାତ ଦୀପମାନଙ୍କର ସମାହାର । ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନ୍ଧାରକୁ ଦୂର କରି ଆଲୋକର ସଞ୍ଚାର କରିବା କିନ୍ତୁ ଦୀର୍ଘ ଦଶନ୍ଧି ଧରି ମଣିଷ ସମାଜ ଏହି ପର୍ବରେ ବାଣ ଫୁଟାଇ ଖୁସି ମନାଇଆସୁଛି । କିନ୍ତୁ ମଣିଷ ସମାଜ ଏହା ଭୁଲି ଯାଉଛି ଯେ, ବାଣ ଦ୍ୱାରା ଖାଲି ବାୟୁ ପ୍ରଦୂଷଣ ନୁହେଁ ଶବ୍ଦ ପ୍ରଦୂଷଣ ମଧ୍ୟ ହୋଇଥାଏ । ଯଦି ବିଶ୍ୱର କେତେକ ଶୀର୍ଷ ଦେଶକୁ ଆମେ ଅନୁଧ୍ୟାନ କରିବା ତା’ ହେଲେ ଜାଣିବାକୁ ପାଇବା ଯେ, ଅଧିକ ପ୍ରଦୂଷିତ ହୋଇଥିବା ସ୍ଥାନମାନଙ୍କ ମଧ୍ୟରେ ପ୍ରଥମ ୫ ଗୋଟି ସ୍ଥାନ ଆମ ଭାରତର ହିଁ ହେବ । ତା’ଛଡା ଏହି ବାଣ ପ୍ରଭାବରେ ଛୋଟ ଛୁଆ, ବୃଦ୍ଧ, ଜୀବଯନ୍ତୁ, ରୋଗୀ ଆଦି ବିଶେଷ ଭାବେ ପ୍ରଭାବିତ ହୋଇଥାନ୍ତି । ତେଣୁ କରି ଏହି ପର୍ବରେ କେବଳ ଦୀପ ଜାଳି ମଉଜ ମଜଲିସରେ ଖୁସି ମନରେ ଆମେ ଆନନ୍ଦର ସହ ଦୀପାବଳୀ ମନାଇବା ଉଚିତ୍‌ ଅଟେ ।

ବିଗତ ଦୁଇ ବର୍ଷ କରୋନା କଟକଣା ଯୋଗୁଁ ସମସ୍ତ ପର୍ବ ଫିକା ପଡି ଯାଇଥିଲା । କିନ୍ତୁ ଚଳିତ ବର୍ଷ କରୋନା କଟକଣା କୋହଳ ହୋଇଥିବାରୁ ଦୀପାବଳୀ ପାଇଁ ଲୋକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଉଦ୍ଦୀପନା ଦେଖା ଦେଉଛି ।

Leave A Reply

Your email address will not be published.