ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି କେନ୍ଦ୍ର ସରକାର ଧାନ ସମେତ ଅନ୍ୟ ୧୪ଟି ଖରିଫ ଫସଲର ନୂତନ ସର୍ବନିମ୍ନ ମୂଲ୍ୟ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଧାନର ସର୍ବନିମ୍ନ ମୂଲ୍ୟରେ କ୍ୱିଣ୍ଟାଲ ପିଛା ମାତ୍ର ୭୨ଟଙ୍କା ବୃଦ୍ଧି କରାଯାଇଛି । ଯାହା ଦ୍ୱାରା ଧାନର ମୂଲ୍ୟ ବର୍ତ୍ତମାନ କ୍ୱିଣ୍ଟାଲ ପିଛା ୧୯୪୦ ଟଙ୍କାରେ ପହଞ୍ଚିଛି । ଏହି ମୂଲ୍ୟ ବଦ୍ଧିକୁ ନେଇ ଓଡିଶା ବିଧାନ ସଭା କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ୨୦୧୪ ନିର୍ବାଚନରେ ଚାଷୀଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶୃତି ପ୍ରଧାନମନ୍ତ୍ରୀ ମୋଦୀ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି । ମୋଦୀ ସେସମୟରେ ଚାଷୀଙ୍କୁ କଥା ଦେଇଥିଲେ ଯେ, ଯଦି କେନ୍ଦ୍ରରେ ଭାରତୀୟ ଜନତା ଦଳର ସରକାର ଆସେ ତେବେ ଚାଷୀଙ୍କୁ ଅମଳ ଖର୍ଚ୍ଚର ଦେଢ ଗୁଣା ପର୍ଯ୍ୟନ୍ତ ସର୍ବନିମ୍ନ ସହାୟକ ମୂଲ୍ୟ ଯୋଗଇ ଦିଆଯିବ । କିନ୍ତୁ ଦୁଃଖର ବିଷୟ ଯେ, ଗତ ସାତ ବର୍ଷର ଶାସନ ପରେ ମଧ୍ୟ କେନ୍ଦ୍ରର ମୋଦୀ ସରକାର ଚାଷୀଙ୍କୁ ପ୍ରତି କ୍ୱିଣ୍ଟାଲ ଧାନ ଅମଳ ପାଇଁ ହେଉଥିବା ଖର୍ଚ୍ଚ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଭାବେ ଦେଇ ପାରୁ ନାହାନ୍ତି । ଗତ ବର୍ଷ ତୁଳନାରେ ଏବର୍ଷ ଧାନର ସର୍ବନିମ୍ନ ସହାୟତା ମୂଲ୍ୟରେ ମାତ୍ର ୭୨ ଟଙ୍କା ବଢାଇବା ଚାଷୀଙ୍କ ପାଇଁ କଟା ଘାରେ ଚୁନ ସଦୃଶ ଅଟେ । ଯଦି କେନ୍ଦ୍ର ସରକାର ଚାଷୀଙ୍କୁ ତାଙ୍କ ଉତ୍ପାଦିତ ଦ୍ରବ୍ୟର ସଠିକ ମୂଲ୍ୟ ଦେବାକୁ ଚାହୁଁଛନ୍ତି ତେବେ, ସ୍ୱାମିନାଥନ କମିଶନ କରିଥିବା ସୁପାରିଶ ଅଧାରରେ ଧାନର ସର୍ବନନିମ୍ନ ମୂଲ୍ୟ କେନ୍ଦ୍ର ସରକାର ଧାରଣ କରନ୍ତୁ ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଛନ୍ତି । ଯଦି ଏହା କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅସମର୍ଥ ତେବେ ତାଙ୍କୁ ଦେଶ ଦ୍ରୋହୀ କୁହାଯୀବ ବୋଲି ଶ୍ରୀ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।