jayashree

ଆୟୁଷ ଡାକ୍ତରଙ୍କୁ ଫେରାଇ ଆଣିବାର ଦାବୀ ଜଣାଇଲା ବଲାଙ୍ଗିର ଏକ୍ସନ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସ୍ଥିତି ଭୟାବହ ହେବାରୁ ବଲାଙ୍ଗିର ଜିଲ୍ଲାର ଅନେକ ଆୟୁଷ ଡାକ୍ତରମାନଙ୍କୁ ଡେପୁଟେସନ୍‌ରେ ଗଂଜାମ ଓ ରାୟଗଡ଼ା ଜିଲ୍ଲାକୁ ପ୍ରେରଣ କରାଯାଇଥିଲା । ବର୍ତ୍ତମାନ ସେହି ଜିଲ୍ଲାମାନଙ୍କରେ କରୋନା ସ୍ଥିତିରେ ସୁଧାର ଆସିଥିବା ପରିଲକ୍ଷିତ ହେଉଛି । କିନ୍ତୁ ଅନ୍ୟପଟେ ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଯଥାଶୀଘ୍ର ଡେପୁଟେସନ୍‌ରେ ଯାଇଥିବା ଆୟୁଷ ଡାକ୍ତରମାନଙ୍କୁ ବଲାଙ୍ଗିର ଜିଲ୍ଲାକୁ ଫେରାଇ ଆଣିବା ପାଇଁ ବଲାଙ୍ଗିର ଏକ୍ସନ କମିଟି ଦାବୀ କରିଛି । ଆଜି ପୂର୍ବାହ୍ନରେ ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ତେବେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି ଏହା ଗ୍ରହଣ କରିଥିଲେ । ଏହି ଦାବୀପତ୍ର ପ୍ରଦାନ ସମୟରେ ନାଗରିକ କମିଟିର ସଭାପତି ବିକ୍ରମ ବହିଦାର, ବାର୍‌ ଏସୋସିଏସନ୍‌ ସଭାପତି ପ୍ରମୋଦ ତ୍ରିପାଠୀ, ବରିଷ୍ଠ ନାଗରିକ କମିଟିର ସାଧାରଣ ସଂପାଦକ ପ୍ରଭାକର ମିଶ୍ର, ବଲାଙ୍ଗିର ଏକ୍ସନ କମିଟିର ଉପସଭାପତି ମୁନା ପଟ୍ଟନାୟକ, ୟୁଥ୍‌ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏ, ଆଇନଜୀବୀ ଭବାନୀ ଶତପଥୀ, ସନ୍ତୋଷ ସାହୁ, ଅଜୟ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.