ବାଳଗୋପାଳ ଓ ଆକାଶଙ୍କ ସହିତ ଫେରାର ୮ ଜଣଙ୍କ ତୁରନ୍ତ ଗିରଫ ଦାବୀ କଲା ଆଦିବାସୀ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଲେଭଟା ଗ୍ରାମ ସ୍ଥିତ ଗାଇଖାଇ ଛକରେ ପ୍ରାୟ ୬ ଜଣ ଭୂମିହୀନ ଆଦିବାସୀ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରି ରହୁଥିଲେ । ବାଳଗୋପାଳ ମିଶ୍ର ଓ ତାଙ୍କ ପୁଅ ଆକାଶ ମିଶ୍ରଙ୍କ ସହ ୮ ଜଣ ସଦଳେ ବଳେ ଯାଇ ଜେସିବି ଲଗାଇ ବାସଗୃହ ଭାଙ୍ଗିଦେବା ସହ ଧନସମ୍ପତ୍ତି ନଷ୍ଟ କରି ଦେଇଥିଲେ । ତେବେ ପୋଲିସ ଏଯାଏଁ କେବଳ ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଆକାଶ ମିଶ୍ର ଓ ସଂମ୍ପୃକ୍ତ ଅନ୍ୟ ୮ ଜଣ ଖୋଲା ବୁଲୁଛନ୍ତି । ସେମାନଙ୍କୁ ଶୀଘ୍ର ଗିରଫ କରାଯିବା ସହ ଅଂଛଳରେ ଆଦିବାସୀମାନଙ୍କୁ ଭୟଭୀତ କରୁଥିବା ବାଳଗୋପାଳ ମିଶ୍ରଙ୍କୁ ମଧ୍ୟ ତୁରନ୍ତ ଗିରଫ କରିବା ପାଇଁ ଆଜି ଜିଲ୍ଲା ଆଦିବାସୀ ସଂଘ ତରଫରୁ ସ୍ଥାନୀୟ ଆଦର୍ଶ ଥାନାରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଯଦି ପୋଲିସ ପ୍ରଶାସନ ଏହି ଘଟଣାରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବା ବୋଲି ସଭାପତି ବ୍ରଜକିଶୋର ସିଂଭୋଇ ଚେତାବନୀ ଦେଇଛନ୍ତି ।
ସୁଚନା ଯୋଗ୍ୟ ଯେ, ଉକ୍ତ ଆଦିବାସୀମାନେ ଭୂମିହୀନ ହୋଇଥିବାରୁ ଆଗଲପୁର ତହସିଲଦାର ଏମାନଙ୍କୁ ୪ ଡିସିମିଲ ଲେଖାଏଁ ଜମି ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬ଟି ଗୃହ ମଂଜୁର କରିଥିଲେ । କିନ୍ତୁ ଗତ ୧୧ ତାରିଖରେ ବାଳଗୋପାଳ ମିଶ୍ରଙ୍କ ପୁଅ ଆକାଶ ମିଶ୍ରଙ୍କ ନେତୃତ୍ୱରେ ସୁରେଶ ପଣ୍ଡା, ଦାମ ହୋତା, ଅରବିନ୍ଦ ଶତପଥି, ବିଜୟ ବେହେରା, ସର୍ବେ ମେହେର, ସୁଶୀଲ ଗୁରୁ, ପ୍ରଫୁଲ୍ଲ ସାହୁ, ମୋହନ ମୁଣ୍ଡା ଓ ସରପଞ୍ଚ ହେମକାନ୍ତି ମୁଣ୍ଡା ସଦଳେ ବଳେ ଜେସିବି ଲାଗାଇ ପ୍ରାୟ ୬ ବଖରା ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଫଳରେ ଏମାନଙ୍କ ଘର ଭାଙ୍ଗିଯିବା ସହ ଧନସମ୍ପତ୍ତି ନଷ୍ଟ ହୋଇ ଯାଇଥିଲା । ଅଭିଯୋଗ ହେଲା ପରେ ଅପରାଧୀମାନଙ୍କ ନାମରେ କେସ ନଂ ୨୩୮/୨୦୨୦ ରୁଜୁ କାରାଯାଇ ଭାରତୀୟ ପିଙ୍ଗଳ କୋର୍ଡ ଅନୁସାରେ ୨୯୪/୩୨୩/୩୫୪/୪୨୭/୫୦୬/୩୪ ଓ ଆଦିବାସୀ ନିର୍ଯ୍ୟାତନା ନିବାରଣ ଆଇନ ୨୦୧୫ ମାମଲା ରୁଜୁ ହୋଇଥିବା ବେଳେ ୬ ଟି ପାରିବାରର ବାସଗୃହ ଭାଙ୍ଗିବା ଓ ଧନସମ୍ପତ୍ତି ନଷ୍ଟ କରିବା ପାଇଁ କୌଣସି ଦଫା ଲଗାଯାଇ ନଥିବା ଅଭିଯୋଗ କରିଛି ଆଦିବାସୀ କଲ୍ୟାଣ ସଂଘ । ଅନ୍ୟପଟେ ପୋଲିସ ସରପଞ୍ଚ ହେମାକାନ୍ତି ମୁଣ୍ଡା ଓ ମୋହନ ମୁଣ୍ଡାଙ୍କୁ ଗିରଫ କରିଥିବା ସୂଚନା ରହିଛି । ତେବେ ଏହି ଦାବୀ ଜଣାଇବା ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏପିଆଇ.ର ରାଜ୍ୟ ସଭାପତି ଦିନେଶ ନାଗ, ବନଲତା ମାଝୀ, ଗିରିଧାରି ଭୋଇ, ସତ୍ୟନାରାୟଣ ଭୋଇ, ଅଜିତ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

thirteen − 11 =