ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ପକ୍ଷରୁ ଗାନ୍ଧୀ ଭବନରୁ ଗନ୍ଧରେଲ ପର୍ଯ୍ୟନ୍ତ ପରିବେଶ ସଚେତନତା ସାଇକେଲ ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁଲାଗି ଜଙ୍ଗଲ ସଂପଦ, ବନ୍ୟଜନ୍ତୁ, ସରୀସୃପ ଇତ୍ୟାଦି ପୋଡି ଯାଉଥିବା ବେଳେ ପରିବେଶ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି । ତେଣୁ ଏହାର ନିରାକରଣ ପାଇଁ ସମସ୍ତଙ୍କ ଦାୟୀତ୍ୱ ରହିଛି । କେବଳ ଜଙ୍ଗଲ ବିଭାଗ ନୁହେଁ ସମସ୍ତେ ଲୋକଙ୍କୁ ସଚେତନ ପାଇଁ ଆଗେଇ ଆସିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ପ୍ରକାଶ ପାଉଛି । ସେହିକ୍ରମରେ ବଲାଙ୍ଗିର ସହରର କେତେକ ସ୍ୱେଚ୍ଛାସେବୀ ଜଙ୍ଗଲ ନିଆଁକୁ ନେଇ ସଚେତନ କରିବାକୁ ଆଗେଇ ଆସିଛନ୍ତି । ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ଆରମ୍ଭ କରି ଲୋକଙ୍କୁ ସଚେତନ କରାଉଛନ୍ତି । ଆଜି ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ସ୍ମୃତିକୁ ଉଦ୍‌ଜୀବିତ କରିବାକୁ ବଲାଙ୍ଗିର ଗାନ୍ଧୀଭବନ ସମ୍ମୁଖରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଏକ ଶୋଭାଯାତ୍ରା ବାହାରି ନିଆଁର କରାଳରୂପ ବିଷୟରେ ଲୋକଙ୍କୁ ସଚେତନ କରାଇ ସଦେଇପାଲି ପଞ୍ଚାୟତର ଗନ୍ଧରେଲ ଗାଁରେ ପହଞ୍ଚିଥିଲା । ଗାନ୍ଧୀ ଭବନଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ କରିବା ପରେ ସାଇକେଲ ଶୋଭାଯାତ୍ରାକୁ ପ୍ରଫେସର ମଧୁସୁଦନ ପତି ସବୁଜ ପତାକାଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରଫେସର ଯୁବକମାନଙ୍କୁ ଉତ୍ସାହିତ କରିବାକୁ ଯାଇ କହିଲେ ଯେ, କେବଳ ଜଙ୍ଗଲ ନିଆଁ ନୁହେଁ ବଲାଙ୍ଗିରର ଯୁବକମାନଙ୍କ ଏଭଳି ଉତ୍ସାହ ଓ ସ୍ୱେଚ୍ଛାକୃତ ସେବା ମନୋଭାବ ଆହୁରି ଅନେକ ସମସ୍ୟାକୁ ସମାଧାନ କରିପାରିବ । ଆଜିର ଏହି ସଚେତନତା ଶୋଭାଯାତ୍ରା ନିହାତି ଅନ୍ୟମାନଙ୍କ ପ୍ରେରଣ ଯୋଗାଇବ ଓ ସୁଦୂର ପ୍ରସାରୀ ହେବ ବୋଲି ସେ ମତପ୍ରକାଶ କରିଥିଲେ । ଶୋଭାଯାତ୍ରା ଭାଗରଥି ଛକ,କଚେରୀ ଛକ,କଲେଜ ଛକ,ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଚଟିଆପାଲି ଦେଇ ଗନ୍ଧରେଲ ଗାଁରେ ପହଞ୍ଚିଥିଲା । ଏଥିରେ ବଲାଙ୍ଗିର ଡିଏଫଓ ସମୀରକୁମାର ଶତପଥି, ହେମନ୍ତ ପଣ୍ଡା, ଡିଏଫଏଫର ଆବାହକ କୁଳମଣୀ ସାହୁ, ସୁନିଲ ମହାନ୍ତି, ମାହେଶ୍ୱରୀ ସଂଗଠନର ସଭାପତି ଅଙ୍କୁଶ ପାଣ୍ଡିଆ, ଯୁବଏକ୍ସନ କମିଟିର ସଭାପତି ବିନୋଦ କାଲସାଏ, ସାମ୍ବାଦିକ ସୁଧିର ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବୀରେନ୍ଦ୍ର ଝାଙ୍କର, କରଙ୍ଗକଟା ବଚାଓ ଆନ୍ଦୋଳନର ଆବାହକ ପ୍ରଶାନ୍ତ ମହାକୁର ପ୍ରମୁଖଙ୍କ ନେତୃତ୍ୱରେ ଯୁବକମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଗନ୍ଧରେଲ ଗାଁରେ ସୂଚନା ଅଧିକାର କର୍ମି ହେମନ୍ତକୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା କରାଯାଇଥିଲା । ବଲାଙ୍ଗୀର ଡିଏଫଓ ସମୀରକୁମାର ଶତପଥି ଏଠାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଲୋକେ ସଚେତନ ହେଲେ ଜଙ୍ଗଲ ରହିବ ଓ ଜଙ୍ଗଲ ରହିଲେ ପରିବେଶ ସୁରକ୍ଷିତ ରହିବ । ତେଣୁ ସମସ୍ତେ ମିଳିତ ଭାବରେ ପ୍ରୟାସ କଲେ ଜଙ୍ଗଲ ସୁରକ୍ଷାରେ ସହାୟକ ହେବା ସହିତ ଲୋକଙ୍କର ଜୀବନ ଜୀବିକା ମଧ୍ୟ ସୁରକ୍ଷିତ ହେବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ ବଲାଙ୍ଗୀର ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଯୋଗଦେଇ ଫୁଲଝରନରେ ଗତବର୍ଷ ଲୋକଙ୍କ ଉଦ୍ୟମ ଫଳରେ ନିକଟସ୍ଥ କୌଣସି ଜଙ୍ଗଲରେ ନିଆଁ ଲାଗିନଥିଲା । ତେଣୁ ତାଙ୍କୁ ଉତ୍ସାହିତ କରିବାକୁ ଘୋଷିତ ହୋଇଥିବା ଅର୍ଥରାଶି ପ୍ରଦାନ କରିବାକୁ କହିଥିଲେ । ଏହି ପ୍ରସ୍ତାବରେ ଡିଏଫଓ ଶ୍ରୀ ଶତପଥି ସହମତି ପ୍ରକାଶ କରିଥିଲେ । ଗନ୍ଧରେଲ ଗାଁର ଜଙ୍ଗଲ ସୁରକ୍ଷା କମିଟିର ସଭାପତି ମନୋରଂଜନ ସାଏ ଜଙ୍ଗଲ କମିଟିର ସମସ୍ୟା ବିଷୟରେ କହିବା ସହିତ ଜଙ୍ଗଲରେ କିଭଳି ନିଆଁ ନଲାଗିବ ସେନେଇ ପଦକ୍ଷେପ ନିଆଯାଉଥିବା ବିଷୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରୀକ ଗୋପଭୂଷଣ ନାଥ, ବଲାଙ୍ଗିର ଜିଲ୍ଲା ଜଙ୍ଗଲ ଫୋରମର ଆବାହକ କୁଳମଣୀ ସାହୁ, ବରିଷ୍ଠ ସାମ୍ବାଦିକ ସୁଧିର ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବୀରେନ୍ଦ୍ର ଝାଙ୍କର, ଯୁବଏକ୍ସନ କମିଟିର ସଭାପତି ବିନୋଦ କାଲସାଏ, ସନ୍ତୋଷ ସାହୁ ପ୍ରମୁଖ ଜଙ୍ଗଲ ସୁରକ୍ଷା ଉପରେ ବକ୍ତବ୍ୟ ଖିଥିଲେ । ଏହି ଅବସରରେ ବିନୋଦ କାଲସାଏ ଓ ପ୍ରଶାନ୍ତକୁମାର ମହାକୁର ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଜଙ୍ଗଲ ସୁରକ୍ଷା ନେଇ ଶପଥପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଗନ୍ଧରେଲ ଗ୍ରାମର ଗ୍ରାମବାସୀ, ଜଙ୍ଗଲ ବିଭାଗର ଫରେଷ୍ଟର ବ୍ୟାସଦେବ ସାହୁ, ଫରେଷ୍ଟ ଗାର୍ଡଗଣ ଯୋଗଦେଇଥିଲେ । ଶୋଭାଯାତ୍ରାର ଉଦଘାଟନୀରେ ରେଡକ୍ରସର ଶିକ୍ଷକ ରାମନାରାୟଣ ଦାସ ସହଯୋଗ କରିଥିବା ବେଳେ ଗନ୍ଧରେଲ ସଭାସ୍ଥଳରେ କବି ଅର୍ଜୁନକୁମାର ସାହୁ ଏକ ପରିବେଶ ସଚେତନାତା ଧର୍ମୀ କବିତା ପାଠ କରିଥିଲେ । ଶେଷରେ ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନର ଆବାହକ ସୁନୀଲ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.