ହ୍ୟୁମାନ୍‌ଙ୍କ ଫ୍ୟାନ କୋରୋନା ଯୋଦ୍ଧା

ଟିଟିଲାଗଡ, (ଗୌରବ ଦରଜୀ) : ଟିଟିଲାଗଡରେ ଅନେକ କୋରୋନା ଯୋଦ୍ଧା ଅଛନ୍ତି । ଡାକ୍ତର, ନର୍ସ, ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀ, ସାମ୍ବାଦିକ ଆଦି । କୋରୋନା ମହାମାରୀ ପାଇଁ ଅନେକ ବ୍ୟକ୍ତି ତାଙ୍କ ଘରଠୁ ଦୂରରେ ରହୁଛନ୍ତି । ସେହିପରି ଘରଠୁ ବହୁ ଦୂରରେ ଅଛନ୍ତି ପୂରଞ୍ଜୟ କୁମାର । ଟିଟିଲାଗଡ ବ୍ଲକ୍ ଅନ୍ତର୍ଗତ ଦୋର୍ଲୋ ନିକଟସ୍ଥ ସାନପତ୍ରାପଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ପୁରଞ୍ଜୟ କୁମାର ରାୟପୁରରେ ଥିବା ଏମ୍ସରେ କାର୍ୟ୍ୟରତ ଅଛନ୍ତି । ସେ କୋରୋନା ମହାମାରୀ ପାଇଁ କାର୍ୟ୍ୟରେ ବ୍ୟସ୍ତ ହୋଇ ଯାଇଥିଲେ, ଯେଉଁଥି ପାଇଁ ପ୍ରାୟ ଛଅ ମାସ ପରେ ଘରକୁ ଫେରିଥିଲେ ମାତ୍ର ଦୁଇ ଦିନ ପାଇଁ । ସେ ଏମ୍ସରେ କୋରୋନା ରୋଗୀଙ୍କ ଯତ୍ନ ନିଅନ୍ତି । ଦିନକୁ ପ୍ରାୟ ଦଶ ଘଣ୍ଟା ତାଙ୍କ କର୍ତ୍ତବ୍ୟରେ ବିମୋହିତ ହୋଇଯାନ୍ତି । ସେ କହନ୍ତି ଟିଟିଲାଗଡରେ ଜନ୍ମିତ ଓଡ଼ିଆ ଗାୟକ ହ୍ୟୁମାନ ସାଗରଙ୍କ ଠୁ ଅନୁପ୍ରାଣିତ ହୋଇଛନ୍ତି । ସେ ଥରେ ଏକ ସାକ୍ଷାତକାରରେ ଜାଣିବାକୁ ପାଇଥିଲେ ହ୍ୟୁମାନ ସାଗର ଥରେ ସ୍ୱପ୍ନ ଦେଖିଥିଲେ ଚିକିତ୍ସା କ୍ଷେତ୍ରରେ ଭବିଷ୍ୟତ ଗଢ଼ିବାକୁ । ତେଣୁ ପୁରଞ୍ଜୟ ତାଙ୍କ ପ୍ରିୟ ଗାୟକର ସ୍ୱପ୍ନକୁ ନିଜ ସ୍ୱପ୍ନ ମାନି ନେଇ ଚିକିତ୍ସା କ୍ଷେତ୍ରରେ ଭବିଷ୍ୟତ ଗଢ଼ିବାକୁ ଲାଗିଲେ । ପୁରଂଜୟ ତାଙ୍କ କୃତିତ୍ୱର ସବୁ ଶ୍ରେୟ ହ୍ୟୁମାନ ସାଗରଙ୍କୁ ଜଣାଇଛନ୍ତି । ଆଜି ସେ ଏମ୍ସର ଫାର୍ମାସୀ ବିଭାଗରେ କାର୍ୟ୍ୟରତ । ସେ ରାୟପୁରରେ ବଢୁଥିବା କୋରୋନାର ଭୟାବହ ପରିସ୍ଥିତିକୁ ପାଖରୁ ଦେଖିଛନ୍ତି । ତେଣୁ ନିଜ ଗ୍ରାମବାସୀ ତଥା ଟିଟିଲାଗଡ ସହରର ସମସ୍ତ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଚେଷ୍ଟା କରିଛନ୍ତି । କିପରି ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା, ହାତକୁ ସାନିଟାଇଜ୍ କରିବା , ବିନା ଜରୁରୀ କାମରେ ଘରୁ ନ ବାହାରିବା ଆଦି ବିଷୟରେ ଲୋକଙ୍କୁ ବୁଝାଇଛନ୍ତି । କୋରୋନା ଯୋଦ୍ଧା ଭାବରେ ସେ ରାୟପୁରର ପୋଲିସ ଡିଜିଙ୍କ ଠୁ ମଧ୍ୟ ପୁରସ୍କୃତ ହୋଇ ସାରିଛନ୍ତି । ସେ ତାଙ୍କ ଗାଁକୁ ଆସିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉଲ୍ଲାସ ଖେଳି ଯାଇଛି । ଗ୍ରାମବାସୀ ତାଙ୍କୁ କୋରୋନା ଯୋଦ୍ଧା ସମ୍ମାନ ଜଣାଇ ସ୍ୱାଗତ କରିଥିଲେ।

Leave A Reply

Your email address will not be published.