ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଳା ପାଇକମାଲ ଜଙ୍ଗଲ ବିଭାଗର ବିଚିତ୍ର ନୀତି ଦେଖିବାକୁ ମିଳିଛି । ଚୋରକୁ ଚୋରା ସାମଗ୍ରୀ ଟେକିଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ର ସରକାରଙ୍କ କାମ୍ଫା ଯୋଜନାରେ ପାଇକମାଲ ଜଙ୍ଗଲ ବିଭାଗ ରେଞ୍ଜକୁ ବୃକ୍ଷ ରୋପଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିବା ବେଳେ ‘ଖଟିଲି ଖିଆ’ ନୀତିରେ ଗଛ ବଞ୍ଚିବା ସାତ ସପନ ବୋଲି କୁହାଯାଇଛି । ସେଥିରେ ଜଙ୍ଗଲ ଭିତରେ ଥିବା ଗଛକୁ କାଟି ଜଙ୍ଗଲ ବିଭାଗ ବେପାର କରିବାରେ ମସଗୁଲ ଅଛି ବୋଲି ଏଠାରେ ଆଲୋଚନା ହେଉଛି । ସୂଚନା ଅନୁସାରେ ମଦନ ସତନାମୀ ଜଣେ ଭୂମିହୀନ, ଦଳିତ ପରିବାରର । ଗତ ୪୦ ବର୍ଷ ଧରି ପାଇକମାଲ ରେଞ୍ଜ ଅନ୍ତର୍ଗତ ଜଗଦଲପୁର ଥାନା ଜଟେଶିରା ଗ୍ରାମରେ ୨ ଏକର ଜମି ଦଖଲ କରି ଚାଷ କରୁଛନ୍ତି । ଶ୍ରୀ ସତନାମୀ ଉକ୍ତ ଜମିର ତହସିଲ ଅଫିସରେ ଜରିମାନା ଦେବା ସହ ନିଜ ନାମରେ ଉକ୍ତ ଜମିର ପଟା ପାଇଁ ଆବେଦନ ମଧ୍ୟ କରିଛନ୍ତି । ଗତ କିଛିଦିନ ତଳେ ଲଉଡିଦର୍ହାରା ଗ୍ରାମ ପଞ୍ଚାୟତ ସରପଞ୍ଚ ବଳରାମ ଖମାରୀ ଉକ୍ତ ଜମିରୁ ଜୋର୍ ଜବରଦସ୍ତ ମହୁଲ, ଶାଳ, ପିଆଶାଳ, ବଡ ବଡ ୧୦ଟି ଗଛ କାଟି ଦେଇଥିଲେ । ଆଗରୁ ମଧ୍ୟ ସେହି ଜମିରୁ ୪୫ଟି ମୂଲ୍ୟବାନ ଗଛ କାଟି ନେଇଥିଲେ । ୪୦ ବର୍ଷ ଧରି ଜମି ଦଖଲ କରୁଥିବା ଶ୍ରୀ ସତନାମୀ ଝାରବନ୍ଧ ଫରେଷ୍ଟରଙ୍କ ଠାରେ ଏ ବିଷୟରେ ଲିଖିତ ଅଭିଯୋଗ କରିଥିଲେ । ପାଇକମାଲ ରେଞ୍ଜରଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଓ ଜଙ୍ଗଲ ବିଭାଗର ଅନ୍ୟ ଅଧିକାରୀ ମାନେ ଜଟେଶିରା ଗାଁକୁ ଯାଇ କଟା ଯାଇଥିବା ଗଛ ଜବତ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଜବତ ଗଛକୁ ସରପଞ୍ଚ ବଲରାମ ଖମାରୀଙ୍ଙ୍କୁ ହସ୍ତାନ୍ତର କରି କେଶକୁ ରଫାଦଫା କରି ଦେଇଥିବା ବେଳେ ଶ୍ରୀ ସତନାମୀ ବରଗଡ ଡିଏଫଓ ଓ ଓଡ଼ିଶା ସରକାରଙ୍କ ୫ଟି ସଚିବଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।
Prev Post
Next Post