ବିଦ୍ୟୁତ ସେବାରୁ ବଂଚିତ ତିନୋଟି ପଞ୍ଚାୟତ ଲୋକେ ଘେରିଲେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟୁତ ସେବାରୁ ବଂଚିତ ହୋଇଥିବା ତିନୋଟି ପଞ୍ଚାୟତର ଲୋକେ ଆଜି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସୁକତେଲ ଜଳ ଭଣ୍ଡାରରେ ୧୧ କେଭି ବିଦ୍ୟୁତ ଖୁଣ୍ଟ ବୁଡି ଅନ୍ଧାରରେ ରହିଥିବା ତିନୋଟି ପଞ୍ଚାୟତର ଜନସାଧାରଣ ତୁରନ୍ତ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଦାବୀ କରି ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ପାଖାପାଖି ଏକ ସପ୍ତାହ ହେଲା ଲୋୟର ସୁକତେଲ ଜଳ ପ୍ରକଳ୍ପର ଉପରମୁଣ୍ଡରେ ଥିବା ରେଙ୍ଗାଲି, ରତାଖଣ୍ଡି ଓ ପାଣ୍ଡେପାଲି ଗ୍ରାମ ପଞ୍ଚାୟତର ସମୁଦାୟ ୧୨ ଖଣ୍ଡ ଗାଁ ବିଜୁଳି ସେବାରୁ ବଂଚିତ ହୋଇ ରହିଥିବା ବେଳେ ଲୋକେ ନାହିିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଅନୁସାରେ ସଂପୃକ୍ତ ଅଂଚଳଗୁଡିକୁ ଚୁଡାପାଲି ସେକ୍ସନରୁ ବିଦ୍ୟୁତ ଯୋଗାଣ ହେଉଥିବା ବେଳେ ବୁଡ଼ି ଅଞ୍ଚଳ ଦେଇ ଏହି ବିଦ୍ୟୁତ୍ ସେବା ଉକ୍ତ ଅଞ୍ଚଳକୁ ଯାଉଥିବା ହେତୁ ସୁକତେଲ ଜଳ ଭଣ୍ଡାରରେ ଜଳସ୍ତର ବଢିଯିବାରୁ ବିଦ୍ୟୁତ ଖୁଣ୍ଟଗୁଡିକ ତାର ସହିତ ବୁଡିଯାଇଛି । ଯଦ୍ୱାରା ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଛି । ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଏହି ଅଞ୍ଚଳ ଦୀର୍ଘ ସମୟ ହେଲା ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏପରି ସମ୍ଭାବନାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାସିନ୍ଦା ବିଗତ ଦିନରେ ଲୋଇସିଂହାଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅନୁରୋଧ କରି ବିକଳ୍ପ ବ୍ୟବସ୍ଥା କରିବାକୁ ଗୁହାରି କରିଥିବା ମଧ୍ୟ ଲୋକେ କହିଛନ୍ତି । ତେବେ ତୁରନ୍ତ ବିଦ୍ୟୁତ ସେବା ଯୋଗାଇ ନଦେଲେ ଆଗକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ବଲାଙ୍ଗିର ଗସ୍ତ ସମୟରେ ହଜାର ହଜାର ପୁରୁଷ ମହିଳା ପିଲା ଛୁଆ ଧରି ବଲାଙ୍ଗିରରେ ଆନ୍ଦୋଳନ କରିବେ ବୋଲି ପ୍ରଶାସନକୁ ଖୋଲା ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.