ବ୍ରାହ୍ମଣୀ ଗାଁରେ ବିଦ୍ୟୁତ ସଂଯୋଗ ପାଇଁ ଟଙ୍କା ଆଦାୟ ଅଭିଯୋଗ

ଖପ୍ରାଖୋଲ, (ଜ୍ୟୋତିରଂଜନ ପଣ୍ଡା) : ସରକାର ସମସ୍ତଙ୍କ ଘରକୁ ବିଦ୍ୟୁତ ସଂଯୋଗ ପାଇଁ ଘୋଷଣା କରିଥିବା ବେଳେ ଦୀନଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ମାଗଣା ବିଦ୍ୟୁତ ସଂଯୋଗ କରାଯାଉଛି । ଏହି ଯୋଜନା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଥିବା ବେଳେ ସବୁ ଗାଁକୁ ଏପରିକି ସବୁ ଘରକୁ ବିଦ୍ୟୁତ ସଂଯୋଗ କରାଯାଉଛି । ହେଲେ ବିଦ୍ୟୁତ ସଂଯୋଗ ନାଁରେ ନିରୀହ ସରଳ ଗ୍ରାମବାସୀଙ୍କ ଠାରୁ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହେଉଛି । ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ ପାଦ ଦେଶରେ ଥିବା ଭାନପୁର ପଂଚାୟତ ବ୍ରାହ୍ମଣୀ ଗାଁରେ ବିଦ୍ୟୁତ ସଂଯୋଗ ବେଳେ ସଂଯୋଗ ପାଇଁ ଆସିଥିବା କର୍ମଚାରୀମାନେ ଘର ପ୍ରତି ୫ ଶହ ଟଙ୍କା ଲେଖାଏଁ ଆଦାୟ କରିଥିବା ବେଳେ ସଂଯୋଗର ୬ ମାସ ପରେ ବି ଅନେକଙ୍କ ଘରକୁ ଏ ଯାଏଁ ବିଦ୍ୟୁତ ସଂଯୋଗ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି । ଗାଁର କୁନ୍ତି ଭୁଏ, କଳାବତୀ କୁଅଁର, ସପୁର ବରିହା, କଏଁରୀ ଭୁଏ ପ୍ରମୁଖ ଅଭିଯୋଗ କରିଛନ୍ତି । ଉପାନ୍ତ ଗାଁ ହୋଇଥିବାରୁ କେତେକ ଅସାଧୁ କର୍ମଚାରୀ ଏଭଳି ନିରୀହ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିବାବେଳେ ପାଖ ଗାଁମାନଙ୍କରେ ମଧ୍ୟ ଟଙ୍କା ଆଦାୟ ହୋଇଥିବା ଜଣାଯାଇଛି । ଏ ନେଇ ଖପ୍ରାଖୋଲ ବିଦ୍ୟୁତ ବିଭାଗ ସେକସନ୍‌ ଅଫିସର ପବିତ୍ର ମୋହନ ପଧାନଙ୍କୁ ପଚାରିବାରୁ ବିଦ୍ୟୁତ ସଂଯୋଗ କାମ ଠିକାଦାର କରାଉଥିବାରୁ ଏବଂ ସଂଯୋଗ ପରେ ତାଙ୍କ ଦାୟିତ୍ୱ ଆସିଥାଏ । ଟଙ୍କା ଆଦାୟ ସଂମ୍ପର୍କରେ ମୋ ପାଖରେ ସୂଚନା ନାହିଁ, ଅନୁସନ୍ଧାନ ପରେ କ’ଣ ହୋଇଛି ଜଣାପଡିବ ଏବଂ ଅଭିଯୋଗ ସତ ହୋଇଥିଲେ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.