om academy

ବଲାଙ୍ଗିର ଭାଜପାରେ ବିଭେଦ : ସଂଯୁକ୍ତ ମୋର୍ଚ୍ଚା ବୈଠକ ନାମରେ ରାଜାରାଣୀଙ୍କ ବିରୁଦ୍ଧରେ ପ୍ରଜାମେଳି, ପୁରୁଣା କାର୍ଯ୍ୟକର୍ତ୍ତା ସାମିଲ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ରାଜନୀତିର ଭାଜପା ଦଳରେ ବଲାଙ୍ଗିର ରାଜାରାଣୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । କିନ୍ତୁ ଭାଜପା ନେତ୍ରୀ ତଥା ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ବ୍ୟବହାରରେ ଅନେକ ଭାଜପା କର୍ମୀ ଅତିଷ୍ଠ ହୋଇପଡିଥିବା ଲକ୍ଷ୍ୟ କରାଯାଉଛି । ଶେଷରେ ଭାଜପାରେ ବିଭେଦ ଆରମ୍ଭ ହୋଇଯାଇଛି । ଦଳରେ ଗୋଷ୍ଠୀ କନ୍ଦଳ ଜଳଜଳ ଦେଖାଯାଉଛି । ରବିବାର ଦିନ ବଲାଙ୍ଗିର ଶାନ୍ତିପଡା କଲ୍ୟାଣ ମଣ୍ଡପଠାରେ ବଲାଙ୍ଗିର ବିଧାନସଭା କ୍ଷେତ୍ରର ସଂଯୁକ୍ତ ମୋର୍ଚ୍ଚାର ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ୨୦୧୯ ସାଧାରଣ ନିର୍ବାଚନରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ଭାଜପା ଦଳର ବିଧାୟକ ପ୍ରାର୍ଥୀ ହୋଇଥିବା ଅନନ୍ତ ଦାସଙ୍କ ସଭାପତିତ୍ୱରେ ବୈଠକ ହୋଇଥିବା ବେଳେ ସଂସଦୀୟ କ୍ଷେତ୍ରରେ ସଂଗଠନ ବଢାଉଥିବା ବଳରାମ ସିଂଯାଦବ(ବଲ୍ଲୁ ଭାଇ) ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସବୁଠ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ବଲାଙ୍ଗିରର କାର୍ଯ୍ୟକ୍ରମକୁ ଆସିଲେ ହାତ ଗଣତି କିଛି କର୍ମୀଙ୍କୁ ଛାଡିଦେଲେ ଆଉ କେହି ଯୋଗ ଦେଉ ନାହାଁନ୍ତି । କିନ୍ତୁ ରବିବାର ହୋଇଥିବା ଏହି ବୈଠକରେ ୩୦୦ରୁ ଅଧିକ କର୍ମୀ ଓ ୧ ନେତା ଯୋଗଦେଇଥିଲେ । ଆହୁରି ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ସଂଯୁକ୍ତମୋର୍ଚ୍ଚା ବୈଠକରେ ଲାଗିଥିବା ବ୍ୟାନରରେ ଭାଜପା ନେତା କନକବର୍ଦ୍ଧନ ସିଂହଦେଓ କିମ୍ବା ସଂଗୀତା କୁମାରୀ ସିଂହଦେଓଙ୍କ ଫଟୋ ମଧ୍ୟ ନଥିଲା । ରାଜ୍ୟସ୍ତରର ସମସ୍ତ ନେତାଙ୍କ ଫଟୋ ଏହି ବ୍ୟାନରରେ ଥିବା ବେଳେ ରାଜାରାଣୀଙ୍କ ଫଟୋ ନଥିବାରୁ ଏହା ଆଲୋଚନାର ବିଷୟ ଥିଲା । ବଳରାମ ସିଂଯାଦବ (ବଲ୍ଲୁ ଭାଇ)ଙ୍କ ସମେତ ପ୍ରାୟ ସମସ୍ତନେତା ମୋଦୀ ସରକାର କରିଥିବା ଜନହିତକାରୀ ଯୋଜନା ବିଷୟରେ ଆଲୋଚନା କରି ଏହା ଲୋକଙ୍କ ପାଖକୁ ପହଞ୍ଚାଇବାକୁ ସଂକଳ୍ପ ନେଇଥିବା ବେଳେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ କାର୍ଯ୍ୟକଳାପକୁ ତୀବ୍ର ନିନ୍ଦା କରିଥିଲେ । ପ୍ରକାଶ୍ୟ ଯେ,ବଲାଙ୍ଗିର ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଲୋଇସିଂହାରେ କେବଳ ଡ.ମୁକେଶ ମହାଲିଙ୍ଗ ଭାଜପା ଦଳରୁ ବିଧାୟକ ରହିଛନ୍ତି । କିନ୍ତୁ ମୁକେଶ ମହାଲିଙ୍ଗଙ୍କ ସାଙ୍ଗରେ ମଧ୍ୟ ସାଂସଦ ଶ୍ରୀମତୀ ସିଂହଦେଓଙ୍କର ଭଲ ସମ୍ପର୍କ ନାହିଁ । ବୈଠକରେ ଅତିଥି ଭାବରେ ଯୋଗ ଦେଇଥିବା ସୋନପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ବିଧାନଚନ୍ଦ୍ର ପାଣିଗ୍ରାହୀ ମଧ୍ୟ କନକ ଓ ସଂଗୀତାଙ୍କୁ ଟାର୍ଗେଟ କରି ଉଭୟେ କେବଳ ପାଟଣାଗଡ ରାଜନୀତିରେ ସୀମିତ ରହି ଅନ୍ୟ ନିର୍ବାଚନ ମଣ୍ଡଳୀର ସଂଗଠନକୁ ଭୁଷୁଡାଇ ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ । କନକ ଓ ସଂଗୀତାଙ୍କ ସ୍ୱାର୍ଥପରତା କାରଣରୁ ଅନେକ କର୍ମୀ ଓ ନେତା ଭାଜପା ଦଳକୁ ମୁହଁ ମୋଡୁଛନ୍ତି ବୋଲି ମଧ୍ୟ କହିଥିଲେ । ଅନନ୍ତ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ରାଜ୍ୟ କାର୍ଯ୍ୟକାରିଣୀର ନିର୍ଦ୍ଦେଶରେ ଆଜିର ଏହି ବୈଠକ ହୋଇଛି ଓ ବଲାଙ୍ଗିର ବିଧାନସଭା କ୍ଷେତ୍ରର ସବୁ ମଣ୍ଡଳ ସଭାପତି ଓ ମୋର୍ଚ୍ଚା ସଭାପତିମାନେ ଯୋଗଦେଇଛନ୍ତି । ଆଗାମୀ ଦିନରେ ରାଜ୍ୟରେ ଥିବା ବିଜୁ ଜନତାଦଳର ସରକାରଙ୍କ ଦୁର୍ନୀତିଗ୍ରସ୍ତ କାମକୁ ପ୍ରତିବାଦ କରିବା ଓ ଭାଜପାଦଳର ସଂଗଠନକୁ ସୃଦୃଢ କରାଯିବା ଉପରେ ସେ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ସଭାରେ ସୋନପୁରର ବିଧାନଚନ୍ଦ୍ର ପାଣିଗ୍ରାହୀ, ବଲାଙ୍ଗିର ଜିଲ୍ଲାର ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ଅନୀଳ ପାଣିଗ୍ରାହୀ, ଦେଓଗାଁ ମଣ୍ଡଳ ସଭାପତି ଗଣେଶ ବାଗ, କୁଡାସିଂହା ମଣ୍ଡଳ ସଭାପତି ଉଗ୍ରସେନ ପାତ୍ର, ଚୁଡାପାଲି ମଣ୍ଡଳ ସଭାପତି ଗୁଣନିଧି ପଟେଲ, ବନ୍ଧପଡା ମଣ୍ଡଳ ସଭାପତି ଅଶୋକ ସାହୁ, ସାଧାରଣ ସଂପାଦକ ଗୋପିନାଥ କ୍ଷେତି, ସନ୍ଧ୍ୟାରାଣୀ ସାଏ, ମାଧବୀ ସୁନା, ସମରେଶ ମିଶ୍ର, ସର୍ଜନ ରାଉତ, ଜୟକୃଷ୍ଣ ସାହୁ, ତରୁଲତା ରଣା, ଅଭି ରଣା, ସୁନୀଳ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଏହା ସହିତ ସୋନପୁର ଜିଲ୍ଲାର ମଧ୍ୟ କିଛି ବରିଷ୍ଠ କାର୍ଯ୍ୟକର୍ତ୍ତା ଏହି ବୈଠକରେ ସାମିଲ ଥିଲେ । ପ୍ରକାଶ୍ୟ ଯେ, ଉତ୍ତରପ୍ରଦେଶର ମୂଳ ନୀବାସୀ ବଳରାମସିଂ ଯାଦବ(ବଲ୍ଲୁ ଭାଇ) ବଲାଙ୍ଗିର ଜିଲ୍ଲାରେ ଓବିସି ବିକାଶ ପରିଷଦ ଗଠନ କରି ପଛୁଆବର୍ଗଙ୍କ ପାଇଁ ଲଢେଇ କରୁଛନ୍ତି । ବଲାଙ୍ଗିର -ପାଟଣାଗଡ ରୋଡରେ ସଦର ବ୍ଲକ ଅନ୍ତର୍ଗତ ଝାଙ୍କରପାଲିଠାରେ ଘର ଓ ଅଫିସ କରି ଲୋକଙ୍କୁ ଭାଜପା ସପକ୍ଷରେ ସଂଗଠିତ କରୁଛନ୍ତି । ସେ ଗତବର୍ଷ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଭାଜପା ଦଳରେ ଯୋଦେଇଥିବା ପ୍ରଚାର ହେଲା । କିନ୍ତୁ ବଲାଙ୍ଗିର ଭାଜପାରେ ବଳରାମ ସିଂ ଯାଦବ ନାମରେ କେହି ନେତା କିମ୍ବା ସଦସ୍ୟ ନଥିବା ଜିଲ୍ଲା ଭାଜପା ସଭାପତି ଶିବାଜୀ ମହାନ୍ତି ଏକ ପ୍ରେସ ରିଲିଜ ଦେଇ ଗଣମାଧ୍ୟମକୁ କହିଥିଲେ । କିନ୍ତୁ ବଲାଙ୍ଗିର ଓ ସୋନପୁର ଜିଲ୍ଲାର ଅନେକଗୁଡିଏ ଭାଜପା ବୈଠକରେ ବଳରାମ ସିଂଯାଦବ ଯୋଗଦେଉଥିବା ଲକ୍ଷ୍ୟ କରାଯାଇଛି । ଏପରିକି ସେ ୭ଟି ଯାକ ନିର୍ବାଚନ ମଣ୍ଡଳୀରେ ନିଜର କିଛି ସମର୍ଥକଙ୍କ ସହିତ ଘନଘନ ବୈଠକ ମଧ୍ୟ କରୁଛନ୍ତି । ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ସାଂସଦ ସଂଗୀତାଙ୍କ ଉପରେ କର୍ମୀ ଓ ନେତାଙ୍କ ଅସନ୍ତୋଷ ବଢୁଥିବା ବେଳେ ବଲ୍ଲୁ ଭାଇଙ୍କ ସଂଗଠନ ବଢିଚାଲିଛି । ଫଳରେ ଆଗକୁ ଭାଜପାର ଏକ ନୂଆ ସମୀକରଣ ହେବାର ସମ୍ଭାବନା ରହିଛି ବୋଲି କର୍ମୀମାନେ ଆଲୋଚନା କରୁଛନ୍ତି ।

Leave A Reply

Your email address will not be published.