jayashree

ଭୀମ ଭୋଇ ମେଡିକାଲରେ ଲାଗିଲା ଅତ୍ୟାଧୁନିକ ମାଗଲୁମି-୮୦୦ ମେସିନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲରେ ଆଜି ଅତ୍ୟାଧୁନିକ ମାଗଲୁମି-୮୦୦ ମେସିନ ପ୍ରତିଷ୍ଠା କରାଯାଇଛି । ପାଥୋଲୋଜି ବିଭାଗରେ ଏହି ମେସିନ ଖଞ୍ଜା ହେବା ଦ୍ୱାରା କରୋନା ରୋଗର ବିଭିନ୍ନ ପରୀକ୍ଷା ସମେତ ହରମୋନ, ଟ୍ୟୁମର ଓ କ୍ୟାନସର ଆଦି ବିଭିନ୍ନ ରୋଗ ନିରୂପଣ ଏବେ ବଲାଙ୍ଗିରରେ ହୋଇପାରିବ । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣାଙ୍କ ଉଦ୍ୟମକ୍ରମେ ପଶ୍ଚିମ ଓଡିଶା ବିକାଷ ପରିଷଦ ପାଣ୍ଟିରୁ ୧୨ ଲକ୍ଷ ୫୦ହଜାର ଟଙ୍କାରେ ସିଙ୍ଗାପୁରରୁ ଏହି ମେସିନ ଅଣାଯାଇଥିବା ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ, ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଏହି ମେସିନ ଲଗାଯିବା ପାଇଁ ସରକାର ସ୍ଥିର କରିଛନ୍ତି । ସେହି କ୍ରମରେ ରାଜ୍ୟରେ ଏ ଧରଣର ପ୍ରଥମ ମେସିନ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଖଞ୍ଜା ଯାଇଛି । ପୂର୍ବରୁ କରୋନା, କ୍ୟାନସର, ଟ୍ୟୁମର, ହରମୋନ, ବନ୍ଧାତ୍ୱ, ହୃଦରୋଗ ସମ୍ବନ୍ଧୀୟ ବିଭିନ୍ନ ପରୀକ୍ଷା ପାଇଁ ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡୁଥିଲା । ପରୀକ୍ଷା ଫଳ ଆସୁ ଆସୁ ଦିନ ଗଡି ଯାଉଥିଲା । ଫଳରେ ଚିକିତ୍ସାରେ ବିଳମ୍ବ ହେବା ସହ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟୁଥିଲା । କିନ୍ତୁ ଏହି ମେସିନଟି ଏବେ ଭୀମ ଭୋଇ ମେଡିକାଲ ପାଥୋଲୋଜିରେ ଖଞ୍ଜାଜିବା ପରେ ଏସମସ୍ତ ପରୀକ୍ଷା ବଲାଙ୍ଗିରରେ ସମ୍ଭବ ହେବା ସହ ତୁରନ୍ତ ପରୀକ୍ଷା ଫଳ ମିଳି ପାରିବ । ଯାହା ଦ୍ୱାରା ଅନେକ ରୋଗୀ ଉପକୃତ ହୋଇପାରିବେ ବୋଲି ମେଡିକାଲ ପାଥୋଲୋଜି ଅଧିକାରୀ ପ୍ରଫେସର ଡା. ମନୋଜ ପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.