କେମିତି ଅଛନ୍ତି ଭୀମ ଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନର କଳାକାର?

ସହାୟତା ପାଇଁ ନିବେଦନ କଲେ ସଭାପତି ଓ ସଂପାଦିକା
କଳାହାଣ୍ଡି,(କେପିଏନେସ): ସମସ୍ତ କଳାକାର ଦିବ୍ୟାଙ୍ଗ । କିନ୍ତୁ ଐଶ୍ୱରିକ ପ୍ରତିଭା ବଳରେ ସମସ୍ତେ ନିଜ ନିଜ ପ୍ରତିଭାରେ ବଳୀୟାନ । କିଏ କେସିଓରେ ମାଷ୍ଟର ତ ଆଉ କାହାର ତବଲା ତାଳେ ତାଳେ ଦର୍ଶକଙ୍କ ମନ ଭରିଯାଏ । କଣ୍ଟର ଯାଦୁଗରୀ ସ୍ପର୍ଶରେ ଛୁଇଁଯାନ୍ତି ଏହି କଳାକାରମାନେ । କିଛି ବର୍ଷ ତଳେ ଦିବ୍ୟାଙ୍ଗ କଳାକାରମାନେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମ.ରାମପୁରରେ ଏକ ଅନୁଷ୍ଠାନ ଗଠନ ନିମନ୍ତେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଚ୍ୟୁତ ଭୋଇ(ନୂଆପଡ଼ା), ଦୁର୍ୟ୍ୟୋଧନ ଧରୁଆ(ବଲାଙ୍ଗିର), ଟୁନି ପଣ୍ଡା(ନୟାଗଡ଼), ବିଭୂତି ମାଝୀ(କଳାହାଣ୍ଡି), ଜ୍ଞାନ ରଂଜନ କହଁର(କନ୍ଧମାଳ), ସୁମନ୍ତ ସାହୁ(କଳାହାଣ୍ଡି), ଝରଣା ନାୟକ(ଢେଙ୍କାନାଳ), ପ୍ରମୋଦ ସାହୁ(ବଲାଙ୍ଗିର), ସଙ୍ଗମ ସାହୁ(କଳାହାଣ୍ଡି), ବୃଷବ ବୁଡ଼େକ(ସୋନପୁର), ଭିରିନ୍ଦ୍ର ପଧାନ(କଳାହାଣ୍ଡି), ବିକେଶ ନାଏକ(କଳାହାଣ୍ଡି), ରାଜେନ୍ଦ୍ର ରଣା(ସୋନପୁର)ଏକତ୍ରୀତ ହେଇଥିଲେ ଏବଂ ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ଗଠନ କରି ମା ଭୈରବୀ ଭଜନ ସମାରୋହ ମାଧ୍ୟମରେ ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ସହିତ କିଛି କିଛି ଅର୍ଥ ରୋଜଗାର କରିବା ଲକ୍ଷ୍ୟରେ । ବେଶ କିଛି ରୋଜଗାର ମଧ୍ୟ କଲେ ।


କେବଳ ଜିଲ୍ଳାରେ ନୁହେଁ ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରାୟ ୮୦ରୁ ଅଧିକ ସାଂସ୍କୃତିକ ଉତ୍ସବରେ ଏଇ କଳାକାରମାନେ ନିଜର ପ୍ରତିଭା ବଳରେ ଅର୍ଥ ରୋଜଗାର କରୁଥିଲେ । ବିଭିନ୍ନ ପୂଜାପର୍ବରେ ପ୍ରାୟ ପ୍ରତି ରାତି ଏମାନେ ବିଭିିନ୍ନ ମଂଚରେ ମାଁ ଭୈରବୀ ଭଜନ ସମାରୋହ ମାଧ୍ୟମରେ ବିଳମ୍ବ ରାତି ପର୍ୟ୍ୟନ୍ତ ଦର୍ଶକଙ୍କୁ ବାନ୍ଧିରଖିବାର କ୍ଷମତା ରଖୁଥିଲେ ।
ଏହି ଅନୁଷ୍ଠାନର ସଂପାଦିକ ଟୁନୀ ପଣ୍ଡା ନିଜ ପ୍ରତିଭା ପାଇଁ ପି.ସୁବ୍ରମଣ୍ୟମ ପୁରସ୍କାର ମଧ୍ୟ ପାଇଛନ୍ତି । ଅନୁଷ୍ଠାନ ସରକାରୀ ପଂଜିକରଣ ପରେ ଏବେ କେବଳ ଭଜନ ସମାରୋହ ନୁହେଁ ବରଂ ଦିବ୍ୟାଙ୍ଗ ଙ୍କ ଅନ୍ୟାନ୍ୟ ବିକାଶ ଦିଗରେ ମଧ୍ୟ କାର୍ୟ୍ୟକରିବାର ଲକ୍ଷ୍ୟ ରଖିଛି । ଭଜନ ସମାରୋହର ରୋଜଗାରରୁ ଅନୁଷ୍ଠାନ ଚଳାଇବା ସହିତ ନିଜ ନିଜ ଖର୍ଚ୍ଚ ଉଠାଉଥିଲେ ଏହି ଦିବ୍ୟାଙ୍ଗ କଳାକାରମାନେ । କିନ୍ତୁ ଗତ ମାର୍ଚ୍ଚ ମାସରେ ଦେଶରେ ଆରମ୍ଭ ହେଇଥିବା ଲକଡ଼ାଉନ ପରେ ପରେ ଏମାନଙ୍କ ହାତ ଏବେ ଖାଲି ।


ଏହି କଳାକାରମାନେ ରିଆଜ ପାଇଁ ଢେର ସମୟ ପାଉଥିଲେ ହେଁ ରୋଜଗାର ଶୂନ ହେଇପଡ଼ିଥିବା ଜଣାଯାଇଛି । ଏହିପରି ସମୟରେ ପ୍ରତିଷ୍ଠାନର ସଭାପତି ଓ ସଂପାଦିକା ଅନୁଷ୍ଠାନର କଳାକାର ମାନଙ୍କୁ ସହାୟତା ଯୋଗାଇଦେବାକୁ ଏକ ଭିଡ଼ିଓ ମାଧ୍ୟମରେ ନିବେଦନ କରିଛନ୍ତି । କିଛି ବଦାନ୍ୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନର ସହାୟତା ଏମାନଙ୍କ ପେଟ ଭୋକକୁ ମାରିପାରୁଛି ହେଲେ କଳାକାରର ମନ ଭୋକ,ନିଜ ପ୍ରତିଭା ପ୍ରଦର୍ଶନ ଓ ଦର୍ଶକଙ୍କ କରତାଳି,ଯାହା ଏମାନଙ୍କ ପାଇଁ ଏବେ ସାତସପନ ହେଇପଡ଼ିଛି । ମନ ଭୋକ ସହିତ ଯୋଉ ଅର୍ଥ ରୋଜଗାର ହେଉଥିଲା ତାହା ବି ଆଜିକୁ ପ୍ରାୟ ଛମାସ ହେବ ସଂପୂର୍ଣ୍ଣ ଠପ୍ ହେଇପଡ଼ିଛି । ଆଗକୁ ଗଣେଷ ପୂଜାଠାରୁ ଆରମ୍ଭ ହେଇଥାଏ ବିଭିନ୍ନ ପର୍ବପର୍ବାଣୀ । ତା ପରେ ପରେ ଆସିଥାଏ ଦଶହରା । ଯୋଉ ସମୟ ହେଉଛି ଏହି କଳାକାରମାନଙ୍କ ସମୟ,କିନ୍ତୁ ଚଳିତବର୍ଷ ତାହା ଆଶା ଆଶଙ୍କାରେ । ତଥାପି କଳାକାରମାନେ ନିରାଶ ହେଇନାହାନ୍ତି,କରୋନା ହାରିବ,ଭାରତ ଜିତିବ ବୋଲି ଦମ୍ଭୋକ୍ତି ରଖିବା ସହିତ ପୁଣି ସ୍ୱଭାବିକ ହେବ ଜୀବନଯାତ୍ରା ବୋଲି ପ୍ରତିଷ୍ଠାନର ସଭାପତି ଅଚ୍ୟୁତ ଭୋଇ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.