
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବର୍ଷା ଋତୁର ଆଗମନ ବେଳକୁ ବୃକ୍ଷ ଚାରା ରୋପଣ କରିବା, ବୃକ୍ଷଲତା ତଥା ସବୁଜିମାରେ ବହୁ ମୂଲ୍ୟବାନ ଗଛ ଲତାର ସୁରକ୍ଷା କରିବା ନିହାତି ଆବଶ୍ୟକ ଅଟେ । ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରି ଜନ ସଚେତନା କାର୍ଯ୍ୟକ୍ରମ କରି ସଫଳ ରୂପାୟନ ଆଣିଥିବା ଜୀବନ ବାବାଙ୍କ ଭୂମିକା ଉଲ୍ଲେଖନୀୟ ଅବଦାନ ଅଟେ । ଯାହାକି, ଭୁବନେଶ୍ୱରର ଏକ ଅଗ୍ରଣୀ ସଂଗଠନ ଜୀବନ ବାବା ଙ୍କ ନେତ୍ତୃତ୍ଵରେ ପରିଚାଳିତ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଛି । ଇତିମଧ୍ୟରେ ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳର କେଶପୁର, ବେଣାପାଟ ଏହି ଦୁଇ ଗ୍ରାମରେ ତିନିଶହଟି ଲେଖାଏଁ ଏହିପରି ୬ ଶହଟି ପିଜୁଳି ଓ ଆମ୍ବ ବୃକ୍ଷ ରୋପଣ କରାଯାଇଛି । ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲିସ୍ଥାନମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୧ ଶହ ଆମ୍ବ ଏବଂ ୫ ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି । ସେହିପରି ଛତ୍ରପୁର ବ୍ଲକର ପୋଟ୍ଟଲାମପୁର ଗ୍ରାମପଞ୍ଚାୟତର ଶରଭିଁପୁର ଗ୍ରାମରେ ଗତ ୪ ତାରିଖରେ ୫ଶହ ପିଜୁଳି ଗଛର ଚାରା ଏବଂ ୩ ଶହ ଆମ୍ବ ଗଛର ଚାରା ରୋପଣ କରାଯାଇଛି । ସଫଳ ଚାଷୀ ବୀରେଶ୍ କୁମାର ଶତପଥୀ, ବିକାଶ କୁମାର ଶତପଥୀ, ରିଙ୍କୁ ସେଠୀ, ରମେଶ ସେଠୀ, ଏ. ଟଙ୍କଧରଙ୍କ ସକ୍ରୀୟ ସହଯୋଗରେ ଏବଂ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ଗଣ ଯୋଗଦେଇ ଏହି ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଭୂୟସୀ ପ୍ରଶଂସା ପାଇଥିଲେ । ଏହି ସାମାଜିକ ବନୀକରଣ କାର୍ଯ୍ୟକ୍ରମରେ ଡିକୋବି ସଂସ୍ଥା ଏବଂ ବ୍ରହ୍ମପୁର ଲାୟନ୍ସ କ୍ଲବ ପ୍ରେସିଡେଣ୍ଟ ଅରୁଣ ପ୍ରସାଦ ପଣ୍ଡା ସହଯୋଗର ହାତ ବଢାଇଥିଲେ ବୋଲି ଏହି ମହତ୍ ଉଦ୍ଦେଶ୍ୟ କାର୍ଯ୍ୟ ପାଇଁ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଉଦ୍ୟକ୍ତାଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି । ଟ୍ରଷ୍ଟର ଗ୍ରୀନ୍ ଡ୍ରାଇଭ୍ କାର୍ଯ୍ୟକ୍ରମ ଦ୍ୱାରା ଓଡ଼ିଶା ଏବଂ ଅନ୍ୟ ରାଜ୍ୟରେ ମଧ୍ୟ ବୃକ୍ଷ ରୋପଣ କରାଯାଇ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଛି ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।