
- ଗାଁରେ ଶୋକାକୁଳ ପରିବେଶ
ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ପୁରେନା ଗ୍ରାମରେ ଗତ କାଲି ଜାମୁକୋଳି ଗଛ ତଳେ ଖେଳୁଥିବା ବେଳେ ବ୍ରଜପାତ ହୋଇ ଜଣେ ନାବାଳକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ସେମାନେ ହେଲେ ରଞ୍ଜିତ ଧରୁଆ(୮ବର୍ଷ) ଓ ସନୁ ଓରଫ ପଙ୍କଜ ଦଣ୍ଡସନା(୧୧ବର୍ଷ)ରଞ୍ଜିତକୁ ସାଙ୍ଗେ ସାଙ୍ଗେ ନୂଆପଡ଼ା ଜିଲ୍ଲା ସରକାରୀ ଡାକ୍ତରଖାନା ଆମ୍ବୁଲାନ୍ସ ଯୋଗେ ନିଆ ଯାଇଥିବା ବେଳେ ଆହତ ସନୁ ଓରଫ୍ ପଙ୍କଜକୁ ପାଇକମାଳ ସରକାରୀ ଡାକ୍ତରଖାନାକୁ ନିଆ ଯାଇଥିଲା । କିନ୍ତୁ ରଞ୍ଜିତର ନୂଆପଡ଼ାରେ ମୃତ୍ୟୁ ହୋଇଥିଲା । ଆଜି ରଞ୍ଜିତର ଶବ ବ୍ୟବଚ୍ଛେଦ ପରେ ନୂଆପଡ଼ାରୁ ତାଙ୍କ ନିଜ ଗାଁ ପୁରେନା ଅଣା ଯାଇଥିଲା । ଏ ନେଇ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା । ଏହା ପରେ ଆଜି ପ୍ରଶାସନିକଙ୍କ ମଧ୍ୟରେ ଜାମସେଠ ଆରଆଇ ଥକିତ କୁମାର ନାୟକ ସ୍ୱର୍ଗତ ରଞ୍ଜିତ ଘରକୁ ପହଞ୍ଚି ଏକ ତଦନ୍ତ ରିପୋର୍ଟ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି । ସେହିପରି ପାଇକମାଳର ବ୍ଲକ ଶିକ୍ଷା ଅଧିକାରୀ ସୁଦନ ସୁନା, ଏବିଓ ଧଲେନ୍ଦ୍ର ବାରିକ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଘରକୁ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ । ଏହା ସହ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ସୁନା ସ୍ୱର୍ଗତ ରଞ୍ଜିତ ପରିବାରଙ୍କୁ ୫୨୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସ୍ୱର୍ଗତ ରଞ୍ଜିତ ପୁରେନା ଗାଁ ସ୍କୁଲର ଦ୍ୱିତୀୟ ଶ୍ରେଣୀ ଛାତ୍ର ଥିଲେ। ନୂତନ ଭାବେ ଏ କିଛି ଦିନ ହେବ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଇଥିବା ଜଣେ ଶିକ୍ଷା ଅଧିକାରୀଙ୍କ ଏହି ମହାନତା କାର୍ଯ୍ୟ ନେଇ ଗ୍ରାମବାସୀ ପ୍ରଂସଶା କରିଛନ୍ତି । ସରକାର ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।