ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଜରୁରୀ ବୈଠକ

  • ୧୨ ତାରିଖ ସୁଦ୍ଧା ଇନ୍ସୁରେନ୍ସ ନ ମିଳିଲେ ୧୩ ତାରିଖରେ ଆଇନ ଅମାନ୍ୟ ଆନ୍ଦୋଳନ ଚେତାବନୀ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଗୋରୁ ବଜାରଠାରେ ରାଜବୋଡାସମ୍ବର କୃଷକ ସଂଗଠନ ପଦ୍ମପୁର ଉପଖଣ୍ଡର ଏକ ଜରୁରୀ ବୈଠକ ସ୍ଥାୟୀ ସଭାପତି ବାଞ୍ଛାନିଧି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରୁ ଚାଷୀ ସଂଗଠକ ଘେସର ସ୍ୱର୍ଗତ ସରୋଜ ଭୋଇ ଓ ସୋହେଲା ଇଛାପାଲିର ସମାଜସେବୀ ଯଶୋବନ୍ତ ଭୋଇଙ୍କ ଶୋକସଭା ଆତ୍ମର ସଦ୍‌ଗତି ନିମନ୍ତେ ୨ ମିନିଟ୍‌ ନିରବ ପ୍ରାର୍ଥନା କରି ଶୋକସଭା ପାଳନ କରାଯାଇଥିଲା । ଗତ ୨୭ ତାରିଖ ଦିନ ସୋହେଲା ଠାରେ ଚାଷୀମାନେ ନିଜର ହକ୍‌ର ଲଢ଼େଇ ଫସଲବୀମା ପ୍ରସଙ୍ଗ ଉପରେ ଆନ୍ଦୋଳନ କରୁଥିବା ସମୟରେ ପ୍ରସାଶନ ଚାଷୀମାନଙ୍କୁ ବଳ ପୂର୍ବକ ଆନ୍ଦୋଳନ ସ୍ଥଳରୁ ଉଠାଇ ନେବା ଓ ଗିରଫ କରିବା ଘଟଣାକୁ ଦୃଢ଼ ନିନ୍ଦା କରାଯାଇଥିଲା । ବିଗତ ୨୦୨୧ ଖରିଫ ଋତୁ ଫସଲ ସମୟରେ ଭୟଙ୍କର ମରୁଡିର ସମ୍ମୁଖୀନ ହୋଇଥିବା ପଦ୍ମପୁର ଉପଖଣ୍ଡର ସମସ୍ତ ବ୍ଲକର ଚାଷୀମାନଙ୍କୁ ସରକାରଙ୍କ କୌଣସି ମରୁଡି ସହାୟତା ଦିଆନଯିବା ଏକ ଦୁର୍ଭାଗ୍ୟ ବିଷୟ ଅଟେ ଏବଂ ଏହା ଉପରେ ସଂଗଠନ ଉଦବେଗ ପ୍ରକାଶ କରିଥିଲା ଓ ବୀମା କମ୍ପାନୀର ଟାଲ ଟୁଳ ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି କ୍ଷୋଭ ପ୍ରକାଶ ପାଇଥିଲା । ବାରମ୍ବାର ପ୍ରଧାନମନ୍ତ୍ରୀ ଫସଲବୀମା ରାଶି ପ୍ରଦାନ ପାଇଁ ବିଭିନ୍ନ ସମୟରେ ଆଲୋଚନା, ଧାରଣା, ତାଲାବନ୍ଦ ତଥା ବ୍ଲକସ୍ତରୀୟ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ପ୍ରସାଶନ ଏବଂ ସରକାରଙ୍କ କମ୍ପାନୀ ପ୍ରତି ଆଜି ପର୍ଯ୍ୟନ୍ତ ଚାଲୁ ରହିଛି ଏବଂ କାନ୍ଦୁଥିବା ଚାଷୀମାନଙ୍କ ସରକାର ଏବଂ ପ୍ରସାଶନ ବର୍ତ୍ତମାନ ପର୍ଯ୍ୟନ୍ତ ନିରବ ଦ୍ରଷ୍ଟା ସାଜି ଚୁପ୍‌ ହୋଇ ବସିଛନ୍ତି । ଆଗରୁ ସମସ୍ତ ଆଲୋଚନା ବିଫଳ ହୋଇଥିବାରୁ ଚାଷୀକୂଳ ହତାଶ ହୋଇ ବର୍ତ୍ତମାନ ଉଗ୍ରରୂପ ପ୍ରଦର୍ଶନ କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ପଦ୍ମପୁର ଉପଖଣ୍ଡର ସମସ୍ତ ଚାଷୀମାନଙ୍କ ବୀମା ଟଙ୍କା ଓ ମରୁଡି ସହାୟତା ରାଶି ଆଗାମୀ ୧୨ ଜୁନ ସୁଦ୍ଧା ପ୍ରଦାନ କରାନଯାଏ ତା’ହେଲେ ଆସନ୍ତା ୧୩-୬-୨୦୨୨ ରିଖ ଦିନ ଠାରୁ ପଦ୍ମପୁର ଉପଖଣ୍ଡର ହଜାର ହଜାର ଚାଷୀ ପଦ୍ମପୁର ଠାରେ ସମାବେଶ ହୋଇ ଆଇନ ଅମାନ୍ୟ ଆନ୍ଦୋଳନ କରିବା ସହିତ ଜେଲ ଭରୋ ଆନ୍ଦୋଳନ କରାଯିବ ଏବଂ ପଦ୍ମପୁର ଉପଖଣ୍ଡର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ବ୍ୟାଙ୍କକୁ ସମ୍ପୂର୍ଣ୍ଣ ଭାବେ ଅଚଳ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ଚେତାବନୀ ଶେଷ ଚେତାବନୀ ବୋଲି ସଂଗଠନର ଆବାହକ ଅଶୋକ ସାହୁ ଘୋଷଣା କରିଥିଲେ । ଏହି ବୈଠକରେ ଚାଷୀ ନେତା ରମେଶ ମହାପାତ୍ର, ଆଇନ ପରାମର୍ଶଦାତା ଅଜିତ ଶତପଥୀ, ଚିନ୍ମୟ କୁମାର ପଣ୍ଡା, ଦହିତ ସାହୁ, ଲିଙ୍ଗରାଜ ପଧାନ, କୈଳାଶ ବାରିକ, ପ୍ରଶାନ୍ତ ପଧାନ, ରୋହିତ ପଧାନ, ଅଶୋକ ସାହୁ, ଅରବିନ୍ଦ ପଣ୍ଡା, ବିରେନ୍ଦ୍ର ପଧାନ, ଗଜପତି ସାହୁ, ଆନନ୍ଦ ଚନ୍ଦ୍ର ପଧାନ, ପ୍ରକାଶ ଚନ୍ଦ୍ର ବରିହା, ସନ୍ତୋଷ ବେହେରା, ଶିବ ସାହୁ, ମହେନ୍ଦ୍ର ପଧାନ, ବିଶ୍ବମ୍ବର ରଣା, ପ୍ରକାଶ ମିଶ୍ର, କାଁହୁ ଚରଣ ମେହେର ଓ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.