ପାଣିରେ ବୁଡ଼ି ଯୁବ ବୈଜ୍ଞାନିକ ମୃତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଲି ଗ୍ରାମର ଯୁବ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନଙ୍କ ଆଜି ଅକାଳ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଗାଁ ପୋଖରୀରେ ଗାଧୋଉଥିବା ବେଳେ ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ । ନିହାର ଗତ ୨୦୨୧ ଜାନୁଆରୀରେ ଇସ୍ରୋରେ ବୈଜ୍ଞାନିକ ଭାବରେ ଯୋଗଦାନ କରିଥିଲେ । ଏକ ଚାଷୀ ପରିବାର ବାପା ରାଜକୁମାର ପ୍ରଧାନ ଓ ମା’ ପଙ୍କଜିନି ପ୍ରଧାନଙ୍କ ସାନ ପୁଅ ଥିଲେ । ପିଲା ଦିନରୁ ସେ ନୂତନ ଜିନିଷ ତିଆରି କରିବାରେ ବହୁତ ଆଗ୍ରହ ପ୍ରକାଶ କରୁଥିଲେ । ଗାଁ ସ୍କୁଲରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପାଠ ପଢିଥିଲେ ପରେ କେଦାରନାଥ ଆଦିବାସୀ ହାଇସ୍କୁଲରେ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ପଢିଥିଲେ । ପରେ ବରଗଡ଼ ବିକାଶ ଜୁନିୟର କଲେଜରେ ବିଜ୍ଞାନରେ ନାମ ଲେଖାଇଥିଲେ । ଜେଇ ମେନ୍ ଏବଂ ଏଡ୍‌ଭାନ୍ସ ଫଳାଫଳକୁ ନେଇ ଆଇ.ଆଇ.ଏସ ଟି ତିରୁଭାନ୍ତପୁରମରେ ଏରୋସ୍ପେସ ଇଂଜିନିୟରିଂ ବିଭାଗରେ ବି-ଟେକ୍‌ ପାଠ ପଢିଥିଲେ । ଆଇଆଇଏସ୍‌ଟି ଅବଜର୍ପସନରେ ଦକ୍ଷତା ଥିବାରୁ ତାଙ୍କୁ ଇସ୍ରୋରେ ବୈଜ୍ଞାନିକ ଭାବରେ ମନୋନୀତ କରାଯାଇଥିଲା । ଯାହା ତାଙ୍କର ପରିବାର ସମେତ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିଲା । ପ୍ରଶାସନିକ ଅଧିକାରୀଙ୍କ ଠୁ ନେଇ ବିଭିନ୍ନ ରାଜନୀତିକ ବ୍ୟକ୍ତିଙ୍କ ଶୁଭେଛାର ସୁଅ ଛୁଟିଥିଲା ନିହାରଙ୍କ ପାଖକୁ । ସମସ୍ତେ ନିହାରକୁ ନେଇ ଗର୍ବ ଅନୁଭବ କରିଥିଲେ ସେ ସମୟରେ ତାହା ବିଭିନ୍ନ ଖବର କାଗଜରେ ଶିରୋନାମା ସାଜିଥିଲା । କିନ୍ତୁ ଅତି ଅଳ୍ପ ଦିନରେ ନିହାରଙ୍କ ସଫଳତାରେ ବ୍ରେକ ଲାଗି ଯାଇଥିଲା । ତାଙ୍କର ଜୀବନର ଦୀପ ସବୁ ଦିନ ପାଇଁ ଲିଭି ଯାଇଛି । ସେ ଇସ୍ରୋରୁ ଛୁଟି କାଟିବା ପାଇଁ ଘରକୁ ଆସିଥିଲେ ଆଜି ସକାଳେ ଗାଁ ପୋଖରୀରେ ଗାଧୋଉଥିବା ବେଳେ ହଠାତ ପାଣିରେ ବୁଡି ଯାଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୁକ୍ତା ଡାକ୍ତରଖାନାକୁ ନେଇଯାଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.

error: Content is protected !!