jayashree

ଜି-୨୦ ଜନଭାଗିଦାରୀ : ଏନଆଇଟି ରାଉରକେଲା ପକ୍ଷରୁ ସବୁଜ ଇନ୍ଧନ ପ୍ରଦର୍ଶନୀ ଓ ସ୍ୱଚ୍ଛତା ଅଭିଯାନ ଆୟୋଜିତ

ଭୁବନେଶ୍ୱର/ରାଉରକେଲା, (ପିଆଇବି) : ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏନଆଇଟି ରାଉରକେଲା ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କ୍ରମରେ ଗତକାଲି ଏନଆଇଟି ପକ୍ଷରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ‘ଦୀର୍ଘସ୍ଥାୟିତ୍ୱ ପ୍ରଦର୍ଶନୀ (ସଷ୍ଟେନବଲିଟୀ ଏକ୍ସପୋ)’ ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନରେ ଶସ୍ତା ସ୍ୱଚ୍ଛ ଇନ୍ଧନ, ଆଧୁନିକ କୃଷି ପ୍ରଯୁକ୍ତି, ସ୍ମାର୍ଟ ଫ୍ଲୋର କ୍ଲିନର ଆଦି ପ୍ରକଳ୍ପ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ କରିଥିଲେ । ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଲାଗି ଭାରତର ଅଧ୍ୟକ୍ଷତା ଅଧୀନରେ ସବୁଜ ବିକାଶ ପ୍ରତି ପ୍ରାଥମିକତା ଦିଆଯାଉଛି । ଏ ସମ୍ପର୍କରେ ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।

ସେହିପରି ଏନଆଇଟି ରାଉରକେଲା ପରିସରରେ ଓଡ଼ିଶା-ସିକ୍କିମ ଯୁବସଙ୍ଗମର ଏକ ଜନଭାଗିଦାରୀ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଯୁକ୍ତି, ପର୍ଯ୍ୟଟନ, ବିକାଶ, ପରମ୍ପରା ଓ ଲୋକସମ୍ପର୍କ କ୍ଷେତ୍ରରେ ବହୁମୁଖି ଦିଗ ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରାଯାଇଥିଲା ।
ଅନ୍ୟପକ୍ଷରେ ଏନଆଇଟି ଛାତ୍ରଛାତ୍ରୀଙ୍କ ଦ୍ୱାରା ଗତକାଲି ସ୍ଥାନୀୟ ଅଞ୍ଚଳରେ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା । ଏଥିରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଓ ଗବେଷକମାନେ ସ୍ୱଚ୍ଛତା ଓ ସୁସ୍ଥତା ସମ୍ପର୍କରେ ବାର୍ତ୍ତା ପ୍ରସାର କରିଥିଲେ ।

Leave A Reply

Your email address will not be published.