ଭୁବନେଶ୍ୱର, (କେପିଏନ୍ଏସ୍) : କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଓ ଦେଶ ବିରୋଧୀ ନୀତି ବିରୋଧରେ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଡ଼ାକରାରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ହିନ୍ଦ୍ ମଜଦୁର ସଭା (ଏଚ୍ଏମ୍ଏସ୍)ର ସହବନ୍ଧିତ ସଂଗଠନଗୁଡ଼ିକୁ ରାଜ୍ୟ ଏଚ୍ଏମ୍ଏସ ଉପସଭାପତି ରବି ରଥ ଅନୁରୋଧ କରିଛନ୍ତି । ୨୦୧୪ ମସିହାରୁ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ପ୍ରତିଷ୍ଠା ହେବାଠାରୁ ଆମ ଦେଶର ସକଳ ସ୍ତରରେ ଜନଗଣଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି । ପୂର୍ବରୁ ରହିଥିବା ଶ୍ରମିକ ଶ୍ରମ ଆଇନକୁ ଉଚ୍ଛେଦ କରାଯିବା ସହିତ କର୍ପୋରେଟ ସଂସ୍ଥା ଓ ମାଲିକମାନଙ୍କ ସ୍ୱାର୍ଥରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଶ୍ରମିକ କର୍ମଚାରୀମାନଙ୍କ କ୍ଷେତ୍ରରେ ଆତଙ୍କ ସୃଷ୍ଟି କରିଛି । କେନ୍ଦ୍ର ସରକାର ସମସ୍ତ ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ ତୀବ୍ର ବେଗରେ ଚଳାଇଛନ୍ତି । ଲୁହା, ଇସ୍ପାତ, କୋଇଲା, ଅନ୍ୟାନ୍ୟ ଖଣିଜଦ୍ରବ୍ୟ, ରେଳବାଇ, ଜଳପଥ, ସ୍ଥଳପଥ, ଆକାଶପଥ, ପରିବହନ, ବିମାନ ବନ୍ଦର, ବ୍ୟାଙ୍କ ବୀମା ଭଳି ଆର୍ଥିକ କ୍ଷେତ୍ର ପେଟ୍ରୋଲିୟମ, ଗ୍ୟାସ, ବିଦ୍ୟୁତ ଶକ୍ତି ଭଳି କ୍ଷେତ୍ର ଡ଼ାକ ତାର, ଇଲୋକ୍ଟ୍ରୋନିକ୍ସ ଶିଳ୍ପର ଘରୋଇକରଣ ଚାଲିଛି । ଶିକ୍ଷା, ସ୍ୱାସ୍ଥ୍ୟ ସମେତ ସମସ୍ତ ସରକାରୀ ବିଭାଗରେ ମଧ୍ୟ ଘରୋଇକରଣ ହେଉଛି । ଏହି ବ୍ୟବସ୍ଥା ବିରୋଧରେ ଦେଶବାସୀ ତଥା ଶ୍ରମିକମାନେ ସଂଗଠିତ ନହେଲେ ଆଗାମୀ ଦିନରେ ଭୟାବହ ପରିସ୍ଥିତି ସୃଷ୍ଟି ହେବ । ତେଣୁ ଅଗଷ୍ଟ ୯ ରାଜଧାନୀ ସମାବେଶକୁ ସଫଳ କରିବା ପାଇଁ ଉପସଭାପତି ଶ୍ରୀ ରଥ ରାଜ୍ୟର ସମସ୍ତ ଶ୍ରମିକ ସଂଗଠନଗୁଡ଼ିକୁ ଅନୁରୋଧ କରିଛନ୍ତି ।