ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଙ୍ଗୋମୁଣ୍ଡା ବ୍ଲକର ଅର୍ଶାତୁଲା ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ମାରିଛନ୍ତି ଆଦିବାସୀ ସଂଘର କାର୍ଯ୍ୟକର୍ତ୍ତା । ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଆଦି ପଦବୀ ଗୁଡିକରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ କରାଯାଇ ନଥିବାରୁ ଆଦିବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରଠୁ ଆଦିବାସୀ ମହଲରେ ଅସନ୍ତୋଷର ଦାନା ବାନ୍ଧିଥିବା ବେଳେ ଆନ୍ଦୋଳନ ମଧ୍ୟ ତୀବ୍ରତର ହେଉଛି । ବିଜେଡିକୁ ରାଜନୈତିକ ବାସନ୍ଦ କରାଯିବ ବୋଲି ଚେତାବନୀ ଦେଉଥିବା ବେଳେ ମଙ୍ଗଳବାର ଦିନ ଆଦିବାସୀ ମାନେ ଅର୍ଶାତୁଲା ପଞ୍ଚାୟତ କାର୍ଯ୍ୟାଳୟକୁ ତାଲାବନ୍ଦ କରିଦେଇଛନ୍ତି । ଏପରିକି କାର୍ଯ୍ୟାଳୟରେ ଜିଆରଏସଙ୍କୁ ମଧ୍ୟ କାର୍ଯ୍ୟାଳୟ ମଧ୍ୟରେ ତାଲାବନ୍ଦ କରି ରଖିଦେଇଥିବା ଜଣାପଡିଛି । ପରେ ଜିଆରଏସକୁ ଛାଡ଼ିଦେଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟକୁ ବନ୍ଦ କରିଥିଲେ । ଦାବି ପୂରଣ ନ ହେଲେ ତାଲା ଖୋଲାଯିବ ନାହିଁ ବୋଲି ଚେତାବନୀ ଦେଇଥିବା ବେଳେ ଅର୍ଶାତୁଲା ପଞ୍ଚାୟତରେ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇ ଆସୁଥିବା ମଧ୍ୟ ଅଭିଯୋଗ କରିଥିଲେ । ଆଦିବାସୀ ସଂଘର ପଞ୍ଚାୟତ ସଭାପତି ଫକୀର ମାଝୀ, ସାମାଜିକ କର୍ମୀ ଧୁବଳେଶ୍ଶ୍ୱର ମାଝୀ, ଅର୍ଜୁନ ମାଝୀ, ରାଜେନ୍ଦ୍ର ମାଝୀ, ହୃଷି ମାଝୀ, ବୀର ମାଝୀ, ଘୃତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।