ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ ବନବିହାରିପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ଦ୍ୱିତୀକୃଷ୍ଣ ନାୟକଙ୍କ ସ୍ତ୍ରୀ ଦ୍ରୋପଦୀ ନାୟକ(୬୦) । ସେ ଆକୁଳ ପଞ୍ଚାୟତର ୧୦ନଂ ୱାର୍ଡର ୱାର୍ଡ ମେମ୍ବର ମଧ୍ୟ ରହିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ବୁଧବାର ବିଳମ୍ୱିତ ରାତିରେ ଝଡ଼ ତୋଫାନ ହୋଇଥିଲା । ତେଣୁ ଭୋର ସମୟରୁ ଦ୍ରୋପଦୀ ଘର ପାଖରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟେଇବାକୁ ବାହାରି ଯାଇଥିଲେ । ହେଲେ ବାଟରେ ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ଦ୍ରୋପଦୀଙ୍କୁ ଶୁଣ୍ଢରେ ଆକ୍ରମଣ କରି ଫୋପାଡ଼ି ଦେଇ ପଳାଇ ଥିଲା । କିଛି ସମୟ ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ମୃତକଙ୍କ ପରିବାରକୁ ଭେଟିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୃତକଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ୬୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।