ଜିଲ୍ଲାରେ ଆଦିବାସୀ ମାମଲାକୁ ଅବହେଳା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଆଦିବାସୀ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ଅଦିବାସୀମାନଙ୍କ ପ୍ରତି ଦିନକୁ ଦିନ ଅତ୍ୟାଚାର ବଢି ବଢି ଯାଉଥିବା ବେଳେ ପୋଲିସ ପ୍ରଶାସନ ଆଦିବସୀ ମାମଲାଗୁଡିକୁ ବାରମ୍ବାର ଅବହେଳା ଓ ଉପେକ୍ଷା କରି ଆସୁଛନ୍ତି । ଫଳରେ ନିରୀହ ଆଦିବାସୀ ନ୍ୟାୟ ପାଇବାରୁ ବଞ୍ଚିତ ହେବା ସହ ଅତ୍ୟାଚାରୀଙ୍କ ମନୋବଳ ଆହୁରି ବଢୁଥରବା ଆଦିବାସୀ ସଂଘ ଅଭିଯୋଗ କରିଛି । ଜିଲ୍ଲାରେ ଆଦିବାସୀମାନଙ୍କ ପ୍ରତି ହୋଇଥିବା ବିଭିନ୍ନ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଆଜି ଜିଲ୍ଲା ଆଦିବାସୀ ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ୭ ଦଫା ଦାବୀପତ୍ର ପ୍ରଦାନ କରିଛି । ବଲାଙ୍ଗିର ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ସତ୍ୱେ ଜିଲ୍ଲାରେ ଆଦିବାସୀମାନଙ୍କ ପ୍ରତି ଜିଲ୍ଲା ପୋଲିସ ପ୍ରଶାସନ ଅବହେଳା, ଉପେକ୍ଷା, ପାତରଅନ୍ତର ନୀତି ଜାରି ରଖିବା ସହ ଅଦିବାସୀମାନଙ୍କ ପ୍ରତି ଚରମ ଉଦାସିନ ଓ ଅସମ୍ବଦେନଶୀଳ ରହିଛି । ବିଭିନ୍ନ ଆଦିବାସୀ ମାମଲାକୁ ଅଣଦେଖା କରି ଅଯଥା ସମୟ କାଳ ଗଡାଇ ଦୋଷୀମାନଙ୍କୁ ଘଣ୍ଟ ଘୋଡାଇବାର ହୀନ ପ୍ରୟାସ କରୁଛି ବୋଲି କହିବା ସହ ବିଗତ ଦିନରେ ଘଟିଥିବା ଏଭଳି ବିଭିନ୍ନ ଘଟଣା ବିରୁଦ୍ଧରେ ଆଜି ଅଦିବାସୀ ସଂଘ ଜିଲ୍ଲା ପ୍ରଶାସନକୁ ଦାବୀପତ୍ର ପ୍ରଦାନ କରିଛି । ଦାବୀ ପତ୍ରରେ ଗତ ୧୧ ତାରିଖରେ ସଦର ବ୍ଲକ ଅନ୍ତର୍ଗତ ବିଅଁରପାଲିର ୧୨ ବର୍ଷୀୟ ରିଙ୍କୁ କନ୍ଧକୁ ଜୋର ଜବରଦସ୍ତ ଅପହରଣ କରି ବିପଦ ଶଙ୍କୁଳ କାମ କରାଇବା, ତାଳଜୁରି ଗ୍ରାମର ମଦନା ବରିହାଙ୍କୁ ଜମିବାଡି ମାମଲାରେ ନିଆଁ ପାଣି ବାସନ୍ଦ କରିବା ମାସିଏ ବିତି ଯାଇଥିଲେ ସୁଦ୍ଧା ସଦର ଥାନା ସିଂହାଣିମୁଣ୍ଡା ବାସିନ୍ଦା ତୁଲା ବରିହା ମାମଲାର ଅଭିଯୁକ୍ତଙ୍କୁ ଗିରଫ କରିବା, ସଇଁନ୍ତଲା ଲାଫେର ଗ୍ରାମର ବଳଦେବା ମାଝୀଙ୍କ ବାଇକ ପୋଡି ମାମଲାର ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଦିବାସୀ ଛାତ୍ରଙ୍କୁ ବିଭିନ୍ନ କଲେଜରେ ଆଡମିସନ ଫି ଛାଡ କରିବା ଓ ପ୍ରତ୍ୟେକ ଆଦିବାସୀ ପରିବାରଙ୍କୁ ୫ହଜାର ଟଙ୍କାର କୋଭିଡ ପ୍ୟାକେଜ ଘୋଷଣା କରିବା ଆଦି ଦାବୀ ରହିଛି । ସଂଘର ଏକ ୫ ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହିତ ଏହି ସମସ୍ୟା ଗୁଡିକ ଉପରେ ସବିଶେଷ ଆଲୋଚନା କରିବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦେଖା କରି ମାମଲା ଗୁଡିକ ଉପରେ ଦୃଷ୍ଟି ଆକର୍ଷଣ କରିଛି । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ଆଦିବାସୀ ସଂଘ ପକ୍ଷରୁ ବନଲତା ମାଝୀ, ଶ୍ୟାମସୁନ୍ଦର ଭୋଇ, ଗିରିଧାରୀ ଭୋଇ, ଥବିର ପୁଜାରୀ, ଫକୀର ପୁଜାରୀ, ନିତ୍ୟାନନ୍ଦ ମାଝୀ, ଧିନା ଭୋଇ, ସନ୍ତୋଷ ପୁଟା, ଟଙ୍କଧର ଧରୁଆ, ଘନ ଭୋଇ ଓ ଗୋଲକ ବିହାରି ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.