ଜାମଖୁଣ୍ଟା ପଞ୍ଚାୟତରେ ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ସଂଗଠିତ କରିବା ପାଇଁ ବିଭିନ୍ନ ପଞ୍ଚାୟତ ଏବଂ ଗ୍ରାମରେ ସିଆର୍‌ପି, ଏମ୍‌ବିକେ ନିଯୁକ୍ତି ଦିଆଯାଉଛି । ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତରେ ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି । କାଳକୁଟ ଗ୍ରାମର ମେନକା ସୁନା ଆବେଦନ କରିଥିଲେ । ମେଧା ଲିଷ୍ଟରେ ପ୍ରଥମ ଥିବା ସତ୍ତ୍ୱେ ତୃତୀୟ ନମ୍ବରର ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ କରିଛନ୍ତି । ପଞ୍ଚାୟତରେ ଜଣେ ମହିଳା ଗାଁ ସାଥୀ ସହିତ ପଞ୍ଚାୟତ ମହାସଂଘର ଦରମା ଭୋଗି କର୍ମଚାରୀଙ୍କ ସମ୍ପର୍କୀୟଙ୍କୁ ସିଆର୍‌ପି ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି । ନିଯୁକ୍ତି କମିଟି ଗଠନ ନ କରି ନିଯୁକ୍ତି, ଯୋଗ୍ୟ ବ୍ୟକ୍ତିଙ୍କୁ ବାଦ ଦିଆଯାଉଥିବା ଅଭିଯୋଗ ହେଉଛି । ତୁରନ୍ତ ଜାମଖୁଣ୍ଟା ପଞ୍ଚାୟତରେ ବାଦ ଦିଆଯାଉଥିବା ବ୍ୟକ୍ତିଙ୍କୁ ସିଆର୍‌ପି ନିଯୁକ୍ତି, ଦୁଇଟି ପଦବୀରେ ଥିବା ବ୍ୟକ୍ତିଙ୍କୁ ଅପସାରିତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହୋଇଛି । ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ବିଡ଼ିଓ ବାସନ୍ତୀ ସେଠିଙ୍କୁ ଯୋଗାଯୋଗ କରିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ବଙ୍ଗୋମୁଣ୍ଡା ବ୍ଲକରେ ଓଡିଶା ଜୀବିକା ମିଶନ ଦୁର୍ନୀତିରେ ଉବୁଟୁବୁ ଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି ।

Leave A Reply

Your email address will not be published.