jayashree

ବଲାଙ୍ଗିର ଜିଲ୍ଲାରେ ଉଦ୍‌ଘାଟନ ହେଲା ଫାଇଲେରିଆ ନିରାକରଣ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ୧୧ ଗୋଟି ବ୍ଲକ ଓ ୪ ଗୋଟି ସହରାଞ୍ଚଳରେ ଆରମ୍ଭ ହୋଇଯାଇଛି ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ । ଆଜି ପୂର୍ବାହ୍ନରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ବଟିକା ସେବନ କରି ଆରମ୍ଭ କରିଥିଲେ । ଜିଲ୍ଲାର ୧୪ ଲକ୍ଷ ୭୬ ହଜାର ଜଣଙ୍କୁ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ଔଷଧ ପ୍ରଦାନ କରାଯିବ । ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ନିଜ ତତ୍ଵାବଧାନରେ ନିଜ ସମ୍ମୁଖରେ ଔଷଧ ଖୁଆଇବେ । ଗର୍ଭବତୀ ମହିଳା, ୨ ବର୍ଷରୁ କମ ବଯସର ଶିଶୁ ଓ ଗୁରୁତର ରୋଗୀଙ୍କୁ ଏହି ବଟିକା ଦିଆଯିବନାହିଁ । ଏହି ଔଷଧ ସେବନ ଦ୍ଵାରା ଶରୀର ଭିତରେ ଥିବା ମାଇକ୍ରୋ ଫାଇଲେରିଆ ପରଭୋଜୀ ସମ୍ପୂର୍ଣ୍ଣ ଭାବେ ମରିଯାଆନ୍ତି ଏବଂ ବଡ ପାରାସାଇଟମାନେ ନିସ୍ତେଜ ହୋଇଯାଆନ୍ତି ତଥା ଲୋକମାନେ ଭବିଷ୍ୟତରେ ଫାଇଲେରିଆ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରନ୍ତି ଏବଂ ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ଅଟେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ ସୂଚନା ଦେଇଥିଲେ । ଆଜିର ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲ ସ୍ୱାସ୍ଥ୍ୟଧିକାରୀ ଡ଼. ଦିବ୍ୟକିଶୋର ପତି , ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟିବି) ଡ଼. ସିଦ୍ଧେଶ୍ଵର ମାଝୀ, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ସୁଦ୍ଧା ବାର୍ଳା, ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନର କ୍ଷେତ୍ରୀୟ ସଂଯୋଜକ ଡ଼. ନିଶିଥ ରଞ୍ଜନ ଦାସ, ଡିପିଏମ୍‌ ମୃତ୍ୟୁଞ୍ଜୟ ମୁଣ୍ଡ, ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ସୁରେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭା ସଂଯୋଜନା କରିଥିଲେ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଗଣ ତାଙ୍କୁ ସହଯୋଗ କରିଥିଲେ ।

Leave A Reply

Your email address will not be published.