ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ସଫଳ ୯ ବର୍ଷ

ନୂଆଦିଲ୍ଲୀ, (ପିଆଇବି) : ଜୁନ ୨୦୧୬ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ (ପିଏମଏସଏମଏ) ହେଉଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କର ଏକ ପ୍ରମୁଖ ପ୍ରମୁଖ କାର୍ଯ୍ୟକ୍ରମ । ଚଳିତ ବର୍ଷ ଏହା ସଫଳତାର ୯ ବର୍ଷ ପୂରଣ କରିଛି ।
ପ୍ରତିମାସର ୯ ତାରିଖରେ ସମସ୍ତ ଗର୍ଭବତୀ ମହିଳାମାନଙ୍କୁ, ବିଶେଷକରି ଗର୍ଭଧାରଣର ୨ୟ ଓ ୩ୟ ତ୍ରୈମାସରେ, ସୁନିଶ୍ଚିତ, ସମ୍ପୂର୍ଣ୍ଣ ଓ ଉଚ୍ଚ ଗୁଣମାନର ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଏହାକୁ ଡିଜାଇନ କରାଯାଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ବିପଦ ଆଶଙ୍କା ଥିବା ଗର୍ଭବତୀଙ୍କ ଆଗୁଆ ଚିହ୍ନଟ କରି ଠିକ ସମୟରେ ଚିକିତ୍ସା ସେବା ଯୋଗାଇ ମାତୃ ଓ ନବଜାତ ମୃତ୍ୟୁହାର ହ୍ରାସ କରିବା । ବର୍ତ୍ତମାନ ସୁଦ୍ଧା, ପିଏମଏସଏମଏ ଅଧୀନରେ ୬.୧୯ କୋଟି ଗର୍ଭବତୀ ମହିଳାଙ୍କର ପରୀକ୍ଷା କରାଯାଇସାରିଛି । ଏହି କାର୍ଯ୍ୟକ୍ରମ ଘରୋଇ କ୍ଷେତ୍ର ସହିତ ଜଡିତ ହେବା ପାଇଁ ଏକ ସୁବ୍ୟବସ୍ଥିତ ପଦ୍ଧତି ଅନୁସରଣ କରେ ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ଘରୋଇ ଡାକ୍ତରମାନଙ୍କୁ ଏହି ଅଭିଯାନରେ ସାମିଲ ହେବା, ସଚେତନତା ସୃଷ୍ଟିକରିବାକୁ ରଣକୌଶଳ ପ୍ରସ୍ତୁତ କରିବାରେ ସହାୟତା ଓ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଏହି ଅଭିଯାନରେ ସାମିଲ ହେବାକୁ ପ୍ରେତ୍ସାହିତ କରିବା । ଗର୍ଭବତୀ ମହିଳାମାନଙ୍କ ପାଇଁ ପ୍ରସବ ପୂର୍ବ ଯତ୍ନ ପ୍ରଦାନ ଏବଂ ଉପଯୁକ୍ତ ପୁଷ୍ଟି ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ମିଳିତ ପ୍ରୟାସ ଭାରତର ମାତୃମୃତ୍ୟୁ ଅନୁପାତ (ଏମଏମଆର)ରେ ଏକ ଉଲ୍ଲେଖନୀୟ ଉନ୍ନତି ଆଣିଛି, ଯାହାକି ୨୦୧୪-୧୬ ରେ ୧୩୦ରୁ ହ୍ରାସ ପାଇ ୨୦୨୧-୨୩ରେ ୮୦ରେ ପହଞ୍ଚିଛି, ଅର୍ଥାତ ୫୦ ପଏଣ୍ଟର ହ୍ରାସ । ପିଏମଏସଏମଏର ଉଦ୍ଦେଶ୍ୟ : ଜାତୀୟ ସ୍ବାସ୍ଥ୍ୟ ମିସନ ଅଧିନରେ ଥିବା ପ୍ରଜନନ, ମାତୃ, ନବଜାତ, ଶିଶୁ ଏବଂ କିଶୋର ସ୍ୱାସ୍ଥ୍ୟ ସହିତ ପୁଷ୍ଟିସାଧନ (RMNCAH+N) ରଣକୌଶଳ ପରି ବୃହତ୍ତର ଲକ୍ଷ୍ୟ ସହ ପିଏମଏସଏମଏ ମେଳ ଖାଉଛି । ଏହାର ଉଦ୍ଦେଶ୍ୟ ମଧ୍ୟରେ ରହିଛି ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ତାଙ୍କ ଗର୍ଭଧାରଣର ଦ୍ୱିତୀୟ କିମ୍ବା ତୃତୀୟ ତ୍ରୈମାସିକରେ ଜଣେ ଡାକ୍ତର/ବିଶେଷଜ୍ଞଙ୍କ ଦ୍ୱାରା ଅତି କମରେ ଗୋଟିଏ ଯାଞ୍ଚ କରିବା ନିଶ୍ଚିତ କରିବା । ପ୍ରସୂତି ପୂର୍ବ ପରିଦର୍ଶନ ସମୟରେ ସ୍ବାସ୍ଥ୍ୟସେବାର ଗୁଣବତ୍ତା ଉନ୍ନତ କରିବା । ପ୍ରାଥମିକ ପର୍ଯ୍ୟାୟରେ ଉଚ୍ଚ-ବିପଦପୂର୍ଣ୍ଣ ଗର୍ଭଧାରଣ (HRP) ଚିହ୍ନଟ ଏବଂ ପରିଚାଳନା କରିବା । ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ପାଇଁ ଉପଯୁକ୍ତ ଜନ୍ମ ଯୋଜନା ଏବଂ ସମ୍ଭାବ୍ୟ ଜଟିଳତା ପାଇଁ ପ୍ରସ୍ତୁତ ରହିବା । ପୁଷ୍ଟିହୀନତା ପୀଡିତ ମହିଳାମାନଙ୍କର ଉପଯୁକ୍ତ ପରିଚାଳନା ସୁନିଶ୍ଚିତ କରିବା । କିଶୋରୀ ଏବଂ ପ୍ରାରମ୍ଭିକ ଗର୍ଭଧାରଣ ଉପରେ ବିଶେଷ ଧ୍ୟାନ ପ୍ରଦାନ ସଂପ୍ରସାରିତ ପିଏମଏସଏମଏ (ଇ-ପିଏମଏସଏମଏ) ବିପଦର ଆଶଙ୍କା ଥିବା ଗର୍ଭବତୀମାନଙ୍କ ଚିହ୍ନଟ କରିବା ସହ ସେମାନଙ୍କ ସୁରକ୍ଷିତ ପ୍ରସବ ପର୍ଯ୍ୟନ୍ତ ସହାୟତା ପାଇଁ ଇ-ପିଏମଏସଏମଏ କୌଶଳ ଆରମ୍ଭ କରାଯାଇଥିଲା । ଏଥିରେ ଚିହ୍ନଟ ଏସଆରପି ଗର୍ଭବତୀଙ୍କୁ ଆର୍ଥିକ ପ୍ରେତ୍ସାହନ ଓ ପିଏମଏସଏମଏ ପରିଦର୍ଶନ ବ୍ୟତୀତ ଆଶା କର୍ମୀଙ୍କ ଦ୍ବାରା ଅତିରିକ୍ତ ୩ଟି ପରିଦର୍ଶନ ବ୍ୟବସ୍ଥା ରହିଛି । ଡିସେମ୍ବର ୩୧, ୨୦୨୪ ସୁଦ୍ଧା, ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୭୮.୨୭ ଲକ୍ଷରୁ ଅଧିକ ଉଚ୍ଚ ବିପଦପୂର୍ଣ୍ଣ ଗର୍ଭଧାରଣ ଚିହ୍ନଟ କରାଯାଇଛି । ଏହାର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଏଚଆରପିଙ୍କ ନାମ ଅନୁସାରେ ତାଲିକାକରଣ । ଅତିରିକ୍ତ ପିଏମଏସଏମଏର ସୁବିଧା । ସୁରକ୍ଷିତ ପ୍ରସବ ପର୍ଯ୍ୟନ୍ତ ବ୍ୟକ୍ତିଗତଭାବେ ତଦାରଖ । ପିଏମଏସଏମଏ ଅନ୍ୟ ସରକାରୀ କାର୍ଯ୍ୟକ୍ରମ ସହ ସଂଯୁକ୍ତ ହୋଇ ସେଗୁଡିକର ପରିପୂରକଭାବେ କାମ କରୁଛି । ସେସବୁ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ଜନନୀ ସୁରକ୍ଷା ଯୋଜନା (ଜେଏସଏସକେ), ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ଲକ୍ଷ୍ୟ, ସୁରକ୍ଷିତ ମାତୃତ୍ବ ଆଶ୍ବାସନ (ସୁମନ), ପୋଷଣ ଅଭିଯାନ ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନା (ପିଏମଏମଭିଓ୍ବାଇ) । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ (ପିଏମଏସଏମଏ) ମାତୃ ସ୍ୱାସ୍ଥ୍ୟ ପାଇଁ ଏକ ଲକ୍ଷ୍ୟଭିତ୍ତିକ ଏବଂ ଢାଞ୍ଚାଗତ ଆଭିମୁଖ୍ୟକୁ ପ୍ରତିନିଧିତ୍ୱ କରେ । ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ଦିନରେ ଗୁଣାତ୍ମକ ପ୍ରସବ ପୂର୍ବ ସ୍ବାସ୍ଥ୍ୟସେବା ପ୍ରଦାନ କରି, ବିପଦ ଆଶଙ୍କା ଥିବା ଗର୍ଭବତୀଙ୍କୁ ଚିହ୍ନଟ କରି ଏବଂ ଇ-ପିଏମଏସଏମଏ ମାଧ୍ୟମରେ ଡିଜିଟାଲ୍ ଇକୋସିଷ୍ଟମକୁ ସୁଦୃଢ଼ କରି, ଏହି ଯୋଜନା ସାରା ଭାରତରେ ମାତୃ ମୃତ୍ୟୁହାର ହ୍ରାସ ଏବଂ ସୁରକ୍ଷିତ ଗର୍ଭଧାରଣକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

jittmm
Leave A Reply

Your email address will not be published.