ତଲିଉଡ଼ାର୍‌-ସରଗାଡ଼ ରାସ୍ତା : ଅବସ୍ଥା ଶୋଚନୀୟ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଲୋଇସିଂହା ବ୍ଲକ୍‌ ଅନ୍ତର୍ଗତ ତଲିଉଡ଼ାର-ସରଗାଡ ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ସାମାନ୍ୟ ବି ଦୃଷ୍ଟି ନଥିବା ଯୋଗୁଁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ରାସ୍ତା ମଝିରେ ମେଟାଲ୍‌ ବାହାରି କେଉଁଠି ଖାଲ, ନର୍ଦ୍ଦମା ସୃଷ୍ଟି ହୋଇଥିବା ବେଳେ କେଉଁଠି ମେଟାଲ୍‌ କାଦୁଅ ପଚ୍‌ପଚ୍‌ ହୋଇଥିବା ଦେଖିବାକୁ ମିଳିଛି । ଦୁଇ ଚକିଆ ଯାନରେ ଯିବା ଆସିବା କରିବା ମଧ୍ୟ ଅତ୍ୟନ୍ତ ବିପଦ୍‌ଜନକ ହୋଇପଡ଼ିଛି ।


ସୂଚନାଯୋଗ୍ୟ ଯେ, ବରଗଡ଼, ଗାଏସିଲେଟ୍‌, ପଦମ୍‌ପୁର ଆଦି ରାସ୍ତାକୁ ଲିଙ୍କ୍‌ କରୁଥିବା ଏହି ମୁଖ୍ୟ ରାସ୍ତା ଉପରେ ପ୍ରତ୍ୟହ ହଜାର ହଜାର ଲୋକ ଯିବା ଆସିବା କରିବା ନିମନ୍ତେ ନିର୍ଭର କରୁଛନ୍ତି । ତଲିଉଡ଼ାର, ବୁରୋମୁଡ଼ା, ଠାକ୍‌ରପାଲି, ସିଙ୍ଗେନ୍‌ମୁଡ଼ା, ବବ୍‌ଜା, ବିର୍‌କେଲ ତଥା ସରଗାଡ଼ର ଲୋକେ ଏହି ରାସ୍ତା ଦେଇ ପ୍ରତ୍ୟହ ବଲାଙ୍ଗିର ଆଡ଼କୁ ଆସିଥାନ୍ତି । ଏହି ବାଟ ଦେଇ ପ୍ରତ୍ୟେକ ଦିନ ପନିପରିବା ଚାଷୀମାନେ ଚନ୍ଦନଭାଟି ତଥା ବଲାଙ୍ଗିର ସହରକୁ ପନିପରିବା ନେବା ଆଣିବା କରିଥାନ୍ତି । କିନ୍ତୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ଯୋଗୁଁ ଭିନ୍ନ ଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଯାତାୟାତ କରୁଥିବା ଜନ ସାଧାରଣ । ରାତ୍ରୀ ସମୟରେ ଯିବା ଆସିବା କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ସଂପୃକ୍ତ ଅଂଚଳର ଜନସାଧାରଣ କୁହନ୍ତି । ଏହି ରାସ୍ତାରେ ରୋଡ଼୍‌ ଲାଇଟ୍‌ ଜଳେନାହିଁ । ତେଣୁ ଅଂଧାରରେ ଏହି ରାସ୍ତା ଦେଇ ଆସୁଥିବା ଲୋକେ ନିଶ୍ଚିତ ଦୁର୍ଘଟଣାର ଶିକାର ହେଉଥିବା ସେମାନେ କ୍ଷୋଭର ସହ ପ୍ରକାଶ କରନ୍ତି ।
ଏ ସଂପର୍କରେ ବିଭିନ୍ନ ଅଧିକାରୀଙ୍କ ପାଖକୁ ଧାଇଁ ଧାଇଁ କୁଆଡେ଼ ନୟାନ୍ତ ହୋଇ ସାରିଛନ୍ତିି ଅଂଚଳବାସୀ । ଅଥଚ ଫମ୍ପା ଆଶ୍ୱାସନାରେ ସେମାନେ ଆଜି ପର୍ଯ୍ୟନ୍ତ ଏଭଳି ମରଣଯନ୍ତା ପାଲଟିଥିବା ସଡ଼କରେ ଯାତାୟାତ କରୁଛନ୍ତି । ଦୀର୍ଘ ବର୍ଷ ତଳୁ ତିଆରି ହୋଇଥିବା ଏହି ରାସ୍ତାରୁ ପିଚୁ ଉଠି ମେଟାଲ୍‌ ମଧ୍ୟ ଉଠି ସାରିଲାଣି । ପୁଣି ସ୍ଥାନେ ସ୍ଥାନେ ମେଟାଲ୍‌ ଉଠି ଗର୍ତ୍ତ ସୃଷ୍ଟି ହେଲାଣି । କିନ୍ତୁ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ନପଡ଼ିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରନ୍ତି । ତେବେ ଆଗାମୀ ସମୟରେ ରାସ୍ତା ତିଆରି ନହେଲେ ଏକ ଜନଆନ୍ଦୋଳନ ମୁଣ୍ଡ ଟେକିବା ସୁନିଶ୍ଚିତ ବୋଲି ଲୋକେ ଆଲୋଚନା କରନ୍ତି ।

Leave A Reply

Your email address will not be published.