ଦୁଇ ମାସ ହେଲା ହୋଇନି ଡ୍ରେନ ସଫା : ଅଳିଆ ଆବର୍ଜନାକୁ ନିଜେ ସଫା କରୁଛନ୍ତି ଲୋକେ

  • ସ୍ୱଚ୍ଛତା ଅଭିଯାନର ସତ୍ୟତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର୍ ୧୪ର ଟାଙ୍ଗରପଡ଼ା ତଳ ପଟେ ରହୁଥିବା ବାସିନ୍ଦାଙ୍କ ଦୁଃଖ କହିଲେ ନ ସରେ । ଏଠାରେ ରହୁଥିବା ଲୋକଙ୍କ ଘରକୁ ଯିବା ରାସ୍ତା ଅତି ସଙ୍କୁଚିତ ହୋଇଥିବା ବେଳେ ରାସ୍ତା କଡ଼ରେ ନିର୍ମାଣ ହୋଇଥିବା ନାଳ ତ ଦିଶୁ ନ ଥିଲା କିନ୍ତୁ ନାଳ ଉପରେ ଓ ଖାଲି ଥିବା ସ୍ଥାନରେ ଅଳିଆ ଆବର୍ଜ୍ଜନା ଭର୍ତ୍ତି ହୋଇଥିବା ଦେଖିବାକୁ ମିଳୁଛି । ସେହିପରି ପିଇବା ପାଣି ପାଇପ ମଧ୍ୟ ନାଳରେ ବୁଡି ରହୁଥିବା ଯୋଗୁଁ ଅସନା ପାଣି ପିଇବାକୁ ବାଧ୍ୟ ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ସେଠାକାର ଲୋକେ ପୌର ପରିଷଦକୁ ନୂତନ ନାଳ ନିର୍ମାଣ ଦାବି ସହ ଘୋଡଣି ପକେଇବା ଓ ସଫା କରିବା ପାଇଁ ସ୍ଥାନୀୟ ମହିଳାମାନେ ଦାବି କରିଛନ୍ତି । ସେହିପରି ୱାର୍ଡ ନମ୍ବର ୧୫ର ଶାନ୍ତି ନିବାସ ଗଳି ପଛ ତଳ ପଟେ ମଧ୍ୟ ସମାନ ଅବସ୍ଥା । ଦୁଇ ମାସରୁ ଅଧିକ ସମୟ ବିତି ଯାଇଥିଲେ ହେଁ ପୌର ପରିଷଦର ସଫେଇ କର୍ମଚାରୀ ଆସି ଉପର ପଟ ଅଳିଆ ଆବର୍ଜନା ଫିଙ୍ଗୁ ଥିବା ବେଳେ ତଳ ପଟେ ଢାଙ୍କୁଣି କାଢି ସଫା ନ କରିବା ଫଳରେ ଉପର ପଟୁ ବେଶି ପାଣି ଛାଡ଼ିଲେ ତଳ ପଟେ ଫାଙ୍କ ଥିବା ସ୍ଥାନରୁ ଅସନା ପାଣି ନିର୍ଗତ ହେବା ଯୋଗୁଁ ସ୍ଥାନୀୟ ଲୋକେ ନିଜେ ସଫା କରୁଛୁ ବୋଲି ଦୁଃଖର ସହିତ ପ୍ରକାଶ କରିଛନ୍ତି । ସରକାର ଗୋଟିଏ ପଟେ ସ୍ୱଚ୍ଛତାର ଡିଣ୍ଡିମ ପିଟୁ ଥିବା ବେଳେ ଅବହେଳିତ ଅବସ୍ଥାରେ ଏହି ଦୁଇ ୱାର୍ଡର ବାସିନ୍ଦା ରହୁଛନ୍ତି । ଏ ଦିଗରେ ଯଥା ଶୀଘ୍ର ଦୃଷ୍ଟି ଦେଇ ନିୟମିତ ସଫା କରିବାକୁ ଏହି ଦୁଇ ୱାର୍ଡର ବାସିନ୍ଦା ଦାବି କରିଛନ୍ତି ।

Leave A Reply

Your email address will not be published.