ଚଳିତବର୍ଷ ଏପ୍ରିଲ ୨୦ରୁ ଏଯାଏଁ ତୈଳ ଓ ବାଷ୍ପ କ୍ଷେତ୍ରରେ ୫.୮୮ ଲକ୍ଷ କୋଟି ଟଙ୍କା ବ୍ୟୟରେ ୮୩୬୩ ପ୍ରକଳ୍ପର ନିର୍ମାଣ କାର୍ୟ୍ୟ ଚାଲିଛି

• ଏହିସବୁ ପ୍ରକଳ୍ପରେ ପ୍ରାୟ ୩୩.୮ କୋଟି ଶ୍ରମ ଦିବସ ସୃଷ୍ଟି ହେବା ଘେନି ସରକାର ଆଶାବାଦୀ
• ପେଟ୍ରୋଲିୟମ ଉଦ୍ୟୋଗ ସଂକଟକୁ ସୁଯୋଗରେ ପରିଣତ କରିଛି; ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଅଭିବୃଦ୍ଧି ବଢାଇବା ପାଇଁ ମିଶନ ମୋଡରେ କାମ କରୁଛି

ନୂଆଦିଲ୍ଲୀ, (ପିଆଇବି) : ତୈଳ ଓ ପ୍ରାକୃତିକ ଗ୍ୟାସ ଉଦ୍ୟୋଗ କରୋନା ମହାମାରୀ ସତ୍ତ୍ୱେ କଟକଣା ମଧ୍ୟରେ ଏହାର ଅର୍ଥନୈତିକ କାର୍ୟ୍ୟକ୍ରମ ଓ ପ୍ରକଳ୍ପ ନିର୍ମାଣ କାର୍ୟ୍ୟକୁ ତ୍ୱରାନ୍ୱିତ କରିବାରେ ଲାଗିଛି । ଚଳିତବର୍ଷ ଏପ୍ରିଲ ୨୦ ତାରିଖରୁ କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା ପ୍ରକଳ୍ପ ମଧ୍ୟରୁ ୮୩୬୩ ପ୍ରକଳ୍ପର ନିର୍ମାଣ କାର୍ୟ୍ୟ ପୁଣି ଆରମ୍ଭ ହୋଇଛି । କରୋନା ନିୟମାବଳୀକୁ ପାଳନ କରାଯାଇ ଏହି କାର୍ୟ୍ୟ ଚାଲିଛି । ଏହିସବୁ ପ୍ରକଳ୍ପରେ ପ୍ରାୟ ୫.୮୮ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବାର ଆଶା କରାଯାଉଛି ।
ଏହିସବୁ ପ୍ରକଳ୍ପ ସିପିଏସ୍‌ସି, ଯୁଗ୍ମ ଉଦ୍ୟୋଗ ଓ ସହାୟକ ଉଦ୍ୟୋଗରେ କାର୍ୟ୍ୟକାରୀ ହେଉଛି । ଏଥିରେ ତୈଳ ବିଶୋଧନାଗାର ପ୍ରକଳ୍ପ, ଜୈବ ବିଶୋଧନ, ଇ ଆଣ୍ଡ ପି ପ୍ରକଳ୍ପ, ମାର୍କେଟିଂ ଇନ୍‌ଫ୍ରାଷ୍ଟ୍ରକଚର ପ୍ରକଳ୍ପ, ପାଇପ ଲାଇନ, ସିଜିଡି ପ୍ରକଳ୍ପ ତଥା ଡ୍ରିଲିଂ ଓ ସର୍ଭେ କାମ ଅନ୍ତର୍ଭୁକ୍ତ । ସେଥିମଧ୍ୟରୁ ଯେଉଁ ୨୫ଟି ବୃହତ୍‌ ତୈଳ ଓ ବାଷ୍ପ ପ୍ରକଳ୍ପ ସିପିଏସ୍‌ସି ଓ ଜେଭି ମାଧ୍ୟମରେ କାର୍ୟ୍ୟକାରୀ ହେଉଛି ସେଥିରେ ୧,୬୭,୨୪୮ କୋଟି ଟଙ୍କା ବିନିଯୋଗ ହେବ ବୋଲି ଅନୁମାନ କରାଯାଉଛି । ଏହି ପ୍ରକଳ୍ପରେ ବର୍ତ୍ତମାନ ସୁଦ୍ଧା ୭୮୬୧ କୋଟି ଟଙ୍କାର କ୍ୟାପେକ୍ସ ପାଣ୍ଠି ବିନିଯୋଗ ହେଲାଣି । ଏହା ମାଧ୍ୟମରେ ୭୬,୫୬,୮୨୫ ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଏହାର ହିସାବ ତଳେ ପ୍ରଦାନ କରାଯାଇଛି ।
କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁ ତୈଳ ଓ ଗ୍ୟାସ କଂପାନୀଗୁଡିକର ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପ କାର୍ୟ୍ୟର ସମୀକ୍ଷା ନିୟମିତଭାବେ କରୁଛନ୍ତି । ଚଳିତ ମାସ ୨୪ ତାରିଖରେ ଏଭଳି ଏକ ବ୍ୟାପକ ସମୀକ୍ଷା କରାଯାଇଥିଲା । ସଂକଟକୁ ସୁଯୋଗରେ ପରିଣତ କରିବାରେ ପେଟ୍ରୋଲିୟମ ଓ ବାଷ୍ପ ଉଦ୍ୟୋଗର ଭୂମିକା ଏବଂ ନିଯୁକ୍ତି କ୍ଷେତ୍ରରେ ଏହା କିପରି ମିଶନ ମୋଡରେ କାର୍ୟ୍ୟ କରୁଛି ସେ ନେଇ ମନ୍ତ୍ରୀ ଶ୍ରୀ ପ୍ରଧାନ ସବିଶେଷ ସମୀକ୍ଷା କରିଥିଲେ । ମିଶନ ମୋଡରେ କାର୍ୟ୍ୟ କରି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସେ ଏହି ଅବସରରେ ପରାମର୍ଶ ଦେଇଥିଲେ । ଏବେ ଦେଶର ଅର୍ଥନୀତିରେ ଯେଉଁ ଆଶାର କିରଣ ସୃଷ୍ଟି ହୋଇଛି ଏବଂ ଯେଉଁ ପ୍ରାରମ୍ଭିକ ସଫଳତା ମିଳିଛି ସେଥିରେ ତୈଳ ଓ ଗ୍ୟାସ ଉଦ୍ୟୋଗଗୁଡିକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି । ଜାତୀୟ ଅର୍ଥନୀତି, ନିଯୁକ୍ତି ସୃଷ୍ଟି ଏବଂ ସାମଗ୍ରୀ ପରିବହନ କ୍ଷେତ୍ରରେ ତୈଳ ଓ ଗ୍ୟାସ ଉଦ୍ୟୋଗର ଉଲ୍ଲେଖନୀୟ ଭୂମିକା ଥିବାରୁ ଏହା ନିଷ୍ଠାର ସହ ନିଜର ଦାୟିତ୍ୱ ନିର୍ବାହ କରୁଛି ।
ଏହିସବୁ ପ୍ରକଳ୍ପର ଆନୁମାନିକ ଖର୍ଚ୍ଚ ମଧ୍ୟରୁ ପ୍ରାୟ ୧୨୦ ଲକ୍ଷ କୋଟି ଟଙ୍କା ୨୦୨୦-୨୧ଆର୍ଥିକ ବର୍ଷରେ ବିନିଯୋଗ କରିବାକୁ କାପେକ୍ସ ଧାର୍ୟ୍ୟ ହୋଇଛି । ସେଥିମଧ୍ୟରୁ ୨୦୨୦ ଅଗଷ୍ଟ ୧୫ ସୁଦ୍ଧା ପ୍ରାୟ ୨୬,୫୭୬ କୋଟି ଟଙ୍କା ବିନିଯୋଗ ହୋଇସାରିଲାଣି । ଏହି ସମୟ ମଧ୍ୟରେ ଶ୍ରମିକମାନଙ୍କ ମଜୁରି ବାବଦରେ ୩,୨୫୮ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଏହି ୮୩୬୩ ପ୍ରକଳ୍ପର ନିର୍ମାଣ କାର୍ୟ୍ୟ ଶେଷ କରିବା ପାଇଁ ମୋଟ ପ୍ରାୟ ୩୩.୮ କୋଟି ଶ୍ରମ ଦିବସ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ସୃଷ୍ଟି ହେବ ବୋଲି ହିସାବ କରାଯାଇଛି । ଏହି ଶ୍ରମ ଦିବସ ମଧ୍ୟରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୯.୭୬ କୋଟି ଶ୍ରମ ଦିବସ ଅଗଷ୍ଟ ୧୫ ସୁଦ୍ଧା ସୃଷ୍ଟି ହୋଇସାରିଛି । ଏହାଛଡା ତୈଳ ଓ ଗ୍ୟାସ ପ୍ରକଳ୍ପର କାର୍ୟ୍ୟକାରିତାରେ ପୁଞ୍ଜି ବ୍ୟୟ ମାଧ୍ୟମରେ ୨.୨ କୋଟି ଶ୍ରମ ଦିବସ ମଧ୍ୟ ସୃଷ୍ଟି ହୋଇପାରିଛି ।
ତୈଳ ଓ ବାଷ୍ପ କଂପାନୀ ସମୂହଙ୍କ ରିପୋର୍ଟ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ସେମାନେ ୪୧,୬୭୨ କୋଟି ଟଙ୍କାର ନିଯୁକ୍ତି ଭିତ୍ତିକ ଓପେକ୍ସ ସୃଷ୍ଟି କରିବାକୁ ଯୋଜନା କରିଛନ୍ତି । ଇତିମଧ୍ୟରେ ୧୧,୨୯୬ କୋଟି ଟଙ୍କା ଖର୍ଚ୍ଚ ସରିଲାଣି । ଏହି ୪୧,୬୭୨ କୋଟି ଟଙ୍କାର ଓପେକ୍ସ ମାଧ୍ୟମରେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷଭାବେ ପ୍ରାୟ ୧୪.୫ କୋଟି ଶ୍ରମ ଦିବସ ସୃଷ୍ଟି ହେବାର ଲକ୍ଷ୍ୟ ରହିଛି । ଚଳିତ ଆର୍ଥିକ ବର୍ଷର ଗତ ଅଗଷ୍ଟ ୧୫ ସୁଦ୍ଧା ଏହି ଓପେକ୍ସ ମାଧ୍ୟମରେ ପ୍ରାୟ ୪.୪ କୋଟି ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି ।
୨୦୨୦-୨୧ ଆର୍ଥିକ ବର୍ଷରେ କାପେକ୍ସ ଓ ନିଯୁକ୍ତି ଭିତ୍ତିକ ଓପେକ୍ସ ବାବଦରେ ମୋଟ ୧.୬୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାର ଲକ୍ଷ୍ୟ ରହିଛି । ଏହି ଅର୍ଥ ବିନିଯୋଗ କରି ତୈଳ ଓ ବାଷ୍ପ କଂପାନୀମାନେ ଉଭୟ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷଭାବେ ୨୪ କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ସକ୍ଷମ । ବ୍ୟୟ ହେବାକୁ ଥିବା ଏହି ଅର୍ଥ ବିଭିନ୍ନ ପର୍ୟ୍ୟାୟରେ ଅର୍ଥନୀତିରେ ପଶିବ ଏବଂ ଏହାଦ୍ୱାରା ନିଯୁକ୍ତି ସୁଯୋଗ ବଢିବା ସହ ଦେଶର ଅର୍ଥନୀତି ସମୃଦ୍ଧ ହେବ ।

Leave A Reply

Your email address will not be published.