୭ ଡକାୟତ ଗିରଫ : ଟ୍ରକ ସହ ୪ ବାଇକ ଜବତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଆଜି ୭ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଡକାୟତ ଦଳ ଡୁଙ୍ଗୁରିପାଲି ଅଂଚଳର କପାସିରାଠାରେ ଥିବା ଆଶୀର୍ବାଦ କନଷ୍ଟ୍ରକସନ୍ସ ପରିସରରୁ ଗତକାଲି ରାତି ଲୁହାଛଡ, ସିମେଂଟ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀକୁ ଏକ ଟ୍ରକରେ ବୋଝେଇ କରି ନେବାକୁ ଉଦ୍ୟମ କରିଥିଲେ । ଡକାୟତି ସମୟରେ ନିର୍ମାଣ ଗୋଦାମକୁ ଜଗି ରହିଥିବା ରାତ୍ର ଜଗୁଆଳି ଓ ସୁପର ଭାଇଜରଙ୍କୁ ଅଭିଯୁକ୍ତମାନେ ଦଉଡିରେ ବାନ୍ଧି ରଖିଥିଲେ । ଏହି ଘଟଣାକୁ ନେଇ ନିର୍ମାଣ ସଂସ୍ଥାର ରାତ୍ର ଜଗୁଆଳି ନନ୍ଦକିଶୋର କଲେତଙ୍କ ରିପୋର୍ଟ ଆଧାରରେ ଡୁଙ୍ଗୁରିପାଲି ପୋଲିସ ଏକ ମାମଲା ରୁଜୁକରି ସମସ୍ତ ସାତ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି । ଡୁଙ୍ଗୁରିପାଲି ଥାନା କେସ ନଂ ୧୪୩ ରେ ଆଇପିସି ଧାରା ୧୨୦( ବି) ୩୯୫/୩୯୭/୪୫୦ ମାମଲା ଦାୟର କରି ୭ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଏହି ଅଭିଯୁକ୍ତ ମାନଙ୍କ ପାଖରୁ ଜିଲ୍ଳା ପୋଲିସ ଏକ ଟ୍ରକ ସହ ୫ ମୋବାଇଲ ଏବଂ ୪ ବାଇକକୁ ଜବତ କରିଛି । ସାତ ଜଣ ଅଭିଯୁକ୍ତ ହେଲେ ବଲାଙ୍ଗିର ଜିଲ୍ଲାର ଗୋବିନ୍ଦ ପଧାନ, ଆକଶ ନାଗ, ପ୍ରଶାନ୍ତ ବାଗ, ଆଶିଷ ବାରିକ, ଦିପକ ବାଗ ସହ ବରଗଡ ଜିଲ୍ଲାର ମଣିନ୍ଦ୍ର ଭୋଇ ଏବଂ ସୁବର୍ଣ୍ଣପୁର ଜିଲ୍ଳାର ଭଗବତ କୁଅଁରକୁ ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି ।

Leave A Reply

Your email address will not be published.