ଟିଟିଲାଗଡ : ୪ ଦିନ ସଟ୍ ଡାଉନକୁ ନେଇ ଜନ ଅସନ୍ତୋଷ

ଟିଟିଲାଗଡ (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାରେ କୋରୋନାର କାୟା ବିସ୍ତାରକୁ ଆଖି ଆଗରେ ରଖି ବଲାଙ୍ଗିର ଜିଲ୍ଲାପାଲ୍ ଅରିନ୍ଦମ ଡାକୁଆ ସମ୍ପୁର୍ଣ୍ଣ ବଲାଙ୍ଗିର ଜିଲ୍ଲା କୁ ୮ ରୁ ୧୧ ତାରିଖ ପର୍ୟ୍ୟନ୍ତ ୪ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏହାକୁ ନେଇ ଟିଟିଲାଗଡରେ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି । ଟିଟିଲାଗଡ ଜନ ସାଧାରଣ ଏହାକୁ ଦୃଢ ନିନ୍ଦା କରିଛନ୍ତି । ଟିଟିଲାଗଡ ଅଞ୍ଚଳ କୋରୋନା ମୁକ୍ତ ଥିବା ସତ୍ତ୍ଵେ ବିନା କାରଣରେ ବନ୍ଦ୍ କରାଯିବା କେତେ ଦୂର ଠିକ୍ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ବନ୍ଦ୍ ଯୋଗୁଁ ଟିଟିଲାଗଡର ନିର୍ଦ୍ଦୋଷ ଜନସାଧାରଣ ସହ ପାଖ ଅଞ୍ଚଳର ଅନେକ ଦିନ ମଜୁରିଆ, ଶ୍ରମିକ, ଚାଷୀ, ପରିବା ବିକାଳୀ ତଥା ଛୋଟ ବଡ଼ ସମସ୍ତ ଦୋକାନୀମାନେ ପ୍ରଭାବିତ ହେଉଥିବା କହିଛନ୍ତି।

ଜ୍ଞାନରଞ୍ଜନ ସରାଫ ( ଟିଟିଲାଗଡ ବିଧାନସଭା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି )
ପ୍ରଶାସନ ନିଜର ଅପାରଗତା ଲୁଚାଇବା ପାଇଁ ସାଧାରଣ ଗରିବ, ଖଟିଖିଆ , ଦିନ ମଜୁରିଆଙ୍କ ବୋଝ ଉପରେ ନଳିତା ବିଡ଼ା ସଦୃଶ । କୋରୋନାର ଆର୍ଥିକ ସଙ୍କଟ ଉପରେ ସଟ ଡାଉନ୍ ଲଗାଇବା ନିନ୍ଦନୀୟ । ଟିଟିଲାଗଡ଼ ପୌରସିମାକୁ ସିଲ୍ କରିବା ପରିବର୍ତ୍ତେ ସିଧ।ସଳଖ ଗରିବଙ୍କ ପେଟରେ ଲାତ ମାରିବା ଅମାନବୀୟ ତଥା କ୍ଷମତାର ଅପବ୍ୟବହାର ମନେ ହେଉଛି।

ସନ୍ତୋଷ ମହାନ୍ତି ( ରାଜ୍ୟ ସାଧାରଣ ସଂପାଦକ କଳିଙ୍ଗ ବଡ଼ି ବିଲ୍ଡିଂ ଓ ଫିଟନେସ୍ ଆସୋସିଏସନ୍ (KBBFA) ତଥା ଜୁନିୟର ୱାରେଣ୍ଟ ଅଫିସର୍ ଭାରତୀୟ ବାୟୁ ସେନା)
କାହିଁକି ଏହି ୪ ଦିନ ଅନାବଶ୍ୟକ ବନ୍ଦ ହେଲା ପରେ ଟିଟଲାଗଡରେ ଏହି ସପ୍ତାହରେ ୨ ଦିନ ବନ୍ଦ ହୋଇଗଲା ଯେଉଁଠାରେ ଆଜି ପର୍ୟ୍ୟନ୍ତ କେବଳ ଗୋଟିଏ ମାମଲା ନିଶ୍ଚିତ ହୋଇଛି ? କାହିଁକି କଲେକ୍ଟର ଟିଟିଲାଗଡରେ କାର୍ୟ୍ୟାନ୍ୱୟନ ବନ୍ଦ ଭଳି ନିଜର ଏକଛତ୍ରବାଦୀ ଶାସନ ପ୍ରଦର୍ଶନ କରନ୍ତି ? ଆମେ ବନ୍ଦକୁ କାର୍ୟ୍ୟକାରୀ କରିବା ପାଇଁ ମଧ୍ୟ ସମର୍ଥନ କରୁ । କିନ୍ତୁ ଯଦି ସେ ପ୍ରଭାବିତ ହୋଇ ନ ଥିବା ଅଞ୍ଚଳରେ ନିଜର କ୍ଷମତାର ଅପବ୍ୟବହାର କରନ୍ତି ଓ ବନ୍ଦ ଡାକରା ଦିଅନ୍ତି ତାହା କେତେ ଯୁକ୍ତି ଯୁକ୍ତ ? ବ୍ୟବସାୟ ସମ୍ପ୍ରଦାୟ ଉପରେ ଖରାପ ପ୍ରଭାବ ପକାଇବାକୁ ଯାଉଛି ।

ପ୍ରଶାନ୍ତ ଷଡଙ୍ଗୀ(ବିଜେପି. ନଗର ସଭାପତି, ଟିଟିଲାଗଡ)
ସମଗ୍ର ବଲାଙ୍ଗିର ଜିଲ୍ଲା ସହ ଟିଟିଲାଗଡ ସହର ତଥା ବ୍ଲକକୁ ତୁଳନା କଲେ ଜଣାଯାଏ ଯେ ଏହି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇନାହି ତଥା ଏହା କରୋନା ମୁକ୍ତ ଅଞ୍ଚଳ ଅଟେ । ତେଣୁ କୌଣସି ବୈଜ୍ଞାନିକ ତର୍କ ନଥାଇ ଅଯଥାରେ ଏହି ୪ଦିନିଆ ସଟ ଡାଉନ କରାଯାଉଛି । ଫଳରେ ରାସ୍ତାକଡ଼ ତଥା ଛୋଟ ବ୍ୟବସାୟୀମାନେ ଗମ୍ଭୀର ଆର୍ଥିକ ବିପର୍ୟ୍ୟୟର ସମ୍ମୁଖୀନ ହଉଛନ୍ତି ।

ଆଲୋକ ନାୟକ ( ନିଖିଳ ଶ୍ରମିକ ସଂଘ, ପଶ୍ଚିମ ଓଡ଼ିଶା ସଭାପତି)
ଏହି ସଟ୍ ଡାଉନ୍ ପାଇଁ ବହୁ ଲୋକ ହଇରାଣ ହେଉଛନ୍ତି । ସାଧାରଣ ଜନତା, ଚାଷୀ, ବିଭିନ୍ନ ପ୍ରକାର ଶ୍ରମିକ, ପନିପରିବା ବିକାଳୀ, ଦିନ ମଜୁରିଆ ସମସ୍ତେ ଏହାର ଶିକାର ହେଉଛନ୍ତି । ଯେଉଁ ସ୍ଥାନରେ ଅଧିକ କୋରୋନା ପ୍ରଭାବିତ ହେଲାଣି ସେହି ସ୍ଥାନକୁ ବନ୍ଦ୍ କରି ସମସ୍ତ ପ୍ରଭାବିତ ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ଉଚିତ୍ । କିନ୍ତୁ ଟିଟିଲାଗଡ ଭଳି କୋରୋନା ମୁକ୍ତ ଅଞ୍ଚଳକୁ ବିନା କାରଣରେ ସଟ୍ ଡାଉନ୍ କରିବା ଆମେ ଟିଟିଲାଗଡ ବାସୀ ବିରୋଧ କରୁଛୁ ।

ନିରାକାର ସରାଫ ( ବ୍ୟବସାୟୀ)
ପଶ୍ଚିମ ଓଡ଼ିଶାର ମୁଖ୍ୟ ରେଳବାଇ ଜଙ୍କସନ୍ ମଧ୍ୟରୁ ଟିଟିଲାଗଡ଼ ଆଗଧାଡିରେ ଥାଇ ଏବଂ ଏଠାକୁ ଅନେକ ଶ୍ରମିକ ସ୍ପେଶଲ୍ ଟ୍ରେନ ଆସି ମଧ୍ୟ ଟିଟିଲାଗଡ଼ରେ ଆଜି କୋରୋନା ଆକ୍ରାନ୍ତ ଶୂନ୍ୟ । କିନ୍ତୁ ବଲାଙ୍ଗୀର ସହରର କୋରୋନା ବ୍ୟାପିବାକୁ ପ୍ରତିହତ ନ କରିପାରି ଟିଟିଲାଗଡ଼ ଭଳି ଛୋଟ ବ୍ୟବସାୟିକ ସ୍ଥଳୀରେ ସଟ୍ ଡାଉନ୍ କରିବା ମଧ୍ୟବିତ୍ତ ତଥା କ୍ଷୁଦ୍ର ବ୍ୟବସାୟୀଙ୍କ ପେଟରେ ଆଘାତ ଦେବା ସହିତ ସମାନ । କାରଣ ଗରିବ ସରକାରୀ ଅନୁଦାନ ଏବଂ ଧନୀକ ଶ୍ରେଣୀ ନିଜର ସଞ୍ଚିତ ସମ୍ବଳରେ ଗୁଜୁରାଣ ମେଣ୍ଟାଇ ଦେବେ କିନ୍ତୁ ମଧ୍ୟବିତ୍ତ ବଞ୍ଚିବେ କିପରି ? ସଟଡାଉନ୍ ଜରୁରୀ କିନ୍ତୁ ଲଗାତାର ଚାରିଦିନ ସଟଡାଉନ୍ କରିବା ଏବଂ ପଞ୍ଚମ ଦିନରେ ଲୋକଙ୍କ ବଜାର ତଥା ସହର ଭିତରେ ଭିଡ଼ କୋରୋନାକୁ ସିଧାସଳଖ ଆମନ୍ତ୍ରଣ ।

Leave A Reply

Your email address will not be published.