jayashree

ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଯାପିତ

  • “ଝାରମୁଣ୍ଡା ଓଏଭିର ସୌମ୍ୟାଶ୍ରୀଙ୍କ ବାଜିମାତ୍‌”

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର କନଫରେନ୍ସ ହଲ୍‌ରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଆଲୋଚନା ଚକ୍ର ବିଷୟ ‘ଭାରତର ଶକ୍ତି ସମ୍ପଦ ୨୦୪୭:ସମ୍ଭାବନା ଓ ଆହ୍ୱାନ’ ରହିଥିବା ବେଳେ ଜିଲ୍ଲାର ୧୪ଟି ବ୍ଲକରୁ ମନୋନୀତ ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦେଇ ନିଜର ତଥ୍ୟଭିତ୍ତିକ ଓ ଚିନ୍ତନଶୀଳ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ବିଜ୍ଞାନ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି ଚିନ୍ତା, ଅନୁସନ୍ଧାନ ଓ ଦୈନନ୍ଦିନ ଜୀବନ ସହ ଜଡ଼ିତ ହେବା ଆବଶ୍ୟକ । ଭାରତକୁ ୨୦୪୭ ସୁଦ୍ଧା ଏକ ବିକଶିତ ଓ ଆତ୍ମନିର୍ଭର ରାଷ୍ଟ୍ରରେ ପରିଣତ କରିବାରେ ଶକ୍ତି ସମ୍ପଦର ସୁବିଚାରିତ ବ୍ୟବହାର, ନବୀକରଣୀୟ ଶକ୍ତିର ବିକାଶ ଓ ଶକ୍ତି ସଂରକ୍ଷଣରେ ଯୁବପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଭଳି ବିଜ୍ଞାନଭିତ୍ତିକ ଆଲୋଚନା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୁକ୍ତିଶୀଳ ଚିନ୍ତନ ଓ ସମସ୍ୟା ସମାଧାନର ଦକ୍ଷତା ବିକଶିତ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା, ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇ ନିଜ ବକ୍ତବ୍ୟରେ ଏଭଳି ଆଲୋଚନା ଚକ୍ର ମାଧ୍ୟମରେ ପିଲାମାନଙ୍କ ପ୍ରତିଭାକୁ ଚିହ୍ନଟ କରି ତାହାକୁ ଆହୁରି ବିକଶିତ କରିବାର ସୁଯୋଗ ମିଳୁଛି ବୋଲି କହିଥିଲେ । ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀ, ବିଜ୍ଞାନ ଶିକ୍ଷକ କୃଷ୍ଣଚନ୍ଦ୍ର ଶତପଥୀ, ଜଗଦୀଶ ମିଶ୍ର ଏବଂ ପଞ୍ଚସଖା ଶିକ୍ଷା ସେତୁର ଆବାହକ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ମଞ୍ଚାସୀନ ଥିଲେ । ପ୍ରତିଯୋଗିତାରେ ନିଜର ଦକ୍ଷତା, ତଥ୍ୟ ଓ ଯୁକ୍ତିପୂର୍ଣ୍ଣ ଉପସ୍ଥାପନ ମାଧ୍ୟମରେ ଲୋଇସିଂହା ବ୍ଲକର ଓଏଭି ଝାରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ରୀ ସୌମ୍ୟାଶ୍ରୀ ଥନାପତି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ବଙ୍ଗୋମୁଣ୍ଡା ବ୍ଲକ ଓଏଭି ଭାଲୁମୁଣ୍ଡାର ନବମ ଶ୍ରେଣୀ ଛାତ୍ରୀ ଲିପି ସଗରିଆ ଦ୍ୱିତୀୟ ଏବଂ ବଲାଙ୍ଗିର ସଦର ବ୍ଲକର ଧୋବା ହାଇସ୍କୁଲ, ହର୍ଡାଟାଲର ଦଶମ ଶ୍ରେଣୀ ଛାତ୍ରୀ ଶିବାନ୍ୟା ଭୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଜୟୀ ପ୍ରତିଯୋଗୀମାନେ ଅତିଥିମାନଙ୍କ ଠାରୁ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ । ବିଚାରକ ଭାବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ରିଡର୍‌ ଡ. ଜଗଜିତ କାମିଲା ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ ନାୟକ ଯୋଗଦେଇ ପ୍ରତିଯୋଗୀମାନଙ୍କ ବକ୍ତବ୍ୟର ମୂଲ୍ୟାୟନ କରିଥିଲେ । ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଓଏଭି ଝାରମୁଣ୍ଡାର ଛାତ୍ରୀ ସୌମ୍ୟାଶ୍ରୀ ଥନାପତି ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ରରେ ବଲାଙ୍ଗିର ଜିଲ୍ଲାର ପ୍ରତିନିଧିତ୍ୱ କରିବେ ।

Leave A Reply

Your email address will not be published.