ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକରେ ପୁଣିଥରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ନିଶ୍ଚିତି ଯୋଜନା (ମନରେଗା) କାମରେ ଅନିୟମିତତା ନେଇ ଅଭିଯୋଗ ଆସିଛି । ବ୍ଲକ ଅନ୍ତର୍ଗତ ବଡଡକଲା ପଞ୍ଚାୟତର ଗୁର୍ଲାଗୁଡ଼ା ଗ୍ରାମରେ ଥିବା ପଖେନ୍ ଚଚରା ପୋଖରୀର ମାଟି ଉନ୍ନତିକରଣ କାମକୁ ନେଇ ଏହି ଅଭିଯୋଗ ଉଠିଛି । ସ୍ଥାନୀୟ ସୂଚନା ଅନୁସାରେ, ଏହି ପୋଖରୀ ପାଇଁ ଲଗା ଯାଇଥିବା ସୂଚନା ଫଳକରେ ଦୁଇଟି ଭିନ୍ନ ଆର୍ଥିକ ବର୍ଷରେ କାମ ହୋଇଥିବା ଉଲ୍ଲେଖ ରହିଛି । ପ୍ରଥମ କାମଟି ୨୪ ଜାନୁଆରୀ ୨୦୨୫ ତାରିଖରେ ପ୍ରାୟ ୭ ଲକ୍ଷ ଟଙ୍କା ବ୍ୟୟରେ କରାଯାଇଥିବା ବେଳେ, ଦ୍ୱିତୀୟ କାମଟି ୧୭ ମଇ ୨୦୨୫ ତାରିଖରେ ପୁଣି ୧୦ ଲକ୍ଷ ଟଙ୍କା ବ୍ୟୟରେ ସମ୍ପନ୍ନ ହୋଇଥିବା ଦର୍ଶାଯାଇଛି । ମାତ୍ର ୩ ମାସର ବ୍ୟବଧାନରେ ଗୋଟିଏ ପୋଖରୀରେ ଦୁଇଥର ମାଟି କାମ କରାଯାଇଥିବା ତଥ୍ୟ ଦେଖି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ଅଳ୍ପ କାମକରି ବହୁ ଟଙ୍କା ଉଠାଯାଇଥିବା ଏବଂ ସରକାରୀ ଅର୍ଥର ଦୁରୁପଯୋଗ ହୋଇଥିବା ନେଇ ଅଭିଯୋଗ ହେଇଛି । ଏହି ଘଟଣାର ସଠିକ୍ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ମହଲରୁ ପ୍ରଶାସନଙ୍କ ନଜରକୁ ଆଣାଯାଇଛି । ଏହା ସହିତ, ମନରେଗା ଯୋଜନାର କାର୍ଯ୍ୟ ନିଷ୍ପାଦନରେ ପାରଦର୍ଶିତା ନିଶ୍ଚିତ କରିବା ଓ ସରକାରୀ ଧନର ସଠିକ୍ ବ୍ୟବହାର ନେଇ ତତ୍କାଳ ତଦନ୍ତ କରାଯିବାକୁ ଦାବି ହୋଇଛି ।
Next Post