ବ୍ରହ୍ମପୁର, (କେପିଏନ୍ଏସ୍) : ଚଳିତ ବର୍ଷ ଗଂଜାମ ଜିଲ୍ଲାରେ ୧ଲକ୍ଷ ୫୬ ହଜାର ଚାଷୀ ପଞ୍ଜିକରଣ କରିଥିବା ବେଳେ ୧ ଲକ୍ଷ ୪୭ ହଜାର ଚାଷୀଙ୍କ ଧାନ କିଣାଯାଇଛି । ୧ ଲକ୍ଷ ୪୭ ହଜାର ଚାଷୀଙ୍କ ଠାରୁ ମାତ୍ର ୫୪ ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯାଇଥିବା ବେଳେ ଗତ ବର୍ଷ ୧ ଲକ୍ଷ ୨୯ ହଜାର ଚାଷୀଙ୍କ ଠାରୁ ୫୮ ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯାଇଥିଲା । ଗତ ବର୍ଷ ଚାଷୀମାନେ ସେହି ଜମିର ପଞ୍ଜିକରଣ କରି ଯେତିକି ପରିମାଣ ଧାନ ବିକିବାକୁ ଟୋକେନ୍ ଆସିଥିଲା । ଚଳିତ ବର୍ଷ ସେହି ଜମିକୁ ପଞ୍ଜୀକରଣ କରି ସୁଦ୍ଧା ଅଧିକାଂଶ ଚାଷୀଙ୍କ ୧୦ରୁ ୨୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ କମ୍ ପରିମାଣ ଆସିଥିବାରୁ ଚାଷୀମାନେ ବାଧ୍ୟ ହୋଇ ବେପାରୀଙ୍କୁ ଅଧା ଦରରେ ବିକି କ୍ଷତି ସହୁଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ସମବାୟ ଅଧିକାରୀ ଏ ବିଷୟରେ କିଛି କରିପାରିବୁ ନାହିଁ ବୋଲି କହି ହାତ ଟେକି ଦେଉଛନ୍ତି । ଚଳିତ ବର୍ଷ ପ୍ରାୟ ୫ ହଜାର ଚାଷୀ ପଞ୍ଜିକରଣ କରିସୁଦ୍ଧା ତାଙ୍କର ଟୋକେନ ଆସି ନଥିବାରୁ ସେମାନେ ଧାନ ବିକିବା ପାଇଁ ଅନେଇଁ ବସିଛନ୍ତି । ଯୋଗାଣ ଓ ସମବାୟ ଅଫିସ୍ ଧାଇଁ ଧାଇଁ ଖର୍ଚ୍ଚାନ୍ତ ହୋଇ ହଇରାଣ ହେଉଛନ୍ତି । ଗରିବ ଚାଷୀଙ୍କ ଦୁଃଖ ବୁଝିବାକୁ କିଏ ନାହାଁନ୍ତି । ଚଳିତ ବର୍ଷ ଧାନ ଜୁନ୍ ମାସରେ ରୁଆ ହେଲା । ତା’ ପରେ ଚାଷୀମାନେ ପଞ୍ଜିକରଣ କଲେ । ସେପ୍ଟେମ୍ୱର ମାସରେ ରାଜସ୍ୱ ଅଧିକାରୀ ଏବଂ କୃଷି ଗ୍ରାମ ସେବକ ମିଶି ତଦନ୍ତ କରି ସେହି ଜମିରେ ଧାନ ରୁଆ ହୋଇଛି ବୋଲି ରିପୋର୍ଟ ଦେଇଛନ୍ତି । ସେହି ଚାଷୀଙ୍କ ପଞ୍ଜିକରଣ କଟିଲା କେମିତି, କିଏ କାଟିଲା ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି । ସେଟ୍ ଲାଇଟ୍ ସର୍ଭେରେ କଟିଲା ବୋଲି ସମବାୟ ଅଧିକାରୀ କହୁଛନ୍ତି । ମାତ୍ର ପ୍ରକୃତ ଧାନ ଚାଷ କରିଥିବା ଜମି ଗୁଡ଼ିକ ସମବାୟ ଅଧିକାରୀମାନେ ଜାଣିଶୁଣି କମ୍ ଟାର୍ଗେଟ୍ ଆସିବ ବୋଲି କଟେଇଛନ୍ତି ବୋଲି ସରପଞ୍ଚ ନିରଞ୍ଜନ ପ୍ରଧାନ ଏବଂ ଚାଷୀମାନେ ଅଭିଯୋଗ କରିଛନ୍ତି । ଆସନ୍ତା ସପ୍ତାହରେ ଧାନକିଣା ସରିଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହୁଛନ୍ତି । ଦୁଃଖର ବିଷୟ ଋଷିକୂଲ୍ୟା ରୟତ ମହାସଭା ତରଫରୁ ଜିଲ୍ଲା ପ୍ରଶାସନ ଏବଂ ସମବାୟ ଅଧିକାରୀଙ୍କୁ ଏହି ସଂପର୍କରେ ଲିଖିତ ଭାବେ ବାରମ୍ୱାର ଜଣାଇଲେ ସୁଦ୍ଧା ଟୋକେନ୍ ବାଦ ପଡ଼ିଥିବା ଚାଷୀଙ୍କ କିପରି ଟୋକେନ୍ ଆସିବ, ସେଥିପାଇଁ ସମବାୟ ଅଧିକାରୀ ସରକାରଙ୍କୁ ଚିଠି ନ ଲେଖି ନୀରବ ରହିଛନ୍ତି । ଜିଲ୍ଲା କୃଷି ବିଭାଗ ତଥ୍ୟ ଅନୁଯାୟୀ ଏକର ପିଛା ୩୦ କ୍ୱିଣ୍ଟାଲ ଧାନ ଅମଳ ହୋଇଛି, ସେଥିରୁ ମାତ୍ର ୪୦ ଭାଗ ଧାନ କିଣାଯାଉଛି, ପୁଣି ଜମି ତୁଳନାରେ କମ୍ ପରିମାଣ ଆସୁଛି । ଜଣେ ମଧ୍ୟ ଯୋଗ୍ୟ ଚାଷୀ ଧାନ ବିକାରୁ ବାଦ୍ ହେବେ ନାହିଁ ବୋଲି ନିଜେ ମୁଖ୍ୟମନ୍ତ୍ରୀ ବିଧାନ ସଭାରେ ଘୋଷଣା କରୁଛନ୍ତି । ମାତ୍ର କାର୍ଯ୍ୟକାରୀ କରାଯାଉ ନାହିଁ । ଏଣୁ ପ୍ରକୃତ ଚାଷୀଙ୍କ ଧାନକିଣା ନ ଗଲେ ଚାଷୀ ସୁରକ୍ଷା ଅଭିଯାନର ଆବାହକ ରବି ରଥ ଓ ଋଷିକୂଲ୍ୟା ରୟତ ମହାସଭା ସଂପାଦକ ସିମାଞ୍ଚଳ ନାହାକ ମହାସଭା ତରଫରୁ ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଛନ୍ତି ।