କୃଷି-ଆର୍ଥିକ ଗବେଷଣା କେନ୍ଦ୍ର (ଏଇଆର୍ସି), ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟ, ବଲ୍ଲଭ ବିଦ୍ୟାନଗର, ଗୁଜରାଟର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ରଙ୍କ ଉଦ୍ବୋଧନ
- ନବସୃଜନ, ସହନଶୀଳତା ଓ ବିକାଶର ଏକ ମଡେଲ ଭାବେ ଗତ ୨୪ ବର୍ଷ ମଧ୍ୟରେ ଗୁଜରାଟର ରୂପାନ୍ତରଣ ବିଷୟରେ ଆଲୋକପାତ କଲେ ଡକ୍ଟର ପି.କେ ମିଶ୍ର
- ଗୁଜରାଟ ଜୀବିକା ଭିତ୍ତିକ ଅର୍ଥବ୍ୟବସ୍ଥାରୁ ଏକ ବିବିଧ ଏବଂ ବଜାର ଭିତ୍ତିକ କୃଷି କ୍ଷେତ୍ର ବିକଶିତ କରି ଭାରତର ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି : ଡକ୍ଟର ମିଶ୍ର
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର କୃଷି-ଆର୍ଥିକ ଗବେଷଣା କେନ୍ଦ୍ର (ଏଇଆର୍ସି), ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟ, ବଲ୍ଲଭ ବିଦ୍ୟାନଗର, ଗୁଜରାଟର ପ୍ରତିଷ୍ଠାଦିବସ କାର୍ଯ୍ୟକ୍ରମକୁ ଆଜି ସମ୍ବୋଧିତ କରିଛନ୍ତି । ଡକ୍ଟର ମିଶ୍ର ତାଙ୍କ ଅଭିଭାଷଣରେ ଗତ ୨୫ ବର୍ଷ ମଧ୍ୟରେ ଗୁଜରାଟର କୃଷି କ୍ଷେତ୍ରର ଉଲ୍ଲେଖନୀୟ ପରିବର୍ତ୍ତନ ଉପରେ ଆଲୋକପାତ କରି ଜୀବିକା ଭିତ୍ତିକ ଅର୍ଥବ୍ୟବସ୍ଥାରୁ ରାଜ୍ୟ ଏକ ବିବିଧ ଏବଂ ବଜାର ଭିତ୍ତିକ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି ବୋଲି କହିଛନ୍ତି । ଗୁଜରାଟର କୃଷିଭିତ୍ତିକ ସଫଳତା ଅନ୍ୟ ଭାରତୀୟ ରାଜ୍ୟମାନଙ୍କ ପାଇଁ ଏକ ଆଦର୍ଶ ଭାବରେ କାର୍ଯ୍ୟ କରୁଛି ବୋଲି ସେ ଜୋର ଦେଇ କହିଛନ୍ତି । ଦୀର୍ଘକାଳୀନ ଉତ୍ପାଦନ ଓ ପରିବେଶର ସୁରକ୍ଷା ପାଇଁ ଦୀର୍ଘସ୍ଥାୟୀ କୃଷି ପଦ୍ଧତିର ଆବଶ୍ୟକତା ଉପରେ ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଛନ୍ତି । ସେ ମୃତ୍ତିକା ପରୀକ୍ଷଣ, ସଂରକ୍ଷଣ ଚାଷ ଭଳି ରଣନୀତି ଏବଂ କୃଷି କାର୍ଯ୍ୟକୁ ସର୍ବୋତ୍ତମ ସ୍ତରରେ ପହଞ୍ଚାଇବା ପାଇଁ ରିମୋଟ୍ ସେନ୍ସିଂ, ଜିପିଏସ୍, ଡ୍ରୋନ୍ ଏବଂ ଏଆଇ ଭଳି ଉନ୍ନତ ଜ୍ଞାନକୌଶଳ ଆପଣାଇବାକୁ ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ କୃଷି ବର୍ଜ୍ୟରୁ ଅକ୍ଷୟ ଶକ୍ତି ଓ ଜୈବ ଶକ୍ତି ଉତ୍ପାଦନ ପାଇଁ ସେ ପ୍ରୋତ୍ସାହିତ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଆହ୍ଵାନ ସମ୍ପର୍କରେ ଅବତାରଣା କରି ଡକ୍ଟର ମିଶ୍ର ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବା ଏବଂ କୃଷକମାନଙ୍କ ପାଇଁ ଠିକ୍ ସମୟରେ ପାଣିପାଗ ପରାମର୍ଶ ଦେବା ପାଇଁ ଜଳବାୟୁ-ସ୍ମାର୍ଟ ଅଭ୍ୟାସ ଅବଲମ୍ବନ ପାଇଁ ଆହ୍ୱାନ ଦେଇଛନ୍ତି । କୃଷି ଗବେଷଣା, ବିଶେଷକରି ଜଳବାୟୁ ସହନଶୀଳ ଫସଲ, ଦକ୍ଷତାପୂର୍ଣ୍ଣ ଜଳ ବ୍ୟବହାର ଏବଂ ଅଭିନବ ଖତସାର ବିକାଶରେ ପୁଞ୍ଜିନିବେଶର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଜମି ବ୍ୟବହାର, ଫସଲ ଢାଞ୍ଚା, ଜଳସେଚନ ପଦ୍ଧତି, ବୈଷୟିକ ଜ୍ଞାନକୌଶଳ ଗ୍ରହଣ, ବଜାର ଗତିଶୀଳତା ଏବଂ ଗ୍ରାମୀଣ ସାମାଜିକ-ଆର୍ଥିକ ଢାଞ୍ଚାରେ ଗୁଜରାଟର ଉଲ୍ଲେଖନୀୟ ପରିବର୍ତ୍ତନ ବିଷୟରେ ଡ. ମିଶ୍ର ଆଲୋକପାତ କରିଛନ୍ତି । ଗୁଜରାଟର କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର କିପରି ଭାରତର ଜାତୀୟ ହାର ୫.୭ ପ୍ରତିଶତ ତୁଳନାରେ ୯.୭ ପ୍ରତିଶତ ସିଏଜିଆର ହାରରେ ବୃଦ୍ଧି ପାଇଛି ସେ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଆଲୋକପାତ କରିଛନ୍ତି ଏବଂ ଏହା ମୁଖ୍ୟତଃ ଆନୁସଙ୍ଗିକ କ୍ଷେତ୍ର ଦ୍ୱାରା ପରିଚାଳିତ ବୋଲି ସେ କହିଛନ୍ତି । କୃଷି ମହୋତ୍ସବ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଭଳି ପଦକ୍ଷେପର ଉଦାହରଣ ଦେଇ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ କୃଷକମାନଙ୍କୁ ସଶକ୍ତ କରିବାରେ ଗୁଜରାଟର ସଫଳତା ବିଷୟରେ ମଧ୍ୟ ଡକ୍ଟର ମିଶ୍ର ଆଲୋଚନା କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ଗୁଜରାଟ ହେଉଛି ଭାରତର ପ୍ରଥମ ରାଜ୍ୟ ଯେଉଁଠାରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଚଳନ କରାଯାଇଥିଲା, ଯାହା ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଉଚ୍ଚ ଉତ୍ପାଦନକାରୀ କିସମ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ରାଜ୍ୟର ଅଗ୍ରଗତି ଉପରେ ଆଲୋକପାତ କରି ଡ. ମିଶ୍ର ବିଟି କପା ଗ୍ରହଣ କ୍ଷେତ୍ରରେ ଗୁଜରାଟର ଉଲ୍ଲେଖନୀୟ ଅଗ୍ରଗତି ବିଷୟରେ ସେ ଉଲ୍ଲେଖ କରିଛନ୍ତି । ଏହା ଫଳରେ ଅଧିକ ଅମଳ ହୋଇଛି ଏବଂ ବିଶେଷ କରି ଶୁଷ୍କ ଅଞ୍ଚଳରେ କୀଟନାଶକ ବ୍ୟବହାର ହ୍ରାସ ପାଇଛି । ସେ ଜୈବିକ କୃଷି କ୍ଷେତ୍ରରେ ଗୁଜରାଟର ନେତୃତ୍ୱକୁ ପ୍ରଶଂସା କରିବା ସହ ବିହନ ମହୋତ୍ସବ, ଜୈବିକ ଖାଦ୍ୟ ମହୋତ୍ସବ ଏବଂ ଜୈବିକ କୃଷକମାନଙ୍କର ଦ୍ୱିବାର୍ଷିକ ସମ୍ମିଳନୀ ଭଳି କାର୍ଯ୍ୟକଳାପକୁ ମଧ୍ୟ ପ୍ରଶଂସା କରିଛନ୍ତି । ନିକଟରେ ରାଜ୍ୟରେ ପ୍ରାକୃତିକ ଚାଷ ପଦ୍ଧତି ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି । ଡକ୍ଟର ମିଶ୍ର ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଗୁଜରାଟର ସଫଳ ସମବାୟ ମଡେଲକୁ ପ୍ରଶଂସା କରିଛନ୍ତି, ଯାହା କୃଷି ଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରିଛି ଏବଂ ଉଦ୍ୟାନ କୃଷି କ୍ଷେତ୍ରର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଗୁଜରାଟକୁ ଲାଗି ଆରବ ସାଗରର ୧୬୦୦ କିଲୋମିଟର ସମୁଦ୍ର ଉପକୂଳ ଥିବାରୁ ରାଜ୍ୟର ମତ୍ସ୍ୟ ବିକାଶର ସମ୍ଭାବନା ଉପରେ ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଛନ୍ତି । ସେ ବିକଶିତ ଗୁଜରାଟ ୨୦୪୭ ସଂକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ, ଯାହାର ଉଦ୍ଦେଶ୍ୟ ହେଉଛି ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉଦ୍ୟାନ କୃଷି, ଦୁଗ୍ଧ ଏବଂ ମତ୍ସ୍ୟ ଚାଷ କ୍ଷେତ୍ରରେ ବଜାର ସୁଯୋଗର ଉପଯୋଗ କରିବା । ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ଜଙ୍ଗଲ କ୍ଷେତ୍ରର ବାର୍ଷିକ ଅଭିବୃଦ୍ଧି ୧୮.୬% ରହିଛି ବୋଲି ସେ ଆଲୋକପାତ କରିଛନ୍ତି ।
ବଜାର ସଂସ୍କାର ସମ୍ପର୍କରେ ଡକ୍ଟର ମିଶ୍ର ଦର୍ଶାଇଛନ୍ତି ଯେ, ଆଦର୍ଶ କୃଷି ଉତ୍ପାଦ ବଜାର ସମିତି (ଏପିଏମ୍ସି) ଆଇନ କାର୍ଯ୍ୟକାରୀ କରିବାରେ ଗୁଜରାଟ ପ୍ରଥମ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁଥିରେ କୃଷକମାନେ ନିୟନ୍ତ୍ରିତ ବଜାର ବାହାରେ ଉତ୍ପାଦ ବିକ୍ରି କରିପାରିବେ । ୨୦୦୭ ମସିହାରେ ରାଜ୍ୟ ସରକାର କୃଷି ଜାତ ଦ୍ରବ୍ୟ ବିପଣନ ଆଇନରେ ସଂଶୋଧନ କରି ଚୁକ୍ତିଭିତ୍ତିକ ଚାଷ, ପ୍ରତ୍ୟକ୍ଷ ବିପଣନ, ଇ-ଟ୍ରେଡିଂ ଏବଂ କୃଷକ ବଜାର ପ୍ରତିଷ୍ଠାର ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରିଥିଲେ । ଡ. ପି.କେ ମିଶ୍ର ଜଳସମ୍ପଦ ପରିଚାଳନା, ଜଳସେଚନ କ୍ଷେତ୍ର ବୃଦ୍ଧି ଏବଂ ବିପଣନ ସଂସ୍କାର ଭଳି ଅନେକ ନୀତିଗତ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ଯାହା ଅମଳ ଏବଂ ମୂଲ୍ୟ ବିପଦକୁ ହ୍ରାସ କରିବାରେ ସହାୟକ ହୋଇଥିଲା । ପୂର୍ବରୁ ରାଜ୍ୟରେ ଜଳସେଚନ କ୍ଷେତ୍ର ଜାତୀୟ ହାରାହାରୀ ଠାରୁ ବହୁତ କମ୍ ଥିବା ବେଳେ ଏବେ ଏହା ଜାତୀୟ ହାରାହାରୀ ଠାରୁ ୧୪ ପ୍ରତିଶତ ଅଧିକ ରହିଛି । ସମସ୍ତ ପଦକ୍ଷେପର ପରିଣାମ କୃଷି ପରିବର୍ତ୍ତନର ସାମାଜିକ-ଅର୍ଥନୈତିକ ପ୍ରଭାବ ପକାଇଛି । କୃଷି ସମବାୟ ଓ ସ୍ୱୟଂ ସହାୟକ ଗୋଷ୍ଠୀରେ ମହିଳାଙ୍କ ଅଂଶଗ୍ରହଣ ସେମାନଙ୍କୁ ଆର୍ଥିକ ଓ ସାମାଜିକ ସ୍ତରରେ ସଶକ୍ତ କରିଛି ବୋଲି ଡକ୍ଟର ମିଶ୍ର କହିଛନ୍ତି । ସେ ନାବାର୍ଡର ଏକ ରିପୋର୍ଟ ବିଷୟରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି ଯେ, ଗୁଜରାଟରେ ୩୦,୦୦୦ରୁ ଅଧିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଅଛି, ଯାହା ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ପ୍ରଦାନ କରୁଛି, ଯାହା ଗ୍ରାମୀଣ ନିଯୁକ୍ତି ଏବଂ ଦାରିଦ୍ର୍ୟ ହ୍ରାସରେ ସହାୟକ ହୋଇଛି । ଏହି କାର୍ଯ୍ୟକ୍ରମରେ ଡ. କିରିଟ୍ ସେଲାଟ ଓ ଅନ୍ୟମାନଙ୍କ ଦ୍ୱାରା ସମ୍ପାଦିତ ‘ଭବିଷ୍ୟତ କୃଷି – ବିକଶିତ ଭାରତ’ ଶୀର୍ଷକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏହି ପୁସ୍ତକରେ ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ପରିକଳ୍ପନା ସହିତ ଯୋଡ଼ି ହୋଇ ଭାରତୀୟ କୃଷିକ୍ଷେତ୍ରରେ ଉପଲବ୍ଧି, ସମସ୍ୟା ଏବଂ ଆହ୍ୱାନଗୁଡ଼ିକର ସମାଧାନ ଅନୁସନ୍ଧାନ କରାଯାଇଛି । ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ନିରଞ୍ଜନ ପଟେଲ, ଗୁଜରାଟ ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ପିକେ ଲହେରୀ; ଗୁଜରାଟର ପୂର୍ବତନ କୃଷି ସଚିବ ତଥା ଏନ୍ସିସିଏସ୍ଡିର ଅଧ୍ୟକ୍ଷ ଡକ୍ଟର କିରିଟ ଶେଲାଟ, ଡିଆର୍ଡିଓର ପୂର୍ବତନ ମହାନିର୍ଦ୍ଦେଶକ ଡକ୍ଟର କେଶବ ଡି ନାଏକ, ଜୁନାଗଡ଼ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଏଆର ପାଠକ, ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ. ଭାଇଲାଲ ଭାଇ ପଟେଲ ଏବଂ ବିଭିନ୍ନ ଅନୁଷ୍ଠାନର ଅଧ୍ୟାପକ ଉପସ୍ଥିତ ଥିଲେ ।