ଖପ୍ରାଖୋଲ ପୋଲିସର ଚଢାଉ : ସାତ ଶିଶୁ ସହ ଆଠ ଦାଦନ ଶ୍ରମିକ ଉଦ୍ଧାର, ତିନି ସର୍ଦ୍ଦାର ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ପୋଲିସ ଚଢାଉ କରି ୭ଶିଶୁ ସମେତ ୮ଜଣ ଦାଦନ ଶ୍ରମିକ ଉଦ୍ଧାର କରିଥିବା ବେଳେ ଦାଦନ ଚାଲାଣ ଅଭିଯୋଗରେ ୩ ସର୍ଦ୍ଦାରଙ୍କୁ ଶନିବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଦାଦନ ଚାଲାଣ ସୂଚନା ପାଇ ଖପ୍ରାଖୋଲ ଥାନା ପୋଲିସ ଘୁଚାପାଲି ଛକ ନିକଟରେ ଛକି ବସିଥିବା ବେଳେ ଏକ ବୋଲେରୋ ଗାଡ଼ିରେ ବେଆଇନ୍ ଶ୍ରମିକ ଚାଲାଣ ହେଉଥିବା ବେଳେ ପୋଲିସ ଗାଡ଼ି ଅଟକାଇ ପଚରା ଉଚୁରା ବେଳେ ଜମୁନାପାଲି ଓ ଘୁଚାପାଲି ଗାଁର ୪ଜଣ ମହିଳା, ୪ଜଣ ପୁରୁଷ ସମେତ ୭ଜଣ ଶିଶୁଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଆଣିଥିବା ବେଳେ ବୋଲେରୋ ଗାଡି ଓ ଏକ ମୋଟର ସାଇକେଲ ଜବତ କରିଥିଲେ । ଏନେଇ ବେଆଇନ୍ ଦାଦନ ଚାଲାଣ ଅଭିଯୋଗରେ ଖପ୍ରାଖୋଲ ଥାନା କେସ୍‌ ନମ୍ବର ୨୭୨/୨୩ରେ ଏକ ମାମଲା ରୁଜୁ କରି ଚାଚରାଭଟା ଗାଁର ମକୁନ୍ଦ ମାଝୀ (୩୮), ଲାଠୋର ଗାଁର ମୁକ୍ତିରାମ ଠାକୁର (୩୮) ଓ ହେମନ୍ତ ନାଗ (୪୦)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ଉଦ୍ଧାର ଶ୍ରମିକମାନଙ୍କୁ ନିଜ ନିଜ ଗାଁକୁ ପଠାଇ ଦେଇଥିବା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି ଆନ୍ତଃରାଜ୍ୟ ଶ୍ରମିକ ଚାଲାଣ(ନିୟନ୍ତ୍ରଣ) ଆଇନ-୧୯୭୯ କାର୍ଯ୍ୟକାରୀ ହେଲା ସତ, ମାତ୍ର ଏହା ଯୋଗୁ ଦାଦନ ପରି କୁତ୍ସିତ ସମସ୍ୟାକୁ ରୋକାଯାଇ ପାରିଲା ନାହିଁ ବରଂ ସରକାରୀ ସ୍ୱୀକୃତ ଭାବେ ଏହା ଅବାଧରେ ଚାଲିଲା ଏବଂ ଏହା ଏକ ଲାଭଜନକ ବ୍ୟବସାୟରେ ପରିଣତ ହେଲା ।

Leave A Reply

Your email address will not be published.