jayashree

ପ୍ରେମରେ ବିଫଳ ହେବା ପରେ ପ୍ରେମିକଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧୋକା ଦେଲା ପ୍ରେମିକା । ସହି ପାରିଲାନି ପ୍ରେମିକ । ପ୍ରେମରେ ବିଫଳ ହେବା ପରେ ରେଳ ଧାରଣାରେ ଶୋଇ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ଦେବଦୁତ ହୋଇ ଆସିଲେ ଟ୍ରାକ ମେସିନ କର୍ମଚାରୀ ଓ ଉଦ୍ଧାର କରିଛନ୍ତି ପ୍ରେମିକଙ୍କୁ । ପୁଇଁତଲା ଥାନା ଅର୍ନ୍ତଗତ ଜାମସର ଗ୍ରାମ ନିକଟରେ ବଲାଙ୍ଗିର-ଲୋଇସିଂହା ରେଳ ଧାରଣାରେ ଏଭଳି ଏକ ଘଟଣା ଘଟିଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣକ ହେଲେ ସୋନପୁର ଜିଲ୍ଲା ବିନିକା ଥାନା ଅର୍ନ୍ତଗତ ଫଲ୍‌ସାପାଲି ଗ୍ରାମର ପ୍ରଶାନ୍ତ ନାଗ(୧୯) । ସୂଚନାରୁ ପ୍ରକାଶ ଯେ, ପ୍ରଶାନ୍ତ ଗତ ତିନି ଦିନ ତଳେ ଫାସଡ ନିକଟରେ ରହିଥିବା ରାନୀପାଲି ଗ୍ରାମର ମାମୁଁ ଘରକୁ ଆସିଥିଲେ । ହେଲେ ଆଜି ସନ୍ଧ୍ୟାରେ ଘରୁ ଚାଲି ଆସି ଜାମସର ନିକଟରେ ଆତ୍ମହତ୍ୟା କରିବାକୁ ରେଳଧାରଣା ଉପରେ ଶୋଇପଡିଥିଲେ । ଏତିକି ବେଳେ ଏକ ଟ୍ରାକ ମେସିନ ଗାଡି ଆସୁଥିଲା । ଗାଡିରେ ଥିବା କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ବଲାଙ୍ଗିରକୁ ଆଣିଥିଲେ । ବଲାଙ୍ଗିର ଷ୍ଟେସନକୁ ଆଣି ରେଳବାଇ ପୁଲିସକୁ ଯୁବକଙ୍କୁ ହସ୍ତାନ୍ତର କରିଥିଲେ । ଏ ସର୍ମ୍ପକରେ ଯୁବକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ସୂଚନା ରହିଛି । ପ୍ରେମରେ ବିଫଳ ହେବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.