jayashree

କିରାଣୀ ସଞ୍ଜୟ ଦେଓଙ୍କ ବଦଳି ପରେ ବାଣ ଫୁଟାଇ ଖୁସି ମନାଇଲେ ଶିକ୍ଷକ ଶିକ୍ଷୟିତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୁରୁଣ୍ଡିଆ ବିଇଓ ଅଫିସର କନିଷ୍ଠ କିରାଣୀ ସଞ୍ଜୟ ଦେଓଙ୍କ ବାବୁନୂଆଗାଁ ଉଚ୍ଚ ବିଦ୍ୟାଳୟକୁ ବଦଳି ହେବା ପରେ ଗୁରୁଣ୍ଡିଆ ବ୍ଲକରେ କାର୍ଯ୍ୟରତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗତକାଲି ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ଖୁସି ମନାଇଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଏଭଳି ବାଣ ଫୁଟା ଉତ୍ସବ ସଞ୍ଜୟ ଦେଓଙ୍କ ପ୍ରତି ରହିଥିବା ଆକ୍ରୋଶକୁ ବୟାନ କରିଥିବା ବେଳେ ସେମାନଙ୍କ ଭିତରେ ଦୀର୍ଘ ଦିନ ଧରି କୁହୁଳୁ ଥିବା ଅସନ୍ତୋଷକୁ ପ୍ରତିଫଳିତ କରିଥିଲା । ଗତକାଲି ଅପରାହ୍ନ ୪ଟା ପରେ ଜରଡ଼ାଛକ, କଂସରଛକ, ତାମଡାଛକ, କୁଚେଇତାଛକ, ଚାନ୍ଦିପୋଷଛକ ଏବଂ ଜଡ଼ାବନ୍ଦଛକରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ରୁଣ୍ଡ ହୋଇ ବାଣ ଫୁଟାଇ ଖୁସି ମନାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, କନିଷ୍ଠ କିରାଣୀ ସଞ୍ଜୟ ଦେଓ ଲାଞ୍ଚ ନଦେଲେ କାମକୁ ମାସ ମାସ ଧରି ଅଟକାଇ ରଖୁଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଲୁଟ କରି ବହୁ ପରିମାଣରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଛନ୍ତି । ତା’ଛଡା ଗୁରୁଣ୍ଡିଆ ବ୍ଲକ ଶିକ୍ଷାଧିକାରୀଙ୍କୁ ସେ ଭୃକ୍ଷେପ କରୁନଥିବା ବେଳେ ନିଜର ମନମୁଖୀ ଶାସନ ଚଳାଉଥିଲେ । ତାଙ୍କର ଏଭଳି ଦୁର୍ନୀତିଖୋର ମନୋଭାବ ଯୋଗୁଁ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବହୁମାତ୍ରାରେ ଲୁଣ୍ଠିତ ହେଉଥିବା ବେଳେ ଏକପ୍ରକାର ତ୍ରାହି ତ୍ରାହି ଡାକୁଥିଲେ । କିରାଣୀ ଜଣଙ୍କର ପ୍ରାଦୁର୍ଭାବ ଏତେ ବୃଦ୍ଧିପାଇଥିଲା ଯେ, ଲାଞ୍ଚ ନଦେଲେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବାର୍ଷିକୀ ଇନକ୍ରିମେଣ୍ଟ ପାଇଁ ସେ ସିଧାସଳଖ ମନା କରିଦେଉଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପଦୋନ୍ନତି ପାଇଲେ ମଧ୍ୟ ଦରମା ଓ ବକେୟା ପ୍ରଦାନ କରିବାକୁ ରାଜି ହେଉନଥିଲେ । ତା’ସହିତ କୌଣସି ଶିକ୍ଷୟିତ୍ରୀ ପ୍ରସବକାଳୀନ ଛୁଟିରେ ରହିଲେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ପ୍ରସବକାଳୀନ ପ୍ରାପ୍ୟ କରିଦେବାକୁ ସେ ମୋଟା ଅଙ୍କର ଟଙ୍କା ଦାବୀ କରୁଥିବା ବେଳେ ଅବସରକାଳୀନ ଭତ୍ତା ପାଇଁ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସେ ମୋଟା ଅଙ୍କର ଟଙ୍କା ଦାବୀ କରୁଥିଲେ । ତେଣୁ ଠିକ୍‌ ସମୟରେ ନିଜ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅକଥନୀୟ ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଏହାକୁ କେନ୍ଦ୍ରକରି ବ୍ଲକର ଅନେକ ଶିକ୍ଷକ ଶିକ୍ଷୟିତ୍ରୀମାନେ କିଛିଦିନ ପୂର୍ବରୁ ଭିଜିଲାନ୍ସ ଏସପିଙ୍କ ପାଖରେ ଅଭିଯୋଗ କରିଥିବା ବେଳେ ତାଙ୍କ ବଦଳି ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପାଖରେ ମଧ୍ୟ ଦାବୀ କରିଥିଲେ । ତେବେ ବିଳମ୍ବରେ ହେଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବେଦନାକୁ ହୃଦୟଙ୍ଗମ କରି ଦୁର୍ନୀତିଗ୍ରସ୍ତ କିରାଣୀଙ୍କୁ ଅନ୍ୟତ୍ର ବଦଳି କରିଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ଅମୁଲ୍ୟ କୁମାର ପ୍ରଧାନଙ୍କୁ ଗୁରୁଣ୍ଡିଆ ବ୍ଲକର ୫୦୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.