oum

ଆଇପିଏଲ : ଏବିଡିଙ୍କ ପ୍ରହାରରେ ଘାଇଲା ରାଜସ୍ଥାନକୁ ପ୍ଲେଅଫ୍ ସୁଯୋଗର ଦୂରତା ବଢିଲା ଏବିଡ ୫୫ରନ୍ ୨୨ବଲ ଦ୍ରୁତ ପାଳି ଯୋଗୁଁ ଶ୍ରେଷ୍ଠ ଖେଳାଳି ପୁରସ୍କୃତ

jsm

ଦୁବାଇ: ଏବି ଡି’ଭିଲିୟର୍ସଙ୍କ ଆଉ ଏକ ବିସ୍ଫୋରକ ପାଳି (୨୨ ବଲ୍‌ରୁ ୫୫* ରନ୍‌) ବଳରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଶନିବାର ଅପରାହ୍ନ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ୧୮ତମ ଓଭର ପର୍ୟ୍ୟନ୍ତ ମ୍ୟାଚ୍‌ ଉଭୟ ଦଳ ହାତରେ ଥିଲେ ମଧ୍ୟ ୧୯ତମ ଓଭରରେ ଜୟଦେବ ଉନାଦକତଙ୍କ ପ୍ରଥମ ୩ ବଲ୍‌ରେ ଏବିଡିଙ୍କ ହ୍ୟାଟ୍ରିକ୍ ଛକା ମ୍ୟାଚ୍‌କୁ ଆର୍‌ସିବି କବ୍‌ଜାକୁ ନେଇଯାଇଥିଲା। ଉଭୟ ଦଳ ଶନିବାର ନିଜ ନିଜ ନବମ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଆର୍‌ସିବି ଷଷ୍ଠ ବିଜୟ ସହ ପଏଣ୍ଟ୍‌ ତାଲିକାର ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି। ରାଜସ୍ଥାନ କିନ୍ତୁ ଷଷ୍ଠ ପରାଜୟ ସହ ପ୍ଲେ ଅଫ୍‌ ସୁଯୋଗକୁ ହାତଛଡ଼ା କରିବା ମୁହାଁ ‌ହୋଇଛି। ଡି’ଭିଲିୟର୍ସ ଗତ ୩ ମ୍ୟାଚ୍‌ରୁ ଦ୍ବିତୀୟ ଥର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ରାଜସ୍ଥାନ ରୟାଲ୍ସ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍‌ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରଣନୀତି ପରିବର୍ତନ କରି ଦଳ ମଧ୍ୟ ରବିନ୍‌ ଉଥପ୍ପା ଓ ବେନ୍‌ ଷ୍ଟୋକ୍ସଙ୍କ ଦ୍ବାରା ପାଳି ଆରମ୍ଭ କରିଥିଲା। ପ୍ରଥମ ଦୁଇ ଓଭରରୁ ଏମାନେ ମାତ୍ର ୫ ରନ୍ ସଂଗ୍ରହ କରିଥିଲେ ମଧ୍ୟ ୫.୨ ଓଭରରେ ୫୦ ରନ୍ ପୂର୍ଣ୍ଣ କରିବା ମାତ୍ରେ ଅଲଗା ହୋଇଯାଇଥିଲେ। କ୍ରିସ୍ ମୋରିସ୍‌ଙ୍କ ବୋଲିଂରେ ବେନ୍ ଷ୍ଟୋକ୍ସ ଏବି ଡି’ଭିଲିୟର୍ସଙ୍କୁ କ୍ୟାଚ୍‌ ଦେଇ ଫେରି ଆସିଥିଲେ। କିଛି ସମୟ ପରେ ସ୍ପିନର୍‌ ୟୁଜବେନ୍ଦ୍ର ଚହଲ୍‌ ଲଗାତାର ବଲ୍‌ରେ ରବିନ୍‌ ଉଥପ୍ପା (୪୧, ୨୨ ବଲ) ଏବଂ ସଂଜୁ ସାମସନ୍‌ (୯, ୬ ବଲ)ଙ୍କୁ ଆଉଟ୍ କରି ରୟାଲ୍ସର ରନ୍‌ ଗତିକୁ‌ ରୋକିଥିଲେ। ତେବେ ମଧ୍ୟକ୍ରମରେ ଷ୍ଟିଭେନ୍ ସ୍ମିଥ୍‌ ମାତ୍ର ୩୦ ବଲରୁ ଅର୍ଧଶତକ ହାସଲ କରିବା ନିର୍ଣ୍ଣାୟକ‌ ହୋଇଥିଲା। ତାଙ୍କ ସହ ଜୋସ୍ ବଟ୍ଟଲର୍‌ (୨୪) ଏବଂ ରାହୁଲ ତିୱାତିଆ (୧୯*, ୧୧ ବଲ) ଉପଯୋଗୀ ପାଳି ଖେଳିବାରୁ ରୟାଲ୍ସ ୧୭୭ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରିଥିଲା। ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ପକ୍ଷରୁ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲିଂ ଅଲରାଉଣ୍ଡର୍‌ କ୍ରିସ୍ ମୋରିସ୍‌ ସବୁଠୁ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଶେଷ ଓଭରରେ ମାତ୍ର ୪ ରନ୍‌ ଦେଇ ୨ ୱିକେଟ୍ ଦଖଲ କରିନେବାରୁ ରାଜସ୍ଥାନ ମଧ୍ୟ ନିଜ ଆଶାଠାରୁ ୧୫/୨୦ ରନ୍‌ ପଛରେ ରହିଯାଇଥିଲା।

୧୭୮ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ସତର୍କତାର ସହ ପାଳି ଆରମ୍ଭ କରିଥିଲା। ଅରୋନ୍‌ ଫିଞ୍ଚ୍‌ ଦୁଇଟି ଆକର୍ଷଣୀୟ ଛକା ମାରିଥିଲେ ମଧ୍ୟ ୧୧ ବଲ୍‌ରୁ ୧୪ ରନ୍ କରି ସ୍ପିନର୍‌ ଶ୍ରେୟସ ଗୋପାଳଙ୍କ ଶିକାର ହୋଇ‌ ଫେରିଯାଇଥିଲେ। ପଡିକଲ୍ ପାଳି ଗଢ଼ିବା କାମ କରି ୩୭ ବଲ୍‌ରୁ ୩୫ ରନ୍ କରିଥିଲେ। ତେବେ ଫର୍ମକୁ ଫେରି ସାରିଥିବା ବିରାଟ କୋହଲି (୪୩, ୩୨ ବଲ୍‌)ଙ୍କୁ ରାହୁଲ ତିୱାତିଆ ସୀମାରେଖା ଉପରେ ଚମତ୍କାର କ୍ୟାଚ୍‌ ନେଇ ବିଦାୟ କରିବା ପରେ ଆର୍‌ସିବି ଚାପରେ ପଡ଼ିଥିଲା। ଶେଷ ୩ ଓଭରରୁ ଆର୍‌ସିବିକୁ ୪୫ ରନ୍ ଆବଶ୍ୟକ ପଡ଼ିଥିଲା। ୪ ନମ୍ବର ସ୍ଥାନରେ ଆସିଥିବା ଏବି ଡି’ଭିଲିୟର୍ସ ଅସମ୍ଭବ ଲାଗୁଥିବା ବିଜୟକୁ ସମ୍ଭବ କରିଥିଲେ। ୧୯ତମ ଓଭର ବୋଲିଂ କରିଥିବା ରୟାଲ୍ସର ଅନ୍ୟତମ ଶ୍ରେଷ୍ଠ ବୋଲର ଜୟଦେବ ଉନାଦକତ୍‌ଙ୍କୁ ଏବିଡି (୬,୬,୬, ୧, ୧ୱାଇଡ୍‌, ୪, ୧) ନିସ୍ତୁକ ପ୍ରହାର କରିବାରୁ ଆର୍‌ସିବି ବିଜୟ ନିଶ୍ଚିତ ହୋଇଥିଲା।‌‌ ଶେଷ ଓଭରୁ ୧୦ ରନ୍ ଆବଶ୍ୟକ କରିଥିବା ଆର୍‌ସିବିକୁ ୩୬୦ ଡିଗ୍ରୀ ଏବିଡି (୫୫*, ୨୨ ବଲ୍‌, ୧ ଚୌକା, ୬ ଛକା) ଛକା ମାରି ବିଜୟୀ କରାଇଥିଲେ। ଯାହାଫଳରେ ଏହି ବିସ୍ଫୋରକ ପାଳି ଯୋଗୁଁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।

Leave A Reply

Your email address will not be published.