ବାଳଗୋପାଳଙ୍କୁ ଗିରଫ କରାଯାଇ ମାମଲାକୁ ସିବିଆଇକୁ ହସ୍ତାନ୍ତର ଦାବୀ କଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାଳଗୋପାଳ ମିଶ୍ରଙ୍କୁ ଗିରଫ କରାଯାଇ ମାମଲାକୁ ସିବିଆଇକୁ ହସ୍ତାନ୍ତର ଦାବୀ କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସଂଘ ପକ୍ଷରୁ କୁହାଯାଇଛି ଯେ, ସାଲେଭଟା ଗାଈଖାଇ ଛକରେ ଗତ ୧୧ ତାରିଖ ଦିନ ଗରିବ ଆଦିବାସୀମାନଙ୍କ ଘରକୁ ବେଆଇନ ଭାବରେ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅ ଆକାଶ ମିଶ୍ର ଓ ତାଙ୍କ ସହଯୋଗୀ ସରପଂଚ ଓ ଅନ୍ୟମାନେ ନିର୍ମମ ଭାବରେ ଭାଙ୍ଗି ଦେଇଥିବା ଘଟଣା ସାରା ଦେଶରେ ଚହଳ ପକେଇ ଦେଇଛି । ଏଭଳି ନିନ୍ଦନୀୟ ଓ ବର୍ବର ଘଟଣାକୁ ସମାଜର ସବୁ ବର୍ଗର ଲୋକ ନିନ୍ଦା କରୁଥିବା ବେଳେ ଅନ୍ଧ ଧୃତରାଷ୍ଟ୍ରଙ୍କ ଭଳି ନିଜ ପୁଅ ସମର୍ଥନରେ ତଥା ଆଦିବାସୀମାନଙ୍କ ଘରଭଙ୍ଗା ସପକ୍ଷରେ ଗତ କାଲି ବଲାଙ୍ଗିର ଠାରେ ସାମ୍ବାଦିକ ସମ୍ମିଳନୀ କରି ବାଳଗୋପାଳ ମିଶ୍ର ନିଜର ଅସଲ ଅପରାଧୀ ଚେହେରାକୁ ଉଜାଗର କରିଛନ୍ତି । ବାସ୍ତବରେ ଗତ ୧୧.୦୮.୨୦୨୦ ତାରିଖର ଘଟଣା ବାଳଗୋପାଳ ମିଶ୍ରଙ୍କ ନିିର୍ଦ୍ଦେଶରେ ଓ ତାଙ୍କ ପୁଅର ନେତୃତ୍ୱରେ ହୋଇଥିଲେ ମଧ୍ୟ ନିରୀହ ଆଦିବାସୀମାନେ ଭୟରେ ପୂର୍ବରୁ ଏତାଲାରେ ବାଳଗୋପାଳ ମିଶ୍ରଙ୍କ ନାଁ ଦେଇ ନ ଥିଲେ । ପରେ ଯେତେବେଳେ ସତ୍ୟ ଉନ୍ମୋଚନ ହେଲା ସେ ହିଁ ଏହି ଘଟଣାର ଅସଲ କାର୍ପଟଦାର ଥିଲେ । ତାଙ୍କ ନିର୍ଦ୍ଦେଶରେ ହିଁ ତାଙ୍କ ପୁଅ ଓ ଅନ୍ୟମାନେ ଆଦିବାସୀମାନେ ପାଇଥିବା ଇନ୍ଦିରା ଆବସକୁ ଜେସିବି ମେସିନ ଲଗେଇ ଭାଙ୍ଗି ଦେଇଥିଲେ । ଏହି ଘଟଣାରେ ମାନ୍ୟବର ସ୍ୱତନ୍ତ୍ର ଅଦାଲତା (ଅଦିବାସୀ/ହରିଜନ) ଦୁଇ ଜଣ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିଥିବା ବେଳେ ବାଳଗୋପାଳ ମିଶ୍ରଙ୍କ ପୁଅ ସମେତ ବାକି ଆଠ ଜଣ ଫେରାର ଅଛନ୍ତି । ଇତି ମଧ୍ୟରେ ଆଦିବାସୀ କଲ୍ୟାଣ ସଂଘ ତରଫରୁ ତଥା ରାଜ୍ୟ ସାରା ଆଦିବାସୀ ଓ ଦଳିତ ସଂଗଠନମାନେ ବାଳଗୋପାଳ ଓ ତାଙ୍କ ପୁଅ ତଥା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଦାବୀ କରିବାରୁ ଏଥିରେ ଆତଙ୍କିତ ହୋଇ ସେ ତରବରରେ ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ଭିନ୍ନ ମୋଡ ଦେବାକୁ ଚେଷ୍ଟା କରିଛନ୍ତି । ଭଙ୍ଗା ହୋଇଥିବା ଜାଗାଟି ଜଙ୍ଗଲ ଜମି ହୋଇଥିବାରୁ ଏବଂ ସରପଂଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇ ଥିବାରୁ ଘରଭଙ୍ଗା ଉଚିତ କାମ ହୋଇଛି ବୋଲି ସେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ । କାରଣ ଜଙ୍ଗଲ ହିଁ ହେଉଛି ଆଦିବାସୀମାନଙ୍କ ଜନ୍ମସ୍ଥଳୀ ଓ କର୍ମସ୍ଥଳୀ । ଯୁଗ ଯୁଗରୁ ଆଦିବାସୀମାନେ ଜଙ୍ଗଲ ଜମିରେ ରହି ଆସିଛନ୍ତି । ଏହାଛଡା ଅତ୍ୟାଚାରର ଶିକାର ହୋଇଥିବା ଆଦିବାସୀମାନେ ସରକାରୀ ହିସାବରେ ଉକ୍ତ ଜମି ପାଇଥିଲେ ଏବଂ ସେହି ଜମି ଉପରେ ବ୍ଲକ ତରଫରୁ ଘର ବନାଇବାକୁ ସେମାନଙ୍କ ସହାୟତା ଦିଆଯାଇ ଥିଲା । ଯଦି କେହି ସରକାରଙ୍କ ଏତାଦୃଶ ପଦକ୍ଷେପରେ ସନ୍ତୁଷ୍ଟ ନ ଥିଲେ । ତେବେ ସେମାନେ ଆଇନ ଅଦାଲତର ଆଶ୍ରା ନେବା କଥା । ଏହା ଛଡା କୋଭିଡ୍‌-୧୯ର ପରି·ଳନା ପାଇଁ ହିଁ କେବଳ ରାଜ୍ୟ ସରକାର ସରପଂଚମାନଙ୍କୁ ମାଜିଷ୍ଟ୍ରେଟ କ୍ଷମତା ଦେଇଛନ୍ତି । କାହାକୁ ଅତ୍ୟାଚାର କରିବା ପାଇଁ ବା କାହାର ଘର ଭାଙ୍ଗିବା ପାଇଁ ସରପଂଚମାନଙ୍କୁ ସରକାର କୋ÷÷ଣସି କ୍ଷମତା ଦେଇ ନାହାନ୍ତି । ଏଭଳି ସ୍ଥଳରେ ଗରିବ ଆଦିବାସୀମାନଙ୍କ ବାସ କରୁଥିବା ଜମି ଉପରେ ନିଜର ପକାଇ ବାଳଗୋପାଳ ମିଶ୍ର ସରପଂଚ ଓ ତାଙ୍କ ପୁଅର ମାଧ୍ୟମରେ ଉକ୍ତ ଆଦିବାସୀମାନଙ୍କ ବାସଗୃହକୁ ନିର୍ମମ ଭାବରେ ଭଙ୍ଗାଇ କେବଳ ଯେ ସଂଗିନ ଅପରାଧ କରିଛନ୍ତି ତା ନୁହେଁ, ଗରିବ ଆଦିବାସୀମାନଙ୍କୁ ଅତ୍ୟା·ର କରି ଓ ସେମାନଙ୍କୁ ବାସହୀନ ଓ ଭୂମିହୀନ କରିଦେଇ ବାଳଗୋପାଳ ମିଶ୍ର ସେମାନଙ୍କ ସାମ୍ବିଧାନିକ ଅଧିକାର ଓ ମାନବାଧିକାର ହନନ କରିଛନ୍ତି । ତେଣୁ ବାଳଗୋପାଳ ମିଶ୍ର, ତାଙ୍କ ପୁଅ ଓ ଅନ୍ୟ ଅପରାଧିମାନଙ୍କୁ ତୁରନ୍ତ ଗିରଫ କରି ଘଟଣାର ତଦନ୍ତ ପାଇଁ ସି.ବି.ଆଇକୁ ମାମଲା ହସ୍ତାନ୍ତର କରାଯାଉ ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ମାନ୍ୟବର ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ, ଓଡିଶାର ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଜାତୀୟ ମାନବାଧିକାର କମିଶନ, ଜାତୀୟ ଏସ୍‌ସ/ଏସ୍‌ଟି କମିଶନର ଅଧ୍ୟକ୍ଷ ଓ ଓଡିଶାର ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ସଭାପତି ବ୍ରଜ କିଶୋର ସିଂହଭୋଇ, ନିରଞ୍ଜନ ବିଶି, ସତ୍ୟନାରାୟଣ ଭୋଇ, ବନଲତା ମାଝି ପ୍ରମୁଖ ଦାବୀ କରିଛନ୍ତି ।

Leave A Reply

Your email address will not be published.