ଭୋଟ ବର୍ଜନ ପାଇଁ ଦେଲେ ଚେତାବନୀ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମାଣ୍ଡିବିସିର ଆର୍‌ଆଇ ଅଫିସ ନିକଟରେ ଲାଗିଛି ମାଓ ପୋଷ୍ଟର । ଭୋଟ ବର୍ଜନ ପାଇଁ ଦେଲେ ଚେତାବନୀ । ବାଂଶଧାରା ଘୁମୁସୁର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲାଗିଛି ଏହି ପୋଷ୍ଟର । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁଯାୟୀ ଆଜି ସକାଳୁ ସକାଳୁ ମାଓବାଦୀଙ୍କ ଏହି ପୋଷ୍ଟର ଓ ବ୍ୟାନର ଲାଗିଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ମାଣ୍ଡିବିସି ଗାଁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଏକ ଆମ୍ବ ଗଛରେ ଦୁଇଟି ପୋଷ୍ଟର ଏବଂ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଥିଲା । ତେବେ ଏହି ପୋଷ୍ଟରରେ ସିଜିମାଳି, କୁଟ୍ରୁମାଳି ଓ ମାଞ୍ଜିଙ୍ଗମାଳି ଖଣି ଖନନକୁ ଦୃଢ ବିରୋଧ କରିଛନ୍ତି ମାଓବାଦୀ । ଏହା ସହିତ ଖଣି ଖନନ ପାଇଁ କାର୍ଯ୍ୟ କରୁଥିବା ଦଲାଲମାନଙ୍କୁ କାମ ଛାଡିବାକୁ ଚେତାବନୀ ଦିଆଯାଇଛି । ସମସ୍ତ ରାଜନୈତିକ ଦଳ ଏହି ଖଣି ଖନନ ସପକ୍ଷରେ ଥିବା ଯୋଗୁଁ ଭୋଟ ବର୍ଜନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ମାଓବାଦୀ ସଂଗଠନ । ଏହା ନଜରକୁ ଆସିବା ପରେ ପୋଲିସ ପହଞ୍ଚି ପୋଷ୍ଟର ଏବଂ ବ୍ୟାନରକୁ ଜବତ କରିଛି ।

Leave A Reply

Your email address will not be published.